ଏଣିକି ଦର୍ଶକ ଗ୍ୟାଲେରିକୁ ଯାଉଥିବା ବଲରେ ଖେଳାଯିବନି ମ୍ୟାଚ, ଆଇପିଏଲ ପାଇଁ ବିସିସିଆଇର ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୯ ରୁ ଖେଳାଯିବ | ୟୁଏଇର ତିନୋଟି ସ୍ଥାନ ଦୁବାଇ, ଶାରଜାହ ଏବଂ ଆବୁଧାବିରେ ମୋଟ ୩୧ଟି ମ୍ୟାଚ୍ ଖେଳାଯିବ | କରୋନା ସଂକ୍ରମଣ ପରେ ମେ ୪ରେ ଆଇପିଏଲକୁ ସ୍ଥଗିତ ରଖାଯାଇଥିଲା। ଆଉ ସମୁଦାୟ ୬୦ଟି ମଧ୍ୟରୁ କେବଳ ୨୯ଟି ମ୍ୟାଚ୍ ହୋଇଥିଲା | ତେବେ ଅବଶିଷ୍ଟ ମ୍ୟାଚରେ ବିସିସିଆଇ କୌଣସି ବିପଦ ନେବାକୁ ଚାହୁଁନାହିଁ। ଏହି କାରଣରୁ ୟୁଏଇରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ପାଇଁ ମଧ୍ୟ ନୂଆ ନିୟମ ପ୍ରସ୍ତୁତ କରାଯାଇଛି। ଖବର ଅନୁଯାୟୀ ଯଦି ବଲ୍ ଷ୍ଟାଣ୍ଡକୁ ଯାଏ, ତେବେ ସେଥିରେ ଆଉ ମ୍ୟାଚ୍ ଖେଳାଯିବ ନାହିଁ। ସେହି ବଲ ବଦଳରେ ଆଉ ଏକ ବଲ୍ ବ୍ୟବହାର କରାଯିବ |

କରୋନା ପ୍ରୋଟୋକଲକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥିବା ନୂତନ ନିୟମ ଅନୁଯାୟୀ, ଯଦି ବଲ୍ ଷ୍ଟାଣ୍ଡ ବା ଦର୍ଶକ ଗ୍ୟାଲେରୀକୁ ଯାଏ, ତେବେ ଅମ୍ପାୟାର ଆଉ ଏକ ବଲରେ ଖେଳ କରାଇବେ | ଦର୍ଶକଙ୍କ ଗ୍ୟାଲେରିକୁ ଯାଉଥିବା ବଲକୁ ସାନିଟାଇଜ କରାଯିବ ଏବଂ ଲାଇବ୍ରେରୀରେ ରଖାଯିବ | ସୂଚନା ମୁତାବକ ୟୁଏଇରେ ହେବାକୁ ଥିବା ମ୍ୟାଚ୍ ସମୟରେ ଦର୍ଶକ ଆସିପାରନ୍ତି | ଏହି କାରଣରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବିସିସିଆଇ ଏହି ପଦକ୍ଷେପ ନେଇଛି।

ୟୁଏଇ ବୋର୍ଡ ଏହା ସ୍ପଷ୍ଟ କରିସାରିଛି ଯେ ଆଇପିଏଲ ସହ ଟି -୨୦ ବିଶ୍ୱକପ ସମୟରେ ଦର୍ଶକଙ୍କୁ କିଭଳି ଷ୍ଟାଡିୟମକୁ ଆସିବାକୁ ଅନୁମତି ଦିଆଯିବ ସେ ନେଇ ପ୍ରସ୍ତୁତି ଜାରି ରହିଛି | ଏଥିପାଇଁ ୟୁଏଇ ବୋର୍ଡ ବିସିସିଆଇ ଏବଂ ଆଇସିସି ସହ ଆଲୋଚନା କରୁଛି । ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର ମ୍ୟାଚ୍ ୧୯ ସେପ୍ଟେମ୍ବରରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | ଅବଶିଷ୍ଟ ୩୧ ଟି ମ୍ୟାଚ୍ ମଧ୍ୟରୁ ୧୩ଟି ଦୁବାଇରେ ଖେଳାଯିବ | ଏହା ବ୍ୟତୀତ ଶାରଜାହଠାରେ ୧୦ଟି ଏବଂ ଆବୁଧାବିରେ ୮ଟି ମ୍ୟାଚ୍ ହେବ।

ସମ୍ବନ୍ଧିତ ଖବର