ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭାଙ୍କୁ ଦୁଷ୍କର୍ମ କରିବ‌ାର ଧମକ ଦିଆଯାଇଥିବା କଥା ଧୋନିଙ୍କ ପ୍ରଶଂସକଙ୍କୁ ଆଦୌ ପସନ୍ଦ ଆସିନି। ସୋସିଆଲ୍‌ ମିଡିଆରେ ଧୋନିଙ୍କ ପ୍ରଶଂସକମାନେ ଏହି ଦୁଷ୍କର୍ମ ଧମକକୁ ବିରୋଧ କରିଥିବା ବେଳେ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କ୍ରିକେଟର୍‌ ଇ‌ର୍ଫାନ ପଠାନ୍‌ ଓ ପୂର୍ବତନ କ୍ରିକେଟର ପ୍ରଜ୍ଞାନ ଓଝା।

Advertisment

ଜଣେ ଶିଶୁ ପ୍ରତି ଏପରି ଅଶ୍ଳୀଳ ମନ୍ତବ୍ୟ ଦିଆଯାଉଥିବା ଦେଖି ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଟ୍ୱିଟରରେ ଏଭଳି ଲୋକଙ୍କ ମାନସିକତାକୁ ନିନ୍ଦା କରି କହିଛନ୍ତି ଯେ ପିଲାଙ୍କ ପ୍ରତି ଏପରି ଧମକପୂର୍ଣ୍ଣ ମନ୍ତବ୍ୟ ଦେବାର ଅଧିକାର କାହାର ବି ନାହିଁ।  ସେ ଟ୍ୱିଟ୍ କରି କହିଛନ୍ତି, “ସମସ୍ତ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଉଛନ୍ତି, ବେଳେବେଳେ ଏହା କାମ କରେ ନାହିଁ। କିନ୍ତୁ ଏହାକୁ ନେଇ ଏକ ଶିଶୁକୁ ଧମକ ଦିଆଯିବାର ଅଧିକାର କାହାର ବି ନାହିଁ।’’

ସେହିପରି ପୂର୍ବତନ ଭାରତୀୟ କ୍ରିକେଟର ପ୍ରଜ୍ଞାନ ଓଝା କହିଛନ୍ତି, ଧୋନିଙ୍କ ଭଳି ଜଣେ କ୍ରିକେଟରଙ୍କ ପରିବାରକୁ ଏଭଳି ଧମକ ଦେବା ଅତ୍ୟନ୍ତ ନିନ୍ଦନୀୟ। କିଛି ଲୋକ ସେମାନଙ୍କ ସୀମା ଟପୁଛନ୍ତି। ସୋସିଆଲ୍ ମିଡିଆରେ ଏପରି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ। ତୁରନ୍ତ ଏଭଳି ନୀଚ୍ଚମାନସିକତା ସଂପନ୍ନ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।

ସିଏସକେ କୋଲକାତା ନାଇଟ୍ ରାଇଡର୍ସ(କେକେଆର)ଠାରୁ ଆଇପିଏଲ ମ୍ୟ‌ାଚ ହାରିବା ପରେ ଧୋନିଙ୍କ ଝିଅଙ୍କୁ ଏଭଳି ଧମକ ମିଳିବା ଆରମ୍ଭ ହୋଇଛି। ଧୋନୀ ଏବଂ ତାଙ୍କ ପତ୍ନୀ ସାକ୍ଷୀଙ୍କୁ ଇନଷ୍ଟାଗ୍ରାମରୁ ଏଭଳି ଧମକ ମିଳୁଛି।

ଉଲ୍ଲେଖଯୋଗ୍ୟ, କେକେଆର ବିପକ୍ଷ ମ୍ୟାଚରେ ସିଏସକେ ୧୬୮ରନ୍ ଟାର୍ଗେଟରେ ପହଞ୍ଚିବାରେ ବିଫଳ ହୋଇ ଖେଳକୁ ୧୦ ରନ୍ ରେ ହାରିଯାଇଥିଲା । ଧୋନୀ ୧୨ଟି ବଲରେ ମାତ୍ର ୧୧ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ। ସିଏସକେ ୬ ଟି ଆଇପିଏଲ ୨୦୨୦ ଖେଳ ମଧ୍ୟରୁ ୪ଟି ହାରିସାରିଛି।