ଆଉ ଜଣେ ଗାଭାସ୍କର କି ସଚିନ ମିଳିବେନି: ମିଆଁଦାଦ

ନୂଆଦିଲ୍ଲୀ: ୧୯୮୭ ମସିହାରେ ସୁନିଲ ଗାଭାସ୍କର ଅବସର ନେବା ପରେ ଭାରତୀୟ କ୍ରି‌କେଟ୍ ପ୍ରଶଂସକମାନେ ସେମାନଙ୍କ ଆଦର୍ଶଠାରୁ ଦୂରେଇ ଯିବାର ଡର ପାଇଥିଲେ। ବିଶ୍ବର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍ ସମସ୍ତଙ୍କ ମନରୁ ହଜିଯିବେ ବୋଲି ଆଶଙ୍କା କରିଥିଲେ। କିନ୍ତୁ ୨ ବର୍ଷ ପରେ ସଚିନ ତେନ୍ଦୁଲକରଙ୍କ ଆବିର୍ଭାବ ହୋଇଥିଲା। ୧୯୮୯ରେ ପଦାର୍ପଣ କରିବା ପରେ ନବେ ଦଶକରେ ନିଜ ଉପସ୍ଥିତିକୁ ସଚିନ ଜାହ‌ିର କରିଥିଲେ। ପରବର୍ତୀ ଦଶନ୍ଧିରେ ସେ କିନ୍ତୁ ବିଶ୍ବ କ୍ରିକେଟ୍‌ରେ ରାଜ୍‌ କରିଥିଲେ। ନିଜ ଷ୍ଟ୍ରୋକ୍‌ପ୍ଲେ ଖେଳ ଜରିଆରେ ପ୍ରଶଂସକଙ୍କ ହୃଦୟ ଜିତିବା ସହ ଅନେକ କୀର୍ତ୍ତିମାନକୁ ନିଜ ନାମରେ‌ ଲେଖି ନେଇଥିଲେ। ୨୦୧୩ ମସିହାରେ ସଚିନ ଅବସର ନେବା ପରେ ସମାନ ଡର ଘାରିଥିଲା। କିନ୍ତୁ ଗାଭାସ୍କରଙ୍କ ଅବସର ଭଳି ସଚିନଙ୍କ ଅବସର ବେଳକୁ ସେଭଳି ଗଭୀରତାର ଡର ପ୍ରଶଂସକଙ୍କ ମନରେ ନ ଥିଲା। ଭାରତକୁ ସେତେବେଳକୁ ବିରାଟ କୋହଲିଙ୍କ ଆବିର୍ଭାବ ଘଟି ସାରିଥିଲା। ବର୍ତମାନ ବିଶ୍ବ କ୍ରିକେଟ୍‌ରେ ବିରାଟ କୋହଲି ରାଜ୍‌ କରୁଛନ୍ତି ଏବଂ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍ ବିବେଚିତ ଅଛନ୍ତି। ସ୍ବାଭାବିକ ଭାବେ ଗାଭାସ୍କରଙ୍କ ସହ ତେନ୍ଦୁଲକରଙ୍କୁ ତୁଳନା କରାଯାଉଥିଲା। ଏବେ କୋହଲିଙ୍କୁ ପରବର୍ତୀ ତେନ୍ଦୁଲକର ବିବେଚନା କରାଯାଉଛି।

ପାକିସ୍ତାନୀ କିଂବଦନ୍ତି ଜାଭେଦ ମିଆଁଦାଦ କିନ୍ତୁ ଅଲଗା ଅଲଗା ପିଢ଼ିର ଖେଳାଳିଙ୍କ ମଧ୍ୟରେ ତୁଳନାକୁ ପସନ୍ଦ କରିନାହାନ୍ତି। ଏଭଳି ତୁଳନା ‌ଅଯୌକ୍ତିକ ବୋଲି ମିଆଁଦାଦ କହିଛନ୍ତି। ସୋମବାର ଏକ ୟୁଟ୍ୟୁବ୍‌ ଭିଡିଓରେ ପୂର୍ବତନ ପାକିସ୍ତାନ ବ୍ୟାଟସମ୍ୟାନ୍‌ ଅମିର ସୋହେଲ ବିରାଟ କୋହଲି ଏବଂ ଜାଭେଦ ମିଆଁଦାଦଙ୍କ ମଧ୍ୟରେ ତୁଳନା କରିଥିଲେ। ଉଭୟ କିଭଳି ନିଜ ନିଜ ଦଳର ସାଥୀ ‌ଖେଳାଳିଙ୍କୁ ପ୍ରେରିତ କରି ମହାନ ବନିଥିଲେ ଦର୍ଶାଇଥିଲେ। ମିଆଁଦାଦ କିନ୍ତୁ ନିଜ ପିଢ଼ି ସହ ଆଧୁନିକ ଯୁଗ କ୍ରିକେଟରଙ୍କ ତୁଳନା ସପକ୍ଷରେ ନାହାନ୍ତି। ଆମ ସମୟରେ ରନ୍‌ ସଂଗ୍ରହ କରିବା ଏତେ ସହଜ ନ ଥିଲା। ଆପଣ ଯଦି ଗଳକନ୍ଦି ଲଢ଼େଇ ମନୋଭାବ ବିଷୟରେ ଆଲୋଚନା କରୁଛନ୍ତି ତେବେ ମୁଁ ଆମ ପିଢ଼ିର କାହାରି ସହ ତୁଳନା କରିବି ନାହିଁ। ଆଉ ଜଣେ ଲେଖାଏଁ ସୁନିଲ ଗାଭାସ୍କର କିମ୍ବା ସଚିନ ତେନ୍ଦୁଲକର ବାହାର କରିବା କଷ୍ଟକର ହେବ। କାରଣ ଏମାନେ ଭିନ୍ନ ଶ୍ରେଣୀର କ୍ରିକେଟର୍‌ ଥିଲେ। ଅପଣ ଜଣେ କାହାକୁ ଆଦର୍ଶ ମାନିପାରନ୍ତି କିନ୍ତୁ ତାଙ୍କ ଗୁଣବତ୍ତା କି ଉଚ୍ଚଶ୍ରେଣୀକୁ ବଦଳାଇ ଦେଇପାରିବେ ନାହିଁ ବୋଲି ମିଆଁଦାଦ ପ୍ରକାଶ କରିଛନ୍ତି।

ମିଆଁଦାଦ ପାକିସ୍ତାନ ପାଇଁ ୧୨୪ ଟେଷ୍ଟ୍‌ ଓ ୨୩୩ ଦିନିକିଆ ଖେଳି ଯଥାକ୍ରମେ ୮୮୩୨ ଓ ୭୩୮୧ ରନ୍‌ କରିଥିଲେ। ଦୁଇ ଦଶନ୍ଧି ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ। ମୋ ସମୟରେ କ୍ରିକେଟ୍‌ ଅଧିକ କଷ୍ଟସାଧ୍ୟ ଥିଲା। ମାଲକମ ମାର୍ଶାଲ, ରିଚାର୍ଡ ହାଡଲି, ଡେନିସ୍ ଲିଲି, ଜେଫ ଥମ୍ପ୍‌ସନ୍‌ ପ୍ରମୁଖଙ୍କୁ ସମ୍ମୁଖୀନ ହେବାକୁ ପଡୁଥିଲା। ଏମାନେ ଏକ୍ସପ୍ରେସ୍‌ ପେସ୍‌ରେ ବୋଲିଂ କରୁଥିଲେ। ୱିକେଟ୍‌ ବି ବାଉଁସିୟର୍‌ ଓ ଫାଷ୍ଟର୍‌ ଥିଲା। ନିଜକୁ ପ୍ରମାଣିତ କରିବା ଲାଗି ଭିନ୍ନ ପରିବେଶରେ ଖାପ ଖୁଆଇବାକୁ ପଡୁଥିଲା ବୋଲି ମିଆଁଦାଦ ପ୍ରକାଶ କରିଥିଲେ। ଆଧୁନିକ କ୍ରିକେଟ୍‌ର ମହାନ ଖେଳାଳି ବିବେଚିତ ବିରାଟ କୋହଲି, ଷ୍ଟିଭେନ୍ ସ୍ମିଥ୍‌, କେନ୍ ୱିଲିୟମସନ୍‌, ଜୋ ରୁଟ୍‌, ବାବର ଆଜମଙ୍କ କଥା ପ୍ରଶ୍ନ ହେବାରୁ ମିଆଁଦାଦ ମଧ୍ୟ ନିଜ ଆଭିମୁଖ୍ୟ ଦୋହରାଇ ତୁଳନା କରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ। ୱିକେଟ୍‌ର ପ୍ରକୃତି ଓ ପରିସ୍ଥିତି ବଦଳୁଥିବାରୁ ଆପଣ କେବେ ବିରାଟ କୋହଲି କିମ୍ବା ଷ୍ଟିଭେନ୍ ସ୍ମିଥ୍ କିମ୍ବା ବାବର ଆଜମଙ୍କ ମଧ୍ୟରେ ତୁଳନା କରିପାରିବେ ନାହିଁ। ଏମାନେ ସଭିଏଁ ଭଲ, କିନ୍ତୁ ଭିନ୍ନ। ଯିଏ ଭିନ୍ନ ପରିସ୍ଥିତି, ପରିବେଶ ଓ ୱିକେଟ୍‌ରେ ସ୍ଥିର ପ୍ରଦର୍ଶନ ଦେବ ସେ ମହାନ ହୋଇପାରିବ’ ବୋଲି ମିଆଁଦାଦ ପ୍ରକାଶ କରିଥିଲେ। ସମସ୍ତ ୩ ଫର୍ମାଟରେ ସ୍ଥିର ପ୍ରଦର୍ଶନ ଦେଉଥିବାରୁ ବିରାଟ‌ କୋହଲିଙ୍କୁ କିନ୍ତୁ ମିଆଁଦାଦ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର