ଇଂଲଣ୍ଡରେ ରାଷ୍ଟ୍ରୀୟ ଶୋକ : କଟକଣା ମଧ୍ୟରେ ଖେଳାଯିବ ଭାରତ-ଇଂଲଣ୍ଡ ମହିଳା ଟି-୨୦ ମ୍ୟାଚ

ଡ୍ରେସିଂ ରୁମରେ ବାଜି ପାରିବନି ସଂଗୀତ

ଲଣ୍ଡନ :  ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ ପରେ ସମଗ୍ର ବ୍ରିଟେନରେ ଶୋକ ପାଳନ କରାଯାଉଛି । ଏହା ସତ୍ତ୍ବେ ଭାରତ ଓ ଇଂଲଣ୍ଡ ମହିଳା କ୍ରିକେଟ ଦଳ ମଧ୍ୟରେ ଟି-୨୦ ସିରିଜର କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଶନିବାର ଭାରତୀୟ ସମୟ ରାତି ସାଢେ ୧୧ଟା ସମୟରେ ପ୍ରଥମ ଟି-୨୦ ଖେଳାଯିବ । ତେବେ ଏହି ସିରିଜକୁ କେତେକ କଟକଣା ମଧ୍ୟରେ ଖେଳାଯିବ ।

ଇଂଲଣ୍ଡରେ ରାଷ୍ଟ୍ରୀୟ ଶୋକ ଚାଲିଥିବାରୁ ଖେଳାଳିମାନଙ୍କୁ ନିଜ ଡ୍ରେସିଂ ରୁମରେ କୌଣସି ସଂଗୀତ ବଜାଇବାକୁ ବାରଣ କରାଯାଇଛି । ସେହିପରି ଷ୍ଟାଡିୟମରେ ଥିବା ବିସିସିଆଇ ପତାକାକୁ ଅର୍ଦ୍ଧନମିତ କରି ରଖାଯିବ । ଷ୍ଟାଡିୟମ ଭିତରେ କୌଣସି ବ୍ୟବସାୟିକ କାର୍ଯ୍ୟକଳାପ, ନୃତ୍ୟ (ଚିୟରଗାର୍ଲ) ଆଦି କରାଯାଇପାରିବ ନାହିଁ । ତେବେ ଖେଳର ସଫଳକତାକୁ ଖେଳାଳିମାନେ ପଡ଼ିଆ ଭିତରେ ପାଳନ କରିପାରିବେ । ଇଂଲଣ୍ଡ ଗସ୍ତରେ ଭାରତୀୟ ମହିଳା ଦଳ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ ।

ମହାରାଣୀଙ୍କ ପରଲୋକ ଯୋଗୁଁ ଶନିବାର ଖେଳାଯିବାକୁ ଥିବା ଇଂଲିସ ପ୍ରିମିୟର ଲିଗ୍ ଓ ୟୁରୋପୀୟାନ ଟୁର ଗଲ୍ଫ ମ୍ୟାଚକୁ ସ୍ଥଗିତ ରଖାଯାଇଛି ।

ଗତ ୮ ତାରିଖରେ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ ହୋଇଥିଲା । ଏହା ପରେ ବ୍ରିଟେନରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ଆସନ୍ତା ୧୯ ତାରିଖରେ ମହାରାଣୀଙ୍କ ରାଜକୀୟ ଅନ୍ତେଷ୍ଟି କରାଯିବ ।

 

 

 

ସମ୍ବନ୍ଧିତ ଖବର