ଦୋହା: ୟୁରୋପୀୟ ଦଳ ସହ କୌଣସି ଦେଶ ଚଳିତ ଫିଫା ବିଶ୍ବକପ୍ରେ ‘ୱାନ୍ ଲଭ୍’ ଆର୍ମବ୍ୟାଣ୍ଡ୍ ପରିଧାନ କରି ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ୟୁଫା ପକ୍ଷରୁ ଏହା ସ୍ପଷ୍ଟ କରି ଦିଆଯାଇଛି। ଫଳରେ ଇଂଲଣ୍ଡ, ୱେଲ୍ସ, ବେଲଜିୟମ୍, ନେଦରଲାଣ୍ଡ୍ସ, ସ୍ବିଜରଲାଣ୍ଡ୍, ଜର୍ମାନି, ଡେନମାର୍କର ଅଧିନାୟକମାନେ ଚଳିତ ଫିଫା ବିଶ୍ବକପ୍ରେ ‘ୱାନ୍ ଲଭ୍’ ଆର୍ମବ୍ୟାଣ୍ଡ୍ ପରିଧାନ କରିବେ ନାହିଁ। ନେଦରଲାଣ୍ଡ୍ସ ଫୁଟବଲ୍ ସଂଘ କେଏନଭିବି ପକ୍ଷରୁ ଜାରି ବିବୃତ୍ତିରୁ ଏହା ଜଣାପଡ଼ିଛି। ଉଦ୍ଘାଟନୀ ମ୍ୟାଚ୍ର ଘଣ୍ଟାକ ପୂର୍ବରୁ ଫିଫା ସ୍ପଷ୍ଟ କରିଥିଲା ଅଧିନାୟକମାନେ ଚର୍ଚ୍ଚିତ ଆର୍ମବ୍ୟାଣ୍ଡ୍ ପରିଧାନ କରି ପଡ଼ିଆକୁ ଆସିଲେ ତୁରନ୍ତ ୟେଲୋ କାର୍ଡ ପାଇବେ।
ଏହା ଏକ ନିରାଶାଜନକ ନିଷ୍ପତ୍ତି ବୋଲି କେଏନଭିବି ପ୍ରକାଶ କରିଛି। କୋଟି କୋଟି ଲୋକଙ୍କୁ ଯୋଡ଼ୁଥିବା ଏହି ଖେଳର ଭାବନା ବିରୋଧୀ ଆଚରଣ। ଏଭଳି ଆର୍ମବ୍ୟାଣ୍ଡ୍ କେବଳ ସମସ୍ତ ପ୍ରକାର ଭେଦଭାବକୁ ବିରୋଧ ଥିଲା ବୋଲି ଡଚ୍ ସଂଘ କହିଛି। ତେବେ ଫିଫା ନିୟମ ଅନୁସାରେ ଫିଫା ପ୍ରତିଯୋଗିତା ସମୟରେ ଦଳ କିମ୍ବା ଖେଳାଳି ସେମାନଙ୍କ ପୋଷାକ ଓ ଶରୀରରେ କୌଣସି ପ୍ରକାର ରାଜନୈତିକ, ଧାର୍ମିକ, ବ୍ୟକ୍ତିଗତ ସ୍ଲୋଗାନର ବାର୍ତ୍ତା ଦେଇପାରିବେ ନାହିଁ। ଖେଳାଳିଙ୍କୁ ଅଡୁଆରେ ନପକାଇବା ପାଇଁ ୟୁରୋପୀୟ ଦେଶ ଗୁଡିକ ସାମୂହିକ ଭାବେ ଏଭଳି ପ୍ରସ୍ତାବିତ ‘ୱାନ୍ ଲଭ୍’ ବ୍ୟାଣ୍ଡ୍ ପରିଧାନରୁ ଓହରିଯାଇଥିବା ପ୍ରକାଶ କରିଛନ୍ତି।