ଟସ୍‌କୁ ନେଇ ଚିନ୍ତା ନାହିଁ: ଫିଞ୍ଚ୍

ଦୁବା‌ଇ: ଦୁବା‌ଇରେ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକରେ ଦ୍ବିତୀୟ ବ୍ୟାଟିଂ କରୁଥିବା ଦଳ ସବୁବେଳେ ଫାଇଦାରେ ରହିଆସୁଛନ୍ତି। ରାତିରେ କାକର ପଡ଼ୁଥିବାରୁ ବାରମ୍ବାର ଏଭଳି ସମ୍ଭାବନା ସୃଷ୍ଟି ହେଉଛି। ସେହିଦୃଷ୍ଟିରୁ ରବିବାର ମଧ୍ୟ ଟସ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ଆଶା କରାଯାଉଛି। ହେଲେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ ଏଥିନେଇ ବିଶେଷ ଚିନ୍ତିତ ନାହାନ୍ତି।

ଟସ୍ ରବିବାର ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ ନାହିଁ ବୋଲି ସେ ରୋକ୍‌ଠୋକ୍ ଭାବେ କହିଛନ୍ତି। ‘‘କାହାକୁ ନା କାହାକୁ ପ୍ରଥମେ ବ୍ୟାଟିଂ କରି ବିଜୟୀ ହେବାକୁ ପଡ଼ିବ। ସତ କହିବାକୁ ଗଲେ ପାକିସ୍ତାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବାକୁ ମୁଁ ଚାହୁଥିଲି। ଏଣୁ ଟସ୍ ହାରିଲେ କିମ୍ବା ଜିତିଲେ ଆମ ଉପରେ କିଛି ଫରକ ପଡ଼ିବ ନାହିଁ। କାରଣ ପ୍ରତି‌ଯୋଗିତା ଜିତିବାକୁ ହେଲେ ଆପଣଙ୍କୁ ପ୍ରଥମ ହେଉ କି ଦ୍ବିତୀୟ ଯେ କୌଣସି ପରିସ୍ଥିତିରେ ବ୍ୟାଟିଂ କରି ମ୍ୟାଚ୍ ଜିତିବାକୁ ହୋଇଥାଏ’’ ବୋଲି ଫିଞ୍ଚ୍ ଶନିବାର ଦେଇଥିବା ସାକ୍ଷାତକାରରେ କହିଥିଲେ।

ସମ୍ବନ୍ଧିତ ଖବର