ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଆଗାମୀ ଓ୍ବେଷ୍ଟ ଇଣ୍ଡିଜ୍ ଗସ୍ତ  ପାଇଁ ଷ୍ଟାର ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିବାରୁ ତାହାର ସମାଲୋଚନା କରିଛନ୍ତି ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ।

Advertisment

ଏକ ଟୁଇଟ କରି ସେ କହିଛନ୍ତି ଯେ ଖେଳାଳୀମାନଙ୍କୁ ବିଶ୍ରାମ ଦେଲେ ସେମାନଙ୍କ ଫର୍ମ ଫେରିଆସିବ ନାହିଁ ।

ଭାରତୀୟ ଦଳ ଏବେ ନିଜର ଦୁଇ ପ୍ରମୁଖ ବ୍ୟାଟ୍ସମ୍ୟାନ ବିରାଟ ଓ ରୋହିତଙ୍କ ଖରାପ ଫର୍ମକୁ ନେଇ ସଂଘର୍ଷ କରୁଛି । ବିଶେଷକରି କୋହଲିଙ୍କ ଖରାପ ଫର୍ମ ଗତ ବର୍ଷଠାରୁ ଜାରି ରହିଛି । ନିକଟରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ କୋହଲି ପ୍ରଥମ ଇନିଂସରେ ୧୧ ଓ ୨ୟ ଇନିଂସରେ ୨୦ ରନ କରିଥିଲେ । ଏହି ମ୍ୟାଚରେ ଭାରତ ହାରିଯାଇଥିଲା ।

ସୂଚନାଯୋଗ୍ୟ ଯେ ଆଜି ବିସିସିଆଇପକ୍ଷରୁ ଓ୍ବେଷ୍ଟ ଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଗସ୍ତରେ ଭାରତ ୩ଟି ଦିନିକିଆ ଓ ୫ଟି ଟି-୨୦ ଖେଳିବ । ଏହି ଗସ୍ତ ପାଇଁ ଶିଖର ଧଓ୍ବନଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିବାବେଳେ ରବୀନ୍ଦ୍ର ଜାଦେଜାଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି ।

ଏହି ଗସ୍ତ ପାଇଁ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା, ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା,ମହମ୍ମଦ ସମ୍ମୀଙ୍କୁ ବିଶ୍ରାମ ଦିଆଯାଇଛି । କେ.ଏଲ. ରାହୁଲ ଆହତ ଜନିତ କାରଣ ପାଇଁ ବାଦ ପଡ଼ିଛନ୍ତି ।