ମୁମ୍ବାଇ : ଭାରତୀୟ ଦଳ ଅଧିନାୟକ ବିରାଟ କୋହଲିଙ୍କ ନାମରେ ଉଠିଥିବା ଅଭିଯୋଗକୁ ନେଇ ବିସିସିଆଇ ଉତ୍‌କ୍ଷିପ୍ତ ହୋଇଛି। ବିରାଟ କୋହଲିଙ୍କ ନାମରେ‌ କୌଣସି ଖେଳାଳି ଲିଖିତ କି ମୌଖିକ ଭାବେ ଅଭିଯୋଗ କରିନାହାନ୍ତି ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମାଲ ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି। କେତେକ ଖେଳାଳି କେଉଁଠି ବିସିସିଆଇ ସମ୍ପାଦକ ଜୟ ସାହଙ୍କୁ ଅଭିଯୋଗ କରିଥିଲେ ଏବଂ ଏହି କାରଣରୁ ସେ ଆଗାମୀ ବିଶ୍ବକପ୍‌ ପରେ ଟ୍ବେଣ୍ଟି-୨୦ ଦଳ ଅଧିନାୟକ ପଦ ତ୍ୟାଗ କରିବେ ବୋଲି ଘୋଷଣା କରିଥିବା କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବିସିସିଆଇ ଏବେ‌ ଏହାକୁ ଖଣ୍ଡନ କରିଛି। ବିସିସିଆଇ ପୁଣି ଥରେ ସ୍ପଷ୍ଟ କରିଛି ଟ୍ବେଣ୍ଟି-୨୦ ଜାତୀୟ ଦଳ ଅଧିନାୟକ ପଦରୁ କୋହଲିଙ୍କ ଇସ୍ତଫା ପ୍ରସଙ୍ଗ ସମ୍ପୂର୍ଣ୍ଣ ଭାବେ ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଏଥିରେ ବିସିସିଆଇର କୌଣସି ଭୂମିକା ନାହିଁ। କିଛି ଦିନ ତଳେ ପ୍ରକାଶିତ ଏକ ମିଡିଆ ରିପୋର୍ଟରେ ପ୍ରକାଶ ପାଇଥିଲା ବିରାଟ କୋହଲି କେଉଁଠି ଚୟନକର୍ତାମାନଙ୍କ ନିକଟରେ ଦାବି କରିଥ‌ିଲେ ରୋହିତ ଶର୍ମାଙ୍କୁ ସୀମିତ ଓଭର ଦଳର ଉପ ଅଧିନାୟକ ପଦରୁ ହଟାଯାଉ। ଏପରିକି ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେ ମିଳିତ ଭାବେ କୋହଲିଙ୍କ ସମ୍ପର୍କରେ ସାହାଙ୍କ ନିକଟରେ ଅଭିଯୋଗ କରିଥିଲେ। ସମସ୍ତ ଖବର କାଳ୍ପନିକ ଓ କଳ୍ପନା ପ୍ରସ୍ତୁତ ବୋଲି ଧୂମାଲ କହିଛନ୍ତି। ବିରାଟ କୋହଲି ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌, ‌ସେ ନିଜ ବ୍ୟାଟିଂ ଉପରେ ଅଧିକ ଏକାଗ୍ର ହେବାକୁ ଅଧିନାୟକ ପଦ ଛାଡୁଛନ୍ତି‌ ବୋଲି‌ ସେ କହିଛନ୍ତି। ଏଭଳି ପ୍ରକାର ଖବର ପ୍ରସାରଣ ଭାରତୀୟ କ୍ରିକେଟ ପାଇଁ କ୍ଷତିକାରକ। ବର୍ଷ ବର୍ଷ ଧରି ଭାରତୀୟ କ୍ରିକେଟକୁ ପିଛା କରୁଥିବା ଅନେକ ବରିଷ୍ଠ ସାମ୍ବାଦିକ ଏହାକୁ ଭଲ ଭାବେ ବୁଝିଛନ୍ତି ବୋଲି ଧୂମାଲ ପ୍ରକାଶ କରିଥିଲେ।