ଥମୁନି ବିବାଦ

କେହି ଫାଇନାଲ୍ ହାରି ନଥିଲେ, ତଥାପି ଜଣେ ବିଜେତା ହେଲା: ୱିଲିୟମସନ୍

ୱେଲିଂଟନ୍: ବିଶ୍ବକପ୍ ଫାଇନାଲରେ ଇଂଲଣ୍ଡକୁ ଡବଲ୍ ଟାଇ ପରେ ବାଉଣ୍ଡରି ଗଣନାରେ ବିଜେତା ଘୋଷଣା କରାଯିବା ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ଆଇସିସିର ଏହି ଅଜବ ନିୟମକୁ ବହୁ ପୂର୍ବତନ ଖେଳାଳି ଖୋଲା ସମାଲୋଚନା କରିବା ପରେ ଉପବିଜେତା ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ ମଧ୍ୟ ସ୍ବଦେଶ ପହଞ୍ଚିବା ପରେ ଏଥିନେଇ ଆଇସିସିକୁ କଟାକ୍ଷ କରିଛନ୍ତି। ଦୁଃଖ, ହତାଶା ଏବଂ ନିରାଶରେ ଭାଙ୍ଗି ପଡ଼ିଥିବା ୱିଲିୟମସନ୍ କହିଛନ୍ତି, ଖେଳ ଶେଷ ବେଳକୁ ଆମ ଭିତରେ କୌଣସି ପାର୍ଥକ୍ୟ ନଥିଲା। କେହି ଫାଇନାଲ୍ ହାରି ନଥିଲୁ। ହେଲେ ଜଣେ ବିଜେତା ଘୋଷିତ ହେଲା ଏବଂ ଏହା ହିଁ ଧୃବ ସତ୍ୟ। ସମ୍ମାନର ସହ ପରାଜୟକୁ ସ୍ବୀକାର କରିବା ନେଇ ଉଚ୍ଚ ପ୍ରଶଂସିତ ହୋଇଥିବା ୱିଲିୟମସନ୍ ଆହୁରି କହିଛନ୍ତି, ଏହି ବାଉଣ୍ଡରି ନିୟମ ନେଇ ମୋତେ ପ୍ରଶ୍ନ ହେବ ବୋଲି ମୁଁ କେବେ ବି ଭାବି ନଥିଲି। ଆପଣମାନେ ମଧ୍ୟ ଏହି ପ୍ରଶ୍ନ ପଚାରିବେ ବୋଲି କେବେ ବି ଚିନ୍ତା କରି ନଥିବେ। ଦୁଇଟି ଦଳ କଠିନ ପରିଶ୍ରମ କରିବା ପରେ ଜଣେ ଏଭଳି ଭାବେ ବିଶ୍ବକପ୍ ହାତଛଡ଼ା କରିବା ନିଶ୍ଚିତ କଷ୍ଟଦାୟକ। ବିଶ୍ବକପ୍ ବିଜେତା ଯେଉଁଭଳି ଭାବେ ବଛାହେଲା, ତାହା ଲଜ୍ଜାଜନକ। ମୁଁ ମ୍ୟାଚ୍ ଅଧିକାରୀଙ୍କୁ ବିଶ୍ବାସ କରି କୌଣସି ଅଭିଯୋଗ କଲିନି। ହେଲେ ସେତେବେଳେ ମୁଁ ପ୍ରଚଳିତ ନିୟମ ବିଷୟରେ ଜାଣି ନଥିଲି। ସୂଚନାଯୋଗ୍ୟ ଯେ ମ୍ୟାଚ୍ ଏବଂ ସୁପରଓଭର ଟାଇ ରହିବା ପରେ ଅଧିକ ବାଉଣ୍ଡରି ମାରିଥିବାରୁ ଇଂଲଣ୍ଡ (୨୬)କୁ ଫାଇନାଲର ବିଜୟୀ ଘୋଷଣା କରାଯାଇଥିଲା। ନ୍ୟୁଜିଲାଣ୍ଡ ୧୭ ବାଉଣ୍ଡରି ମାରିଥିବାରୁ ପୁଣି ଥରେ ଉପବି‌ଜେତାରେ ସନ୍ତୁଷ୍ଟ ରହିଥିଲା।
ଯୁଗ୍ମ ବିଜେତା ବିକଳ୍ପ ରଖିବାକୁ ଷ୍ଟେଡ୍‌ଙ୍କ ଆହ୍ବାନ
ନ୍ୟୁଜିଲାଣ୍ଡ ବିବାଦୀୟ ଢଙ୍ଗରେ ବିଶ୍ବକପ୍ ହାତଛଡ଼ା କରିବା ଏହି ଦଳର ପ୍ରଶିକ୍ଷକ ଗ୍ୟାରି ଷ୍ଟେଡ୍‌ଙ୍କୁ ମଧ୍ୟ ବହୁତ ବାଧିଛି। ଭାବବିହ୍ବଳ ଷ୍ଟେଡ୍ ବିଶ୍ବକପ୍‌ରେ ଯୁଗ୍ମ ବିଜେତାର ବିକଳ୍ପ ନିୟମ ରଖିବାକୁ ଆଇସିସିକୁ ଆହ୍ବାନ କରିଛନ୍ତି। ନ୍ୟୁଜିଲାଣ୍ଡର ବ୍ୟାଟିଂ ପ୍ରଶିକ୍ଷକ କ୍ରେଗ୍ ମ୍ୟାକମିଲାନ ମଧ୍ୟ ଷ୍ଟେଡଙ୍କ ସହ ଏକମତ ହୋଇଛନ୍ତି। ଉଭୟ ଦଳକୁ ଯୁଗ୍ମ ବିଜେତା କରାଯାଇଥିଲେ ଏହା ଅଧିକ ଗ୍ରହଣୀୟ ହୋଇଥାଆନ୍ତା। ସାତ ସପ୍ତାହର ଲଢ଼େଇ ପରେ ଯଦି ଦୁଇ ଦଳ ମଧ୍ୟରୁ ବିଜେତା ବାଛି ହେଉନି, ତେବେ ସୁପରଓଭର ପରେ ଯୁଗ୍ମ ବିଜେତା ଘୋଷଣା କରିବା ସବୁଠାରୁ ଭଲ ନିଷ୍ପତ୍ତି ହୋଇଥାଆନ୍ତା ବୋଲି ସେ କହିଛନ୍ତି।
ମୁହଁ ଖୋଲିଲା ଆଇସିସି
ଇଂଲଣ୍ଡ-ନ୍ୟୁଜିଲାଣ୍ଡ ବିଶ୍ବକପ୍ ଫାଇନାଲରେ ଇଂଲଣ୍ଡକୁ ଓଭର ଥ୍ରୋ’ରୁ ୪ ରନ୍ ମିଳିବା ନେଇ ସୃଷ୍ଟି ହୋଇଥିବା ବିବାଦ ସହ ବାଉଣ୍ଡରି ଗଣନାରେ ବିଜେତା ବଛା ହେବା ନେଇ ଆଇସିସି ପ୍ରଥମ ଥର ମୁହଁ ଖୋଲିଛି। ଓଭର ଥ୍ରୋ’ ବିବାଦର ଦୋଷ ଆଇସିସି ପଡ଼ିଆ ଅମ୍ପାୟାରଙ୍କ ଉପରେ ଲଦି ଦେଇଛି। ଆଇସିସି ପ୍ରବକ୍ତା କହିଛନ୍ତି, ଅମ୍ପାୟାର ନେଉଥିବା ନିଷ୍ପତ୍ତି ନେଇ ଆମେ କୌଣସି ପ୍ରତିକ୍ରିୟା ଦେଉନାହିଁ। ଏହା ସେମାନଙ୍କ ବିବେକ ଏବଂ ଜ୍ଞାନ ଉପରେ ନିର୍ଭର କରେ। ଆଇସିସି ନିୟମକୁ ସେମାନେ ଯେଉଁଭଳି ଭାବେ ବ୍ୟାଖ୍ୟା କରନ୍ତି, ସେଭଳି ନିଷ୍ପତ୍ତି ନିଅନ୍ତି। ତେବେ ବାଉଣ୍ଡରି ଗଣନା ନିୟମକୁ ପୂର୍ବତନ କ୍ରିକେଟର୍‌ମାନେ ସମାଲୋଚନା କରିବା ନେଇ ସେ କୌଣସି ମତ ପୋଷଣ କରି ନାହାନ୍ତି।

ସମ୍ବନ୍ଧିତ ଖବର