କଟକ: ଆଉ କେଇ ଘଣ୍ଟା ପରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଅନ୍ଲାଇନ୍ରେ ଟିକେଟ କିଣିଥିବା ଦର୍ଶକମାନଙ୍କୁ ନାହିଁ ନଥିବା ହଇରାଣ ହେବାକୁ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଅନ୍ଲାଇନ୍ରେ ବିକ୍ରି ହୋଇଥିବା ଟିକେଟ୍ରେ କମିସନରେଟ୍ ପୁଲିସ ଡିସିପିଙ୍କ ହସ୍ତାକ୍ଷର ନଥିବାରୁ ଦର୍ଶକମାନଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ ଦିଆଯାଉ ନାହିଁ। ଅସୁବିଧାର ସମ୍ମୁଖୀନ ହୋଇଥିବା ଦର୍ଶକମାନେ ଷ୍ଟାଡିୟମ ଗେଟ୍ ନମ୍ବର ୪, ୫ ଓ ୬ରେ ହଙ୍ଗାମା ସୃଷ୍ଟି କରିଛନ୍ତି।
୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ଦେଖିବା ପାଇଁ ଉତ୍ସାହର ଦର୍ଶକମାନେ ବୁଧବାର ଅପରାହ୍ନ ୧ଟା ୩୦ରୁ ଲାଇନ୍ରେ ଛିଡ଼ା ହୋଇଥିଲେ। ବାରବାଟୀ ଷ୍ଟାଡିୟମର ଗେଟ୍ ଖୋଲାଯିବା ପରେ ଯେଉଁମାନେ ଟିକେଟ କାଉଣ୍ଟରରୁ ଟିକେଟ କିଣି ଥିଲେ, ସେମାନଙ୍କର ଟିକେଟରେ ଡିସିପିଙ୍କ ହସ୍ତାକ୍ଷର ଥିବା ବେଳେ ଯେଉଁମାନେ ଅନ୍ଲାଇନ୍ରେ ଟିକେଟ କିଣିଛନ୍ତି, ସେମାନଙ୍କର ଟିକେଟରେ ଡିସିପିଙ୍କ ହସ୍ତାକ୍ଷର ନାହିଁ।
ଷ୍ଟାଡିୟଭ ଭିତରକୁ ପ୍ରବେଶ ନେଇ ଦର୍ଶକ ଓ ପୁଲିସ ମଧ୍ୟରେ ଝଗଡ଼ା ବହୁ ସମୟ ଧରି ଚାଲିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ବେଳକୁ ସମସ୍ୟାର ସମାଧାନ ହୋଇ ପାରି ନାହିଁ।