ଶେଷାର୍ଦ୍ଧରେ ବିଶ୍ବସ୍ତରୀୟ, ଈଶାନ୍ତଙ୍କ ଭଳି ଉନ୍ନତି କେହି କରି ନାହାନ୍ତି

ଭୁବନେଶ୍ବର(ଇମିସ/କ୍ରିକ୍‌ଇନ୍‌ଫୋ): ସାମ୍ପ୍ରତିକ ଅନିଶ୍ଚିତତାର ସମୟ ଲାଗି ନ ରହିଲେ ଆସନ୍ତା ଅଷ୍ଟ୍ରେଲିଆ ଗସ୍ତରେ ଈଶାନ୍ତ ଶର୍ମା (ତୃତୀୟ ଟେଷ୍ଟ) ତାଙ୍କ ୧୦୦ତମ‌ ଟେଷ୍ଟ୍‌ ଖେଳିପାରନ୍ତି। ଏ କ୍ଷେତ୍ରରେ ସେ ଦ୍ବିତୀୟ ଭାରତୀୟ ପେସ୍‌ ବୋଲର ହେବେ। ମୋଟ ଉପରେ ସେ ଏକାଦଶ ସ୍ଥାନରେ (ଜ୍ୟାକ୍ କାଲିସଙ୍କ ବିନା ସମସ୍ତ ସିମ୍ ବୋଲିଂ ଅଲରାଉଣ୍ଡରଙ୍କୁ ନେଇ, କାରଣ କାଲିସ ବୋଲର ବିନା ଅଧିକ ବ୍ୟାଟ୍‌ସମ୍ୟାନ୍‌) ରହିବେ ୧୦୦ ଟେଷ୍ଟ୍ ମ୍ୟାଚ୍‌ ମାଇଲଖୁଣ୍ଟ୍‌ ଛୁଇଁବାରେ। ବର୍ତମାନ ଈଶାନ୍ତଙ୍କ ହାରାହାରି ୩୨.୩୯ ରହିଛି। ଉପରୋକ୍ତ ୧୧ ଜଣଙ୍କ ମଧ୍ୟରେ ସବୁଠୁ ଖରାପ, ଅନ୍ୟମାନେ ସମସ୍ତେ ୩୦ ତଳେ ହାରାହାରିକୁ ରଖିଛନ୍ତି। କିନ୍ତୁ ଅବସର ବେଳକୁ ଜାହିର ଖାନ୍‌ ୩୨.୯୪ ରଖିଥିବାରୁ ଈଶାନ୍ତଙ୍କ ପାଇଁ ଏହା ସମ୍ମାନଜନକ ହାରାହାରିର କାରଣ କୁହାଯାଇପାରିବ।

ଈଶାନ୍ତଙ୍କ ଖେଳ ଜୀବନକୁ ଭାଗ ଭାଗ କରି ଦେଖିଲେ ଏହି ଦିଲ୍ଲୀ ତାରକାଙ୍କ ପ୍ରଦର୍ଶନ ଭିନ୍ନ କାହାଣୀର ଅବତାରଣା କରୁଛି। ୨୦୧୬ ଜୁଲାଇରେ ଖେଳିଥିବା ୭୦ତମ ଟେଷ୍ଟ୍‌ ବେଳକୁ ତାଙ୍କ ହାର (୩୭.୦୫) ମଧ୍ୟମ ଧରଣର ଥିଲା। ମାତ୍ର ୨ ଜଣ ଖେଳାଳି ଅନ୍ୟୁନ ୧୭୫୦ ବଲ୍‌ ବୋଲିଂ କରିଥିବା ବେଳକୁ ଖରାପ ହାରାହାରି ରଖିଥିଲେ। କିନ୍ତୁ ଉଭୟ ସ୍ପେଶାଲିଷ୍ଟ୍ ବୋଲର ନଥିଲେ। କାର୍ଲ ହୁପର ୧୦୨ ମ୍ୟାଚ୍‌ରୁ ୪୯.୪୨ ଏବଂ ରବି ଶାସ୍ତ୍ରୀ ୮୦ ଟେଷ୍ଟ୍‌ରୁ ୪୦.୯୬ ହାରରେ ରହିଥିଲେ। ଉଭୟ କିନ୍ତୁ ବ୍ୟାଟିଂରେ ୩୫ ରନ୍‌ ହାରାହାରିଠାରୁ ଉପରେ ରହିଥିଲେ, ଯେ‌ତେବେଳେ କି ଈଶାନ୍ତଙ୍କ ବ୍ୟାଟିଂ ହାରାହରି ୮.୩୭ ରହିଛି।

ଲମ୍ବା ସମୟ ଧରି ଖରାପ ପ୍ରଦର୍ଶନ କରିବା ପରେ ସଫଳତା ଧାରାକୁ ଫେରିବା ଜଣେ ବୋଲର ପାଇଁ ନିଶ୍ଚିତ ଭାବେ ବିରଳ କଥା। ଅଧିକାଂଶ ସମୟରେ ଚୟନକର୍ତାମାନେ ଧୈର୍ଯ୍ୟ ଓ ବିଶ୍ବାସ ହରାଇଥାନ୍ତି ଏବଂ ଅନ୍ୟ ବିକଳ୍ପ ଦେଖିଥା’ନ୍ତି। ସେ ଦୃଷ୍ଟିରୁ ଦେଖିଲେ ବିଭିନ୍ନ ଚୟନ ସମିତି ପ୍ୟାନେଲକୁ ଶ୍ରେୟ ମିଳିବ ଈଶାନ୍ତଙ୍କ ଉପରେ ଭରସା ରଖିଥିବାରୁ। ନିଜ ଖେଳ ଜୀବନର ଦ୍ବିତୀୟାର୍ଧରେ ଈଶାନ୍ତ ‌ସେସବୁ ଚୟନକର୍ତାଙ୍କ ବିଶ୍ବାସର ମୂଲ୍ୟ ଦେଇଛନ୍ତି। ତାଙ୍କ ‌ଖେଳ ଜୀବନକୁ ଯଦି ଭାଗ ଭାଗ କରି ଦେଖିବା ତାଙ୍କ ହାରାହାରି ଏହାର ପ୍ରମାଣ ଦେଉଛି। ପ୍ରଥମାର୍ଧରେ‌ ସେ ୪୮ ଟେଷ୍ଟ୍‌ରୁ ୩୮.୪୪ ଓ ଦ୍ବିତୀୟାର୍ଧରେ ୪୯ ଟେଷ୍ଟ୍‌ରୁ ୨୭.୨୧ ହାରରେ ୱିକେଟ୍‌ ନେଇଛନ୍ତି। ଯାହା ଦର୍ଶାଉଛି ସେ ୨୯ ପ୍ରତିଶତ ଉନ୍ନତି କରିଛନ୍ତି। ଅନ୍ୟୁନ ୬୦ ଟେଷ୍ଟ୍‌ ଓ ୨୦୦ରୁ ଊର୍ଧ୍ବ ୱିକେଟ୍ ନେଇଥିବା ଖେଳାଳିଙ୍କୁ ବାଛିଲେ ୬୦ ଜଣ ଆସୁଛନ୍ତି। କୌଣସି ଜଣେ ହେଲେ ବୋଲର ଏତେ ପ୍ରତିଶତ ଉନ୍ନତି କରିଥିବାର ପ୍ରମାଣ ନାହିଁ। ଏହି ତାଲିକାରେ ପରବର୍ତୀ ୨ ସ୍ଥାନରେ ଆସୁଛନ୍ତି ଜେମ୍ସ ଆଣ୍ଡରସନ୍‌ ଏବଂ ରିଚାର୍ଡ ହାଡଲି। ଉଭୟ ଉତ୍କର୍ଷ ପ୍ରଦର୍ଶନ ଦେବାରେ ଉଲ୍ଲେଖନୀୟ ରହିଛନ୍ତି। ବୟସ ବଢ଼ିବା ସହିତ ଗତି କମିଥିଲେ ମଧ୍ୟ ଅଭିଜ୍ଞତା ଅର୍ଜନରୁ ଏମାନଙ୍କୁ ଫାଇଦା ମିଳିଛି। ଆଣ୍ଡରସନଙ୍କ ହାରାହାରି ୩୦.୭୪ରୁ ୨୩.୨୮କୁ ବଢ଼ିଥିଲା। କିନ୍ତୁ ପ୍ରଥମରୁ ଶୀର୍ଷଭାଗରେ ରହିଥିବା ହାଡ୍‌ଲିଙ୍କ ହାରାହାରି ୨୫.୫୪ରୁ ଅଧିକ ଉଲ୍ଲେଖନୀୟ ଭାବେ ୧୯.୬୨ରେ ପହଞ୍ଚିଥିଲା। ଦୁଇ ଅର୍ଧେକର ଉନ୍ନତି ପ୍ରତିଶତ ଶୀର୍ଷ ୧୦ ମଧ୍ୟରେ ଦୁଇ ଜଣ ଉଚ୍ଚମାନର ଅଲ୍‌ରାଉଣ୍ଡର୍‌ ବି ଥିଲେ। ସେମାନେ ହେଲେ ପାକିସ୍ତାନର ଇମ୍ରାନ୍ ଖାନ୍ (୨୪.୭୪ରୁ ୨୦.୫୫) ଏବଂ ନ୍ୟୁଜିଲାଣ୍ଡ୍ରର କ୍ରିସ୍ କେର୍ଣ୍ଣସ (୩୨.୩୪ରୁ ୨୭.୦୫)।

ବୋଲରଙ୍କ ଉନ୍ନତିର ଉଜ୍ବଳ ଉଦାହରଣକୁ ଛାଡ଼ି ଦେଖିଲେ ଏମିତି କିଛି ବୋଲର ମଧ୍ୟ ରହିଥିଲେ ଯେଉଁମାନେ ପ୍ରଥମାର୍ଧରେ ଭଲ କରିଥିଲେ ମଧ୍ୟ ଦ୍ବିତୀୟାର୍ଧରେ ପଛରେ ପଡ଼ିଯାଇଥିଲେ। ଉଦାହରଣ ଭାବେ ଦେଖନ୍ତୁ ଅଶି ଦଶକର ତାରକା ଅଲରାଉଣ୍ଡର୍‌ ଇଆନ୍ ବୋଥାମଙ୍କୁ। ତାଙ୍କ ସମ୍ପୂର୍ଣ୍ଣ ଖେଳ ଜୀବନର ବୋଲିଂ ହାରାହାରି ଚମତ୍କାର ଭାବେ ୨୮.୪ ରହିଛି। କିନ୍ତୁ ତାଙ୍କ ଶେଷ ୫୧ ଟେଷ୍ଟ୍‌ ବୋଲିଂ ହାରାହାରି ୩୬.୫୧ ହାରରେ ଅତି ଦୁର୍ବଳ ଥିଲା। ଏହି ସମୟରେ ସେ ଟେଷ୍ଟ୍ ପିଛା ମାତ୍ର ୩ ୱିକେଟ୍ କରି ମୋଟ ୧୫୨ ୱିକେଟ୍ ନେଇଥିଲେ। ଏହି ମହାନ ଅଲରାଉଣ୍ଡର୍‌ କିନ୍ତୁ ନିଜର ପ୍ରଥମ ୫୧ ଟେଷ୍ଟ୍‌ରେ ୨୩.୦୬ ହାରରେ ନେଇଥିଲେ ୨୩୧ ୱିକେଟ୍‌। ଯାହାକି ୬୦ ପ୍ରତିଶତ ଫରକ ଦର୍ଶାଉଛି। ଈଶାନ୍ତଙ୍କ ଖେଳ ଜୀବନର ସାରଣୀର ଏହା ଠିକ୍ ବିପରୀତ। ବୋଥାମଙ୍କ ଭଳି କପିଳ ଦେବଙ୍କ ସଂଖ୍ୟା ମଧ୍ୟ ଦ୍ବିତୀୟାର୍ଧରେ ସଂଘର୍ଷମୟ ଥିଲା। ସେ ୨୮.୦୭ ହାରାହାରିରୁ ୩୧.୮୦କୁ ଖସି ଆସିଥିଲେ। ଅବଶ୍ୟ ୱିକେଟ୍ ସଂଖ୍ୟା ୨୫୧ରୁ ୧୮୩କୁ କମିଥିଲା।

ଏଭଳି କିଛି ବୋଲର ମଧ୍ୟ ଥିଲେ ଯେଉଁମାନଙ୍କ ଖେଳ ଜୀବନର ପ୍ରଥମାର୍ଧ ଓ ଦ୍ବିତୀୟାର୍ଧ ମଧ୍ୟରେ ବିଶେଷ ଫରକ ନଥିଲା। ପାର୍ଶ୍ବରେ ପ୍ରଦତ୍ତ ୯ ବୋଲରଙ୍କ ତାଲିକା ଦେଖନ୍ତୁ‌, ସେମାନଙ୍କ ଖେଳ ଜୀବନର ଉଭୟାର୍ଧ ମଧ୍ୟରେ ମାତ୍ର ୨.୫ ପ୍ରତିଶତ ଫରକ ପ୍ରତିଫଳିତ ହୋଇଥିଲା। ସେମାନଙ୍କ ମଧ୍ୟରୁ କିଛି ବୋଲର ମଧ୍ୟ ଲମ୍ବା ଖେଳ ଜୀବନ ରଖିଥିଲେ। ଦୁଇ ଜଣ ବୋଲରଙ୍କ ମଧ୍ୟରେ ସବୁଠୁ କମ୍‌ ଫରକ ରହିଥିଲା ସେମାନେ ହେଲେ ସେନ୍ ୱର୍ନ (୦.୪୧) ଏବଂ ବିଶନ ସିଂ ବେଦୀ (-୦.୨୪)। ୱର୍ନ ପ୍ରଥମାର୍ଧରେ ଏବଂ ବେଦୀ ଦ୍ବିତୀୟାର୍ଧରେ ସାମାନ୍ୟ ଉନ୍ନତ ବୋଲିଂ କରିଥିଲେ। ଉଭୟଙ୍କ ମଧ୍ୟରେ ଫରକ ୦.୫ ପ୍ରତିଶତଠାରୁ ବି କମ୍‌ ଥିଲା।

ଈଶାନ୍ତଙ୍କ ପାଖକୁ ଫେରିଲେ ଦେଖିବା ସେ ଦ୍ବିତୀୟାର୍ଧରେ ବଡ଼ ଉତ୍‌ଥାନର ପ୍ରମାଣ ରଖିଛନ୍ତି। ଏପରିକି ତାଙ୍କ ଖେଳ ଜୀବନକୁ ୩ ଭାଗ କରି ଦେଖିଲେ ତୃତୀୟଟିରେ ସେ ଚମତ୍କାର ଖେଳିଛନ୍ତି। ୨୦୧୫ ମସିହାଠାରୁ ଖେଳିଥିବା ଶେଷ ୩୩ ଟେଷ୍ଟ୍‌ରେ ସେ ୨୨.୯୦ ହାରରେ ଏବଂ ୨୦୧୮ ପ୍ରାରମ୍ଭରୁ ଖେଳିଥିବା ୧୮ ଟେଷ୍ଟ୍‌ରେ ଉନ୍ନତ ଭାବେ ୧୯.୧୪ ହାରରେ ବୋଲିଂ କରିଛନ୍ତି। ସମାନ ଢଙ୍ଗରେ ତୁଳନା କଲେ ଯଦି ଆମେ ଦେଖିବା ପ୍ରଥମ ଦୁଇ ତୃତୀୟାଂଶ ତୁଳନାରେ ଶେଷ ତୃତୀୟାଂଶରେ ଈଶାନ୍ତଙ୍କ ଉନ୍ନତି ସବୁଠୁ ଉଲ୍ଲେଖନୀୟ ଭାବେ ୩୯ ପ୍ରତିଶତ ଦର୍ଶାଉଛି। ଯାହାକୁ ଅନ୍ୟୁନ ୬୦ ଟେଷ୍ଟ୍‌ ଓ ୨୦୦ ୱିକେଟ୍ କ୍ଲବ୍ ବୋଲରଙ୍କ ମଧ୍ୟରେ ଶ୍ରେଷ୍ଠ। ଆଣ୍ଡରସନ୍‌ (୨୯ %) ଦ୍ବିତୀୟ ସ୍ଥାନରେ ରହିଛନ୍ତି। ମିଚେଲ୍ ଜନ୍‌ସନ୍‌, ମର୍ନି ମର୍କେଲ, ଟିମ୍ ସାଉଦି ମଧ୍ୟ ନିଜ ନିଜ ଖେଳ ଜୀବନର ଶେଷ ତୃତୀୟାଂଶରେ ମଧ୍ୟ ଉନ୍ନତ କରିଛନ୍ତି। ଏମାନଙ୍କ ଉନ୍ନତି ହାର ୩୦ରୁ ୨୫ ତଳକୁ ଆସିପାରିଛି। ଈଶାନ୍ତଙ୍କ ବୋଲିଂ ଗ୍ରାଫ୍‌ ବିଗତ କିଛି ବର୍ଷ ହେବ ଆକାଶମୁହାଁ ହୋଇଛି। ୨୦୧୭ ବର୍ଷ ଶେଷ ଆଡକୁ ୩୬.୫୫ ହାରରେ ଥିବା ଏହି ଲମ୍ବା ଚେହେରା ବୋଲରଙ୍କ ହାର ୩୨.୩୯କୁ ଉନ୍ନତି କରିଛି। ଏହା ମଧ୍ୟ ଉନ୍ନତିର ଲକ୍ଷଣ ଦେଖାଇଛି। ଖେଳ ଜୀବନର ଶେଷ ଭାଗରେ ଏଭଳି ଉନ୍ନତି କରିବାରେ ସେ ବିରଳ‌ ବୋଲର‌ ହେବାକୁ ଯାଉଛନ୍ତି। କିନ୍ତୁ ଈଶାନ୍ତଙ୍କ ଖେଳ ଜୀବନ ଜାରି ରହିଥିବାରୁ ଅବସର ବେଳକୁ ଏହା ଭଲ କିମ୍ବା ଖରାପରେ ଶେଷ ହେବାର ସମ୍ଭାବନା/ଆଶଙ୍କା ରଖିଛି। କିନ୍ତୁ ଅଧିକାଂଶ ବୋଲର ଅବସର ବେଳକୁ ପ୍ରାରମ୍ଭିକ ଦିନଠାରୁ ଖରାପରେ ଥିବାରୁ ଈଶାନ୍ତ ସବୁଠୁ ଉନ୍ନତି କରିଥିବାର ଢେର ସଂଖ୍ୟା ଛାଡ଼ିସାରିଛନ୍ତି।

ସମ୍ବନ୍ଧିତ ଖବର