ପୋର୍ଟ ଏଲିଜାବେଥ୍: ମଙ୍ଗଳବାର ପଞ୍ଚମ ଦିନିକିଆରେ ୭୩ ରନ୍ର ବିଜୟ ପରେ ବିରାଟ କୋହଲିଙ୍କ ଭାରତୀୟ ଦଳ ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନକୁ ଦୃଢ଼ କରିନେଇଛି। ଏକ୍ଷେତ୍ରରେ ଭାରତ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ଶୀର୍ଷରୁ ଗାଦିଚ୍ୟୁତ କରିଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ୬ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ଦୁଇ ଦିନିକିଆ ଜିତିବା ପରେ ଭାରତୀୟ ଦଳ ଶୀର୍ଷ ସ୍ଥାନ ମାଡ଼ି ବସିଥିଲା। ହେଲେ ଚତୁର୍ଥ ମ୍ୟାଚ୍ ହାରି ଆଶଙ୍କାରେ ପଡ଼ିଯାଇଥିଲା। ତେବେ ପଞ୍ଚମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୪-୧ରେ ଶୃଙ୍ଖଳା ଆଗୁଆ ସହିତ ଶୀର୍ଷ ସ୍ଥାନ ଦୃଢ଼ କରିନେଇଛି। ଏହି ଶୃଙ୍ଖଳାରେ ଡର୍ବାନ୍ ମ୍ୟାଚ୍କୁ ୬ ଓ୍ଵିକେଟ୍, ସେଞ୍ଚୁରିଅନ୍ ମ୍ୟାଚ୍କୁ ୯ ଓ୍ଵିକେଟ୍ ଏବଂ କେପ୍ ଟାଉନ୍ ମ୍ୟାଚ୍କୁ ୧୨୪ ରନ୍ରେ ଜିତିଥିବା ଭାରତ ବର୍ଷା ବାଧାପ୍ରାପ୍ତ ଚତୁର୍ଥ ମ୍ୟାଚ୍ରେ ହାରିବାରୁ ଶୃଙ୍ଖଳା ବିଜୟ ବିଳମ୍ବିତ ହୋଇଥିଲା। ତେବେ ପଞ୍ଚମ ମ୍ୟାଚ୍କୁ ଜିତି ଦକ୍ଷିଣ ଆଫ୍ରିକାରେ ୨୫ ବର୍ଷ ପରେ ଐତିହାସିକ ଶୃଙ୍ଖଳା କବ୍ଜା କରିନେଲା। ଆଉ ଏହି ବିଜୟ ପରେ ୧୧୯ ପଏଣ୍ଟ୍ରୁ ଶୃଙ୍ଖଳା ଆରମ୍ଭ କରିଥିବା ଭାରତ ଆଇସିସି ଦିନିକିଆ ମାନ୍ୟତାରେ ୧୨୨ ପଏଣ୍ଟକୁ ଲମ୍ଫ ଦେଇ ଶୀର୍ଷରେ ରହିଥିଲା ବେଳେ ଦକ୍ଷିଣ ଆଫ୍ରିକା ୧୨୧ରୁ ୧୧୮ ପଏଣ୍ଟ୍କୁ ଖସି ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ରହିଛି। ଆଉ ଯଦି ଭାରତ ଷଷ୍ଠ ତଥା ଶେଷ ଦିନିକିଆ ଜିତିନିଏ, ତେବେ ଏହାର ପଏଣ୍ଟ୍ ସଂଖ୍ୟା ୧୨୩କୁ ବୃଦ୍ଧି ହେବ। ଅନ୍ୟପକ୍ଷରେ ଶୃଙ୍ଖଳାରେ ପଞ୍ଚମ ପରାଜୟ ସହ ଦକ୍ଷିଣ ଆଫ୍ରିକା ୧୧୭ ପଏଣ୍ଟ୍କୁ ଖସିଯିବ। ଅନ୍ୟପକ୍ଷରେ ଭାରତର ଶୃଙ୍ଖଳା ବିଜୟ ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ ସ୍ଥାନ ବଜାୟ ରଖିବା ନେଇ ମଧ୍ୟ ଆଶଙ୍କାରେ ପକାଇଦେଇଛି। ଏବେ ଇଂଲଣ୍ଡ ଯଦି ନ୍ୟୁଜିଲାଣ୍ଡ୍କୁ ୫-୦ରେ ଶୃଙ୍ଖଳା ହରାଇଦିଏ, ତେବେ ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ ସ୍ଥାନରୁ ହଟାଇଦେବ। ଇଂଲଣ୍ଡ ୧୧୬ ଏବଂ ନ୍ୟୁଜିଲାଣ୍ଡ୍ ୧୧୫ ପଏଣ୍ଟ୍ ସହ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି।
ଚହଲ-କୁଲଦୀପଙ୍କ ଚମତ୍କାର
ଭାରତର ଦକ୍ଷିଣ ଆଫ୍ରିକା ବିଜୟରେ ଦୁଇ ଯୁବ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ପ୍ରମୁଖ ଭୂମିକା ତୁଲାଇଥିଲେ। ଉଭୟ ଦକ୍ଷିଣ ଆଫ୍ରିକାରେ ଖେଳା ଯାଇଥିବା ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳାରେ କୌଣସି ବିଦେଶୀ ବୋଲର ନେଇଥିବା ସର୍ବାଧିକ ଓ୍ଵିକେଟ୍ କୀର୍ତ୍ତିମାନକୁ ଭାଙ୍ଗି ଦେଇଥିଲେ। ଡେଭିଡ୍ ମିଲରଙ୍କ ଓ୍ଵିକେଟ୍ ନେଇ ଚହଲ ପ୍ରଥମେ େଓ୍ଵଷ୍ଟଇଣ୍ଡିଜର କିଥ୍ ଆଥରଟନଙ୍କୁ ଟପିଥିଲେ। ଆଥରଟନ୍ ୧୯୯୮-୯୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିପାକ୍ଷିକ ଶୃଙ୍ଖଳାରେ ୧୨ ଓ୍ଵିକେଟ୍ ନେଇଥିଲେ। ମିଲରଙ୍କୁ ପାଭିଲିୟନ ଫେରାଇବା ପରେ ଚହଲ ଚଳିତ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ନିଜ ଓ୍ଵିକେଟ୍ ସଂଖ୍ୟା ୧୩ରେ ପହଞ୍ଚାଇ ଦେଇଥିଲେ। ସେହିଭଳି ମ୍ୟାଚ୍ ଶେଷ ଆଡ଼କୁ ମର୍ନି ମର୍କେଲଙ୍କୁ ଏଲ୍ବିଡବ୍ଲ୍ୟୁ କରି ଏହାକୁ ୧୪କୁ ବଢ଼ାଇ ଦେଇଥିଲେ। କୁଲୀଦପ ମଧ୍ୟ ପଛରେ ରହି ନଥିଲେ। ଦକ୍ଷିଣ ଆଫ୍ରିକାର ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ଶୃଙ୍ଖଳରେ ସେ ନିଜ ଓ୍ଵିକେଟ୍ ସଂଖ୍ୟା ୧୬କେୁ ବଢ଼ାଇଥିଲେ। ଏହା ପୂର୍ବରୁ ୧୯୯୨-୯୩ରେ ଅନିଲ କୁମ୍ବଲେ ନେଇଥିବା ୭ ମ୍ୟାଚ୍ରୁ ୫ ଓ୍ଵିକେଟ୍ ସଫଳତା ଦକ୍ଷିଣ ଆଫ୍ରିକାରେ କୌଣସି ଭାରତୀୟ ସ୍ପିନରଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଦକ୍ଷିଣ ଆଫ୍ରିକାରେ ଇଂଲଣ୍ଡର କବିର ଅଲ୍ଲୀ ୨୦୦୪-୦୫ରେ ୧୩, ୨୦୦୮-୦୮ରେ ମିଚେଲ ଜନସନ ୧୩, ୨୦୦୧-୦୨ରେ ଜାସନ ଗିଲେପ୍ସି ୧୨ ଏବଂ ଇଂଲଣ୍ଡ ଦ୍ରୁତ ବୋଲର ଡାରେନ ଗଫ୍ ୧୯୯୫-୯୬, ୧୯୯୯-୨୦୦୦ ଓ ୨୦୦୪-୦୫ରେ ୧୧ଟି ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ଚହଲ ସ୍ପିନରମାନେ ଦକ୍ଷିଣ ଆଫ୍ରିକାରେ କୌଣସି ଦ୍ୱିପାକ୍ଷିକ ଶୃଙ୍ଖଳରେ ନେଇଥିବା ଓ୍ଵିକେଟ୍କୁ ଟପି ଯାଇଛନ୍ତି। ଅନ୍ୟପକ୍ଷରେ କୁଲଦୀପ ସ୍ପିନରଙ୍କ ସହ ଦ୍ରୁତ ବୋଲରଙ୍କୁ ବି ପଛରେ ପକାଇ ଦେଇଛନ୍ତି।
ଦକ୍ଷିଣ ଆଫ୍ରିକାର ସବୁଠୁ ଖରାପ ଘରୋଇ ଶୃଙ୍ଖଳା ପରାଜୟ
ଭାରତ ମଙ୍ଗଳବାର ଦକ୍ଷିଣ ଆଫ୍ରିକାରେ ପ୍ରଥମ ଦିନିକିଆ ଶୃଙ୍ଖଳା ବିଜୟ ହାସଲ କଲା। ହେଲେ ଦକ୍ଷିଣ ଆଫ୍ରିକା ଘରୋଇ ପରିବେଶରେ ସବୁଠାରୁ ଖରାପ ଶୃଙ୍ଖଳା ପରାଜୟ ବରଣ କଲା । ଏହି ଦଳ ଘରୋଇ ପରିବେଶରେ ୫ କିମ୍ବା ତା’ଠାରୁ ଅଧିକ ମ୍ୟାଚ୍ ଥିବା ୨୫ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିଛି। ସେଥିମଧ୍ୟରୁ ମାତ୍ର ତିନିଟି ହାରିଛି। ଏହା ପୂର୍ବରୁ ୧୬ ବର୍ଷ ତଳେ ଅର୍ଥାତ୍ ୨୦୦୧-୦୨ରେ ଦକ୍ଷିଣ ଆଫ୍ରିକା ଶକ୍ତିଶାଳୀ ଅଷ୍ଟ୍ରେଲିଆଠାରୁ ଘରୋଇ ଦିନିକିଆ ଶୃଙ୍ଖଳା ହାରିଥିଲା। ତା’ ପୂର୍ବରୁ ୧୯୯୬-୯୭ରେ ସେହି ଅଷ୍ଟ୍ରେଲିଆଠାରୁ ହାରିଥିଲା। ଭାରତ ପଞ୍ଚମ ପ୍ରୟାସରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଦିନିକିଆ ଶୃଙ୍ଖଳା ବିଜୟ ହାସଲ କରିବା ଘରୋଇ ପ୍ରଶଂସକଙ୍କୁ ମଧ୍ୟ ହତବାକ୍ କରି ଦେଇଛି। କାରଣ ଟେଷ୍ଟ ଶୃଙ୍ଖଳାରେ ଭାରତକୁ ନୟାନ୍ତ କରିଥିବା ଦକ୍ଷିଣ ଆଫ୍ରିକା ଦିନିକିଆରେ ବିନା ଲଢ଼େଇରେ ଆତ୍ମସମର୍ପଣ କରି ଚାଲିଛି। ଦକ୍ଷିଣ ଆଫ୍ରିକା ଚଳିତ ଶୃଙ୍ଖଳାରେ ୨୨.୬୫ ହାରରେ ବ୍ୟାଟିଂ କରିଥିଲା ବେଳେ ୫୦-୨୦ ହାରରେ ଓ୍ଵିକେଟ୍ ନେଇଛି। ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ଏହା ସବୁଠାରୁ ଖରାପ ବ୍ୟାଟିଂ ଏବଂ ବୋଲିଂ ପ୍ରଦର୍ଶନ।
ଇତିହାସ ରଚିବାର ଅନୁଭବ ଅଦ୍ଭୁତ: କୋହଲି
ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଦ୍ୱିପାକ୍ଷିକ ଶୃଙ୍ଖଳା ବିଜୟ ହାସଲ କରିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଖୁସିରେ ଆତ୍ମହରା ହୋଇ ଯାଇଛନ୍ତି। ଏହାର ଶ୍ରେୟ ଅବଶ୍ୟ ସେ ସମଗ୍ର ଦଳକୁ ଦେଇଛନ୍ତି। ନିଜ ଖେଳାଳିଙ୍କ ପ୍ରଦର୍ଶନକୁ ପ୍ରଶଂସା କରି କୋହଲି କହିଛନ୍ତି ଯେ ଇତିହାସ ରଚିବାର ଅନୁଭବ ସତରେ ନିଆରା। ଆମେ ବଲ୍, ବ୍ୟାଟ୍ ଏବଂ କ୍ଷେତ୍ରରକ୍ଷଣ ସବୁଥିରେ ଭଲ ଖେଳିଲୁ। ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକାର ଶୋଚନୀୟ ପରାଜୟ ଲାଗି ଏହି ଦଳର ଯୁବ ଅଧିନାୟକ ଏଦେନ ମର୍କରାମ ନିଜ ବ୍ୟାଟ୍ସମ୍ୟାନଙ୍କୁ ଦାୟୀ କରିଥିଲେ। ଆମେ ଥୋକାରେ ଓ୍ଵିକେଟ୍ ହରାଇଲୁ। ହେଲେ ବିଜୟ ପାଇଁ ଭାରତୀୟ ହକଦାର ଥିଲେ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଥିଲେ। ଶୃଙ୍ଖଳା ଜିତି ସାରିଥିଲେ ମଧ୍ୟ ଶୁକ୍ରବାର ଖେଳା ଯିବାକୁ ଥିବା ଷଷ୍ଠ ତଥା ଶେଷ ଦିନିକିଆକୁ ଭାରତ ହାଲକା ଭାବେ ନେବ ନାହିଁ। ଶେଷ ଦିନିକିଆ ଜିତି ୫-୧ରେ ଶୃଙ୍ଖଳା ବିଜୟୀ ହେବାକୁ ଚେଷ୍ଟା କରିବ ବୋଲି କହିଛନ୍ତି। ତେବେ ଏହି ମ୍ୟାଚ୍ ଲାଗି ଚୂଡ଼ାନ୍ତ ଏକାଦଶରେ କେତେକ ଅଦଳବଦଳ ହେବ ବୋଲି ସେ ସୂଚନା ଦେଇଛନ୍ତି। ଶୃଙ୍ଖଳାରେ ଆଦୌ ଖେଳି ନଥିବା କିଛି ଖେଳାଳି ସେଦିନ ପଡ଼ିଆକୁ ଓହ୍ଲାଇବେ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/chahal-and-kuldeep.jpg)