ଧୋନିଙ୍କ ଭଳି କେହି ଖେଳି ପାରିବେନି, ଚେଷ୍ଟା କରିବା ଉଚିତ ନୁହେଁ: ସଞ୍ଜୁ

ଦୁବାଇ: ଲଗାତାର ଦୁଇଟି ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରିବା ପରେ ରାଜସ୍ଥାନ ରୟାଲ୍‌ସର ଯୁବ ୱିକେଟରକ୍ଷକ-ବ୍ୟାଟସମ୍ୟାନ୍‌ ସଞ୍ଜୁ ସାମସନ୍‌ ଏବେ ଚର୍ଚ୍ଚାରେ ରହିଛନ୍ତି। ଚେନ୍ନାଇ ସୁପର୍ କିଙ୍ଗ୍ସ (୭୪) ଏବଂ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ (୮୫) ବିପକ୍ଷରେ ମ୍ୟାଚ୍‌ ବିଜୟୀ ପାଳି ଖେଳିଥିଲେ ଏହି ଲିଟିଲ୍ ଷ୍ଟାର। ତାଙ୍କୁ ମଧ୍ୟ ଏବେ କିଂବଦନ୍ତି ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କ ସହ ତୁଳନା କରାଯାଉଛି। କଂଗ୍ରେସ ସାଂସଦ ଶଶୀ ଥରୁର ତାଙ୍କୁ ପରବର୍ତୀ ‌ଧୋନି ବୋଲି ମଧ୍ୟ କହି ସାରିଛନ୍ତି। ଏଭଳି ତୁଳନାକୁ କିନ୍ତୁ ନାପସନ୍ଦ କରିଛନ୍ତି ୨୫ ବର୍ଷୀୟ କେରଳୀ ତାରକା ସଞ୍ଜୁ। ‘ମୁଁ ନିଶ୍ଚିତ ଯେ କେ‌ହି ବି ଧୋନିଙ୍କ ଭଳି ଖେଳିପାରିବେ ନାହିଁ, କି କେହି ମଧ୍ୟ ତାଙ୍କ ଭଳି ଖେଳିବା ଲାଗି ଚେଷ୍ଟା କରିବା ଉଚିତ ନୁହେଁ। ଧୋନିଙ୍କ ଭଳି ଖେଳିବା ଏତେ ସହଜ ନୁହେଁ। ତେଣୁ ଏହି ତୁଳନାକୁ ପଛକୁ ରଖାଯାଉ। ମୁଁ ମଧ୍ୟ ତାଙ୍କ ଭଳି ‌ଖେଳିବା କଥା କେବେ ଚିନ୍ତା କରିନାହିଁ। ସେ ଭାରତୀୟ କ୍ରିକେଟ୍‌ର ଜଣେ କିଂବଦନ୍ତି ବ୍ୟକ୍ତି ଏବଂ କ୍ରିକେଟ୍‌ ଖେଳର କିଂବଦନ୍ତି।’ ବୋଲି ସଞ୍ଜୁ ପ୍ରକାଶ କରିଛନ୍ତି। ମୁଁ କେବଳ ମୋ ଖେଳ ଉପରେ ଏକାଗ୍ରତା ରକ୍ଷା କରୁଛୁ, ନିଜେ କ’ଣ କରିପାରିବି, ଶ୍ରେଷ୍ଠ କରିବି ଏବଂ କେତେ ମ୍ୟାଚ୍‌ ଜିତିପାରିବି ଦେଖୁଛି। ଶଶୀ ଥରୁରଙ୍କ ମନ୍ତବ୍ୟ ପରେ ଭାଜପା ସାଂସଦ ଗୌତମ ଗମ୍ଭୀର ମଧ୍ୟ ଧୋନିଙ୍କ ସହ ସଞ୍ଜୁ ସାମସନ୍‌ଙ୍କ ତୁଳନାକୁ ନାପସନ୍ଦ କରିଛନ୍ତି।

ଆଉ ୧୦/୧୨ ବର୍ଷ କ୍ରିକେଟ୍ ଖେଳିବା ବିଷୟରେ ସେ ଚିନ୍ତା କରୁଛନ୍ତି। ରାଜସ୍ଥାନ ରୟାଲ୍‌ସର ଅଂଶବିଶେଷ‌ ହୋଇଥିବାରୁ ନିଜକୁ ଗର୍ବିତ ମନେ କରୁଛନ୍ତି ବୋଲି ମଧ୍ୟ ସାମସନ୍ କହିଥିଲେ। ଦଳ ଭିତରେ ମୋ ଚାରି ପାଖରେ ବହୁ ଭଲ ବ୍ୟକ୍ତି ତଥା ଭଲ ମଣିଷ ଅଛନ୍ତି। ଭବିଷ୍ୟତ ବିଷୟରେ ଗଭୀର ଭାବେ ଚିନ୍ତା କରିବାର ସୁଯୋଗ ମିଳୁଛି। ମୁଁ ଏବେ ମୋ ‌ଖେଳକୁ ଭଲ ଭାବେ ବୁଝି ପାରିଛି, ପାୱାର ହିଟିଂକୁ ସାମର୍ଥ୍ୟ ବନାଇବା ଉପରେ ଧ୍ୟାନ ‌ଦେଇଛି ବୋଲି ସଞ୍ଜୁ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର