ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ମ୍ୟାଚ୍ ପାକିସ୍ତାନର ତିନୋଟି ସହର (ରାୱଲପିଣ୍ଡି, କରାଚୀ ଏବଂ ଲାହୋର) ଏବଂ ଦୁବାଇରେ 'ହାଇବ୍ରିଡ୍ ମଡେଲ୍'ରେ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟ ଫେବ୍ରୁଆରି ୧୯ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ଏହି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆୟୋଜକ ପାକିସ୍ତାନର ନାମ ଏଥର ଭାରତୀୟ କ୍ରିକେଟ ଦଳର ଜର୍ସିରେ ରହିବ ନାହିଁ ବୋଲି ଚର୍ଚ୍ଚା ହେଉଛି।
ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ଜଣେ ଅଧିକାରୀ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, "ଟିମ୍ ଇଣ୍ଡିଆର ଜର୍ସିରେ ପାକିସ୍ତାନର ନାମ ନଛାପି ବିସିସିଆଇ କ୍ରିକେଟରେ ରାଜନୀତି କରୁଛି। ପ୍ରଥମେ ସେମାନେ ପାକିସ୍ତାନ ଆସିବାକୁ ମନା କଲେ। ପରେ ଭାରତୀୟ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ପାଇଁ ଅଧିନାୟକଙ୍କ ବୈଠକରେ ଯୋଗ ଦେବାକୁ ରୋହିତ ଶର୍ମାଙ୍କୁ ପାକିସ୍ତାନ ପଠାଇବାକୁ ମନା କରିଦେଇଥିଲା। ଆଉ ଏବେ ସେମାନେ ଆୟୋଜକ ପାକିସ୍ତାନର ନାମ ଭାରତୀୟ ଟିମର ଜର୍ସିରେ ଛାପିବେ ନାହିଁ ବୋଲି ଚର୍ଚ୍ଚା ହେଉଛି। ଆମର ବିଶ୍ବାସ ଆଇସିସି ଏଭଳି ହେବାକୁ ଦେବ ନାହିଁ। ଏହା ଖେଳ ପାଇଁ ଠିକ୍ ନୁହେଁ।"
ବିସିସିଆଇ ପାକିସ୍ତାନକୁ ଭାରତୀୟ ଦଳ ପଠାଇବାକୁ ମନା କରିବା ପରେ ପିସିବି ଏବଂ ଆଇସିସି ହାଇବ୍ରିଡ୍-ମଡେଲ୍ ପାଇଁ ରାଜି ହୋଇଥିଲେ। କିନ୍ତୁ ଜର୍ସିରେ ଆୟୋଜକ ପାକିସ୍ତାନର ନାମ ଉଲ୍ଲେଖ ନକରିବା ନେଇ ଏବେ ଏକ ନୂତନ ବିବାଦ ଆରମ୍ଭ ହୋଇଛି।