ଲଣ୍ଡନ୍: ଚଳିତ ବିଶ୍ବକପ୍ ଏବେ ଶେଷ ଦୁଇ ସପ୍ତାହ ଆଡକୁ ମୁହାଁଉଥିବା ବେଳେ ସେମିଫାଇନାଲ୍ ଦୌଡ଼ରେ ରହିଛନ୍ତି ୭ ଦଳ। ଦଶ ଦଳୀୟ ଏହି ରାଉଣ୍ଡ୍ ରବିନ୍ ଫର୍ମାଟ ପ୍ରତିଯୋଗିତାରେ ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଏହି ଦୌଡ଼ରୁ ବାଦ୍ ପଡ଼ିସାରିଛନ୍ତି। ଫଳରେ ଅବଶିଷ୍ଟ ୭ ଦଳ ମଧ୍ୟରୁ କେଉଁ ୪ ଦଳ ସେମିଫାଇନାଲ୍ ଯିବେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଆସନ୍ତୁ ଦେଖିବା ଏହି ଗାଣିତିକ ଅଙ୍କର ହିସାବ ନିକାଶ କ’ଣ କହୁଛି।
ନ୍ୟୁଜିଲାଣ୍ଡ୍: ୬ ମ୍ୟାଚ୍ରୁ ୧୧ ପଏଣ୍ଟ ପାଇଛି ନ୍ୟୁଜିଲାଣ୍ଡ୍। ଶ୍ରୀଲଙ୍କା, ବାଂଲାଦେଶ, ଆଫାଗସ୍ତାନିସ୍ତାନକୁ ଦଳିସାରିଛି। ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବର୍ତିଯାଇଛି। କେନ୍ ୱିଲିୟମସନ୍ ଦଳ ପାଇଁ କିନ୍ତୁ ବାସ୍ତବ ପରୀକ୍ଷା ଆରମ୍ଭ ହେଉଛି। ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବିପକ୍ଷ ଶେଷ ୩ ଲିଗ୍ ଖେଳିବ। କିନ୍ତୁ ଗୋଟିଏ ବିଜୟ ଏହି ଦଳକୁ ନିଶ୍ଚିତ କରିଦେବ।
ଅଷ୍ଟ୍ରେଲିଆ: ୭ ମ୍ୟାଚ୍ରୁ ୧୨ ପଏଣ୍ଟ ସହିତ ଏହି ବିଜେତା ଦଳ ଶୀର୍ଷରେ ରହିଛି। ଦଳର ନକ୍ ଆଉଟ୍ ସମ୍ଭାବନା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ବିଜୟ ହିଁ ଦଳକୁ ଆଶ୍ବସ୍ତ କରିଛି। ନ୍ୟୁଜିଲାଣ୍ଡ୍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରବର୍ତୀ ୨ ମ୍ୟାଚ୍ ଖେଳିବ। ଶ୍ରୀଲଙ୍କା ଯଦି ନିଜର ପରବର୍ତୀ ୩ ମ୍ୟାଚ୍ ଜିତୁଛି ତେବେ ଟାଇ ସ୍ଥିତି ଆସିବ। ଏଭଳି ସ୍ଥିତିରେ ଉନ୍ନତ ରନ୍ ହାର ନିର୍ଣ୍ଣାୟକ ହେବ।
ଭାରତ: ୫ ମ୍ୟାଚ୍ରୁ ଭାରତ ୯ ପଏଣ୍ଟ ପାଇଛି। ସମ୍ଭାବନା ଉଜ୍ବଳ ରହିଛି। ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ବାଂଲାଦେଶ ଏବଂ ଶ୍ରୀଲଙ୍କା ସହିତ ପରବର୍ତୀ ୪ ମ୍ୟାଚ୍ ଖେଳିବ। ଭାରତକୁ ଅନ୍ୟୁନ ୨ ବିଜୟ ସୁରକ୍ଷିତ ରଖିପାରିବ। କାରଣ ଦଳ ୦.୮୦୯ ଭଳି ସୁସ୍ଥ ଏନ୍ଆର୍ଆର୍ ରଖିଛି। ଗୋଟିଏ ବିଜୟ ବି ଦଳକୁ ଆଗକୁ ନେଇପାରେ। ଏଭଳି ପରିସ୍ଥିତିରେ ଇଂଲଣ୍ଡକୁ ପରବର୍ତୀ ୨ଟିରୁ ଗୋଟିଏ ଏବଂ ଶ୍ରୀଲଙ୍କାକୁ ଦୁଇଟି ବିଜୟ ମିଳିଲେ ସମ୍ଭବ ହୋଇପାରିବ।
ଇଂଲଣ୍ଡ: ୭ ମ୍ୟାଚ୍ରୁ ଘରୋଇ ଦଳ ୮ ପଏଣ୍ଟ ପାଇଛି। ସେମିଫାଇନାଲ୍ ସମ୍ଭାବନା ନେଇ ଜଟିଳ ପରିସ୍ଥିତିରେ ରହିଛି। ପ୍ରାକ୍ ଦାବିଦାର ମୋର୍ଗାନଙ୍କ ଦଳକୁ ଏବେ ଶେଷ ୨ରୁ ୨ ବିଜୟ ଆବଶ୍ୟକ ରହିଛି। ଆଗରେ ରହିଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ୍ ଭଳି ଶକ୍ତିଶାଳୀ ଦଳ। ଏପରିକି ଆଉ ୩ ପଏଣ୍ଟ (ଗୋଟିଏ ବିଜୟ, ଗୋଟିଏ ବାତିଲ/ଟାଇ) ବି ଇଂଲଣ୍ଡ ପାଇଁ ଯଥେଷ୍ଟ ହୋଇପାରେ। ଘରୋଇ ଦଳ ଗତ ୨୭ ବର୍ଷ ଭିତରେ ନ୍ୟୁଜିଲାଣ୍ଡ, ଭାରତ ଏବଂ ଅଷ୍ଟ୍ରେଲିଆକୁ ହରାଇନାହିଁ।
ବାଂଲାଦେଶ: ୭ ମ୍ୟାଚ୍ରୁ ୭ ପଏଣ୍ଟ୍ ପାଇ ସମ୍ଭାବନା ରଖିଛି ବାଂଲାଦେଶ। କିନ୍ତୁ କଷ୍ଟକର ପଥରେ ରହିଛି। ଭାରତ ଏବଂ ପାକିସ୍ତାନ ସହିତ ପରବର୍ତୀ ୨ ମ୍ୟାଚ୍ ଖେଳିବ। ଏହି ଦୁଇ ମ୍ୟାଚ୍ ଜିତିବା ସହିତ ଅନ୍ୟ ମ୍ୟାଚ୍ ଫଳାଫଳକୁ ବି ନଜରରେ ରଖିବାକୁ ହେବ। ଅତୀତରେ ଏହି ଦୁଇ ଦେଶକୁ ହରାଇଥିବାରୁ ବାଂଲାଦେଶ ଇତିହାସରୁ ଆତ୍ମବିଶ୍ବାସ ନେଇ କିଛି ବି କରିପାରେ। ୨୦୧୪ ମସିହା ପରଠାରୁ କିନ୍ତୁ ପାକିସ୍ତାନ ନିକଟରୁ ହାରିନାହିଁ। ଏହା ମଧ୍ୟରେ ୪ ମ୍ୟାଚ୍ ଜିତିଛି। ଭାରତ ବିପକ୍ଷରେ କିନ୍ତୁ ବଡ଼ ମଇଦାନରେ ଏହି ଦଳ ଭଲ କରିଥାଏ। ୨୦୦୭ରେ ଭାରତକୁ ବିପର୍ଯ୍ୟୟ ମୁହଁକୁ ଠେଲିଦେଇଥିଲା।
ଶ୍ରୀଲଙ୍କା: ୬ ମ୍ୟାଚ୍ରୁ ୬ ପଏଣ୍ଟରେ ସୀମିତ ରହିଛି ଶ୍ରୀଲଙ୍କା। ଏହି ଦଳ ପାଇଁ ସମ୍ଭାବନା କ୍ଷୀଣ ରହିଛି। ୩ରୁ ୩ ବିଜୟ ଆବଶ୍ୟକ ପଡୁଛି। ଆଗରେ ଅଛନ୍ତି ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍, ଭାରତ। ୨ଟି ବିଜୟ ଯଥେଷ୍ଟ ହୋଇପାରେ। କିନ୍ତୁ ଅନ୍ୟ ମ୍ୟାଚ୍ ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ। ଶକ୍ତିଶାଳୀ ଇଂଲଣ୍ଡକୁ ହରାଇଥିବାରୁ ଶ୍ରୀଲଙ୍କାକୁ ସମ୍ପୂର୍ଣ୍ଣ ରଙ୍ଗହୀନ କହି ହେବ ନାହିଁ। ଲସିଥ୍ ମାଲିଙ୍ଗା ଲୟକୁ ଆସିବା ଦଳର ଆତ୍ମବିଶ୍ବାସ ବଢ଼ାଇଛି।
ପାକିସ୍ତାନ: ୬ ମ୍ୟାଚ୍ରୁ ୫ ପଏଣ୍ଟ୍ ପାଇଛି ୧୯୯୨ ବିଜେତା ପାକିସ୍ତାନ। ଦଳକୁ ଏବେ କେବଳ ପରବର୍ତୀ ୩ ମ୍ୟାଚ୍ ବିଜୟ ନୁହେଁ, ବଡ଼ ବ୍ୟବଧାନରେ ବିଜୟ ସହିତ ଏନ୍ଆର୍ଆର୍କୁ ଉନ୍ନତ ରଖିବାକୁ ହେବ। ପରବର୍ତୀ ୩ ପ୍ରତିଦ୍ବନ୍ଦ୍ବୀ ହେଲେ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ଏବଂ ବାଂଲାଦେଶ। ବିଜୟ ସହିତ ଅନ୍ୟର ଫଳାଫଳ ମଧ୍ୟ ଏହି ଦଳର ଭାଗ୍ୟ ନିର୍ଣ୍ଣାୟକ ହେବ। ନ୍ୟୁଜିଲାଣ୍ଡକୁ ଆଗ ଭେଟୁଥିବାରୁ ଏହା ହିଁ ନିର୍ଣ୍ଣୟ କରିଦେବ।
ନକ୍ ଆଉଟ୍ ଦୌଡ଼ରେ ୭
/sambad/media/post_attachments/wp-content/uploads/2019/06/World_Cup_2019_logo_svg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)