ହକି ନିରାଶ; ଖାଲି ହାତରେ ଫେରିଲା ଭାରତ

ଗୋଲ୍‌ଡ କୋଷ୍ଟ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସବୁଠାରୁ ବଡ଼ ଆଶା ଥିଲା ହକି। ଗତ ଦୁଇ ସଂସ୍କରଣ (ନୂଆଦିଲ୍ଲୀ-୨୦୧୦ ଏବଂ ଗ୍ଲାସ୍‌ଗୋ-୨୦୧୪)ରେ ରୌପ୍ୟ ଜିତିଥିବା ଭାରତୀୟ ପୁରୁଷ ଦଳ ଏଥର ସ୍ୱର୍ଣ୍ଣିମ ସଫଳତା ହାସଲ ଲକ୍ଷ୍ୟ ରଖିଥିଲା ବେଳେ ମହିଳା ଦଳ ବି ପଦକ ଜିତିବାର ଦୃଢ଼ ଆଶାବାଦୀ ଥିଲା। ହେଲେ ଶେଷରେ ହକି ହିଁ ପୂରା ନିରାଶ କରିଦେଲା। ଉଭୟ ପୁରୁଷ ଓ ମହିଳା ଦଳ ଖାଲି ହାତରେ ସ୍ୱଦେଶ ଫେରିବେ। ଉଭୟ ପୁରୁଷ ଓ ମହିଳା ଦଳ ନିଜର ସେମିଫାଇନାଲ୍‌ ହାରିଯିବା ପରେ କାଂସ୍ୟ ପଦକ କେବଳ ବାକିଥିଲା। ମାତ୍ର ସେତକ ଆଶା ବି ଧୂଳିସାତ୍‌ ହୋଇଗଲା। ଶନିବାର କାଂସ୍ୟ ପଦକ ମୁକାବିଲାରେ ଉଭୟ ଦଳ ସମାନ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ନିକଟରୁ ହାରି ପଦକଶୂନ୍ୟରେ ଅଭିଯାନ ଶେଷ କଲେ। କାଂସ୍ୟ ପଦକ ମୁକାବିଲାରେ ମନ୍‌ପ୍ରୀତ୍‌ ସିଂହଙ୍କ ନେତୃତ୍ୱାଧୀନ ପୁରୁଷ ଦଳ ଲଢ଼େଇ କରିବା ସତ୍ତ୍ୱେ ଇଂଲଣ୍ଡଠୁ ୧-୨ ଗୋଲ୍‌ରେ ହାରିଯାଇଥିଲା ବେଳେ ରାଣୀ ରାମ୍‌ପଲ୍‌ଙ୍କ ମହିଳା ଦଳ ୦-୬ ଗୋଲ୍‌ରେ ଲଜ୍ଜାଜନକ ପରାଜୟ ବରଣ କରି ଭାରତର ମଥା ତଳକୁ କରିଦେଲା। ଉଭୟ ଚତୁର୍ଥ ସ୍ଥାନରେ ଗୋଲ୍‌ଡ କୋଷ୍ଟ ଅଭିଯାନ ଶେଷ କଲେ। ପୁରୁଷ ମୁକାବିଲାରେ ଭାରତ ପାଇଁ ଏକମାତ୍ର ଗୋଲ୍‌ଟି ବରୁଣ କୁମାର ୨୭ ମିନିଟ୍‌ରେ କରିଥିଲା ବେଳେ ସାମ୍‌ ଓ୍ଵାର୍ଡ (୭ ଓ ୪୩ ମିନିଟ୍‌)ଙ୍କ ଯୁଗଳ ଗୋଲ୍‌ ବଳରେ ଇଂଲଣ୍ଡ କାଂସ୍ୟ ପଦକ ଜିତିବା ସହିତ ପୁଲ୍‌ ପର୍ଯ୍ୟାୟରେ ଭାରତଠୁ ପରାଜୟର ମଧୁର ପ୍ରତିଶୋଧ ନେଇଗଲା। ପୁଲ୍‌ ପର୍ଯ୍ୟାୟରେ ଭାରତୀୟ ପୁରୁଷ ଦଳ ୪-୩ ଗୋଲ୍‌ରେ ଇଂଲଣ୍ଡକୁ ହରାଇଥିଲା। ସେହିପରି ମହିଳା ଦଳ ମଧ୍ୟ ପୁଲ୍‌ ପର୍ଯ୍ୟାୟରେ ଇଂଲଣ୍ଡକୁ ୨-୧ ଗୋଲ୍‌ରେ ହରାଇଥିଲା ବେଳେ କାଂସ୍ୟ ମୁକାବିଲାରେ ଇଂଲଣ୍ଡ ସେହି ପରାଜୟର ମଧୁର ପ୍ରତିଶୋଧ ନେଇଗଲା।

ସମ୍ବନ୍ଧିତ ଖବର