ବିଦାୟୀ ୨୦୨୩ କ୍ରୀଡ଼ା ବର୍ଷ ଓଡ଼ିଶା ପାଇଁ ଖୁସି, ଆନନ୍ଦ, ଉଲ୍ଲାସ ସହିତ ସହ ଗୌରବମୟ ଅଧ୍ୟାୟ ଯୋଡ଼ିଥିଲା। କେବଳ ଗୋଟିଏ ନାମ ‘କିଶୋର ଜେନା’ ଗାଁରୁ ବିଶ୍ବ ମଇଦାନ ଯାଏ ଛାଇ ଯାଇଥିଲା। ଓଡ଼ିଶା ନୁହେଁ ଭାରତୀୟ କ୍ରୀଡ଼ା ଦୁନିଆରେ ବି ଚର୍ଚ୍ଚା ବଢ଼ିଥିଲା କିଶୋରଙ୍କ ଚମତ୍କାର ବିଶ୍ବ ପଦାର୍ପଣ ଓ ଏସିଆଡ୍ ରୌପ୍ୟ ବିଜୟ ପରେ। ବ୍ୟକ୍ତିଗତ ଭାବେ କିଶୋରଙ୍କ ପ୍ରଦର୍ଶନ ଓଡ଼ିଶାକୁ ନୂଆ ପରିଚୟ ଦେଇଛି। ଓଡ଼ିଶା ସରକାରଙ୍କ ମନଖୋଲା ସମର୍ଥନ ଓ ହାତଖୋଲା ପୁରସ୍କାର ଖେଳାଳିଙ୍କୁ ଅଧିକରୁ ଅଧିକ ପଡ଼ିଆରେ ସମୟ କାଟିବାକୁ ପ୍ରେରିତ କରିଛି। ଖେଳ ଓ ଖେଳାଳି ପାଇଁ ଏକ ନୂଆ ପରିବେଶ ସୃଷ୍ଟି ହୋଇଛି, ଅପାର ସୁଯୋଗ ବି ଆଣି ଦେଇଛି ଖେଳକୁ କ୍ୟାରିୟର୍ କରିବାକୁ। ୨୦୨୩ ବର୍ଷ ଆରମ୍ଭରୁ ଶେଷ ଯାଏ ଚର୍ଚ୍ଚାରେ ରହିଥିଲା ଓଡ଼ିଶା ବଡ଼ ବଡ଼ ପ୍ରତିଯୋଗିତାର ସଫଳ ଓ ସୁନ୍ଦର ଆୟୋଜନ ପାଇଁ। ବିଶେଷ କରି ସ୍ବପ୍ନର ସ୍ପୋର୍ଟସ କ୍ୟାପିଟାଲ୍ ଭୁବନେଶ୍ବରର ଛାତି ଉପରେ ଛିଡ଼ା ହୋଇଥିବା କଳିଙ୍ଗ ଷ୍ଟାଡିୟମ୍ ବର୍ଷ ତମାମ କୋଳାହଳମୟ ଥିଲା ଖେଳ ଓ ଖେଳ ପ୍ରତିଯୋଗିତାକୁ ନେଇ।
ଭୁବନେଶ୍ବର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍ ଆୟୋଜିତ ହୋଇଥିଲା ଜାନୁଆରିରେ। ଓଡ଼ିଶା କ୍ରୀଡ଼ାର ପ୍ରାଣକେନ୍ଦ୍ର ପାଲଟିଥିବା କଳିଙ୍ଗରେ ମଧ୍ୟ ୨୦୨୩ରେ ଆଇଟିଏଫ୍ ଏସୀୟ ଜୁନିୟର୍ ଫାଇନାଲ୍ସ, ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଅନ୍ତର୍ଜାତୀୟ ଫୁଟ୍ବଲ୍, ଏଏଫ୍ସି କପ୍ର ଏକାଧିକ ମ୍ୟାଚ୍, ୨୦୨୬ ଫିଫା ବିଶ୍ବକପ୍ ଏସୀୟ ଯୋଗ୍ୟତା ପର୍ଯ୍ୟାୟର ଭାରତ-କତର ମୁକାବିଲା ଖେଳାଯାଇଥିଲା। ଆଇଏସ୍ଏଲ୍ର ଘରୋଇ ଦଳ ଓଡ଼ିଶା ଏଫ୍ସିର ଚମକ ମଧ୍ୟ ଜାରି ରହିଥିଲା। ରାଉରକେଲାର ବୀର୍ସାମୁଣ୍ଡା ଷ୍ଟାଡିୟମ୍ରେ ବିଶ୍ବକପ୍ ସହ ଏଫ୍ଆଇଏଚ୍ ପ୍ରୋ ଲିଗ୍ ଓ ଅନ୍ୟ ବହୁ ଜାତୀୟ ପ୍ରତିଯୋଗିତା ଓ ଜାତୀୟ ଶିବିର ଆୟୋଜିତ ହୋଇଥିଲା। ସମାନ ସମୟରେ ସବୁଠାରୁ ଲୋକପ୍ରିୟ ଖେଳ କ୍ରିକେଟ୍ର ମୁକସାକ୍ଷୀ ‘ବାରବାଟୀ ଷ୍ଟାଡିୟମ’ କିନ୍ତୁ ଡହଳ ବିକଳ ହୋଇଥିଲା ଅନ୍ତର୍ଜାତୀୟ ମ୍ୟାଚ୍ଟିଏ ପାଇଁ। ଭାରତରେ ଏକାଧିକ ଦ୍ବିପାକ୍ଷିକ ଅନ୍ତର୍ଜାତୀୟ ଶୃଙ୍ଖଳା ସହିତ ବିଶ୍ବକପ୍ ଖେଳାଯାଇଥିଲେ ମଧ୍ୟ ବାରବାଟୀ ସବୁଥିରୁ ବଞ୍ଚିତ ହୋଇଥିଲା। କ୍ରିକେଟ୍ପ୍ରେମୀଙ୍କ କ୍ଷୋଭ ଚରମ ସ୍ତରରେ ପହଞ୍ଚିଥିଲା ଏବଂ ଓସିଏର ନିଷ୍କ୍ରିୟତା ପଦାରେ ପଡ଼ିଥିଲା। ପ୍ରସ୍ତୁତି: ସୁରେଶ ସ୍ବାଇଁ
ନ୍ୟୁଜ୍ ବ୍ରେକର୍ ‘ଚିର କିଶୋର’
ମାତ୍ର ମାସ କେଇଟା ଭିତରେ ସାଧାରଣ ଖେଳାଳିରୁ କିଂବଦନ୍ତି ପାଲଟିଯିବାରେ ସମ୍ଭବତଃ କିଶୋର ଜେନା ଓଡ଼ିଶା କ୍ରୀଡ଼ା ଇତିହାସରେ ବିରଳ ବ୍ୟକ୍ତିତ୍ବ ହୋଇ ରହିବେ। ଯେଉଁ ପ୍ରତିଯୋଗିତା ପାଇଁ ଅଧିକାଂଶ ଖେଳାଳି ଯୋଗ୍ୟତା ଅର୍ଜନ କରିବାକୁ ସଂଘର୍ଷ କରିଥାନ୍ତି, କିଶୋର ଗୋଟିଏ ବର୍ଷରେ ଏସୀୟ କ୍ରୀଡ଼ା ଓ ବିଶ୍ବ ଦୌଡ଼କୁଦ ଖେଳି କେବଳ ଇତିହାସ ରଚି ନାହାନ୍ତି, ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହଂଝୌ ଏସୀୟ କ୍ରୀଡ଼ାରେ ବ୍ୟକ୍ତିଗତ ଶ୍ରେଷ୍ଠ ଦୂରତ୍ବ (୮୭.୫୪ ମିଟର୍)କୁ ଜାଭଲିନ୍ ଫିଙ୍ଗି ରୌପ୍ୟ ପଦକ ଜିତିଯାଇଛନ୍ତି। ଏକ ଥ୍ରୋ ଇଭେଣ୍ଟ୍ରେ ଏସୀୟ କ୍ରୀଡ଼ା ପଦକ ଜିତିବା ଓଡ଼ିଶା ଇତିହାସରେ ପ୍ରଥମ ହୋଇଥିଲା। ଏହା ପୂର୍ବରୁ କିଶୋର ଅଗଷ୍ଟ ମାସରେ ବୁଦାପେଷ୍ଟ୍ ବିଶ୍ବ ଦୌଡ଼କୁଦରୁ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ ଚମତ୍କାର ଢ଼ଙ୍ଗରେ। ନୀରଜ ଚୋପ୍ରାଙ୍କୁ ଆଦର୍ଶ କରି ତାଙ୍କରି ପ୍ରତିଦ୍ବନ୍ଦ୍ବୀ ଭାବରେ କିଶୋର ବିଶ୍ବ ପଦାର୍ପଣରେ ବ୍ୟକ୍ତିଗତ ଶ୍ରେଷ୍ଠ (୮୪.୭୭ ମିଟର୍) ସହ ପଞ୍ଚମ ସ୍ଥାନରେ ରହିବା କିଛି କମ୍ ବଡ଼ ଉଲ୍ଲେଖନୀୟ ପ୍ରଦର୍ଶନ ନଥିଲା। ଉଭୟ ପ୍ରତିଯୋଗିତାରେ ନୀରଜ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏସିଆଡ୍ରେ କିନ୍ତୁ ଭାରତ ପାଇଁ ନୀରଜ-କିଶୋର ୧-୨ ସଫଳତା ଆଣିଦେବା ବଡ଼ କଥା ଥିଲା। ଏହି ଦୁଇ ବଡ଼ ପ୍ରତିଯୋଗିତା ପୂର୍ବରୁ କିଶୋର ଭାରତ, ଶ୍ରୀଲଙ୍କା, ଲେବାନନରେ ଜାତୀୟ ପ୍ରତିଯୋଗିତା ସ୍ବର୍ଣ୍ଣ ପଦକ ଜିତି ନିଜକୁ ପ୍ରସ୍ତୁତ କରିଥିଲେ। ଜାତୀୟ କ୍ରୀଡ଼ାରେ କିନ୍ତୁ କିଶୋର କାଂସ୍ୟ ପଦକ ଜିତି ସନ୍ତୁଷ୍ଟ ହୋଇଥିଲେ। ବର୍ଷତମାମ ପଦକ ଅମଳ କରିଥିବାରୁ ରାଜ୍ୟ ସରକାର କିଶୋରଙ୍କୁ ମୋଟ ୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବିଶ୍ବ ଦୌଡ଼କୁଦରୁ ଆସନ୍ତା ବର୍ଷର ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବାରୁ ୨୦୨୪ରେ ବି କିଶୋରଙ୍କ ଜଲ୍ୱା ଜାରି ରହୁ ବୋଲି ସଭିଏଁ ଆଶା ବାନ୍ଧିଛନ୍ତି।
ଖେଳାଳି ସଫଳ, ଦଳ ବିଫଳ
ଲୋକପ୍ରିୟ ଖେଳ କ୍ରିକେଟ୍ରେ ଓଡ଼ିଶା ଆଗକୁ ବଢ଼ିବାକୁ ସଂଘର୍ଷ କରୁଛି। ଓଡ଼ିଶା ଖେଳାଳିଙ୍କ ପ୍ରଦର୍ଶନ ବ୍ୟକ୍ତିଗତ ସଫଳତାରେ ସୀମିତ ରହିଛି। ଦଳ କିନ୍ତୁ ଅଧିକାଂଶ ବର୍ଗରେ ନକ୍ ଆଉଟ୍ ପର୍ଯ୍ୟାୟକୁ ଯିବାରେ ବିଫଳ ହୋଇଛି। ବିଶେଷ କରି ରଣଜୀ ଟ୍ରଫି, ବିଜୟ ହଜାରେ ଟ୍ରଫି, ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଓଡ଼ିଶା ଦୟନୀୟ ପ୍ରଦର୍ଶନ କରିଛି। ବର୍ଷ ପ୍ରାରମ୍ଭରେ ଶାନ୍ତନୁ ମିଶ୍ରଙ୍କ ଦ୍ବିଶତକ ଏବଂ ସୁନିଲ ରାଉଳଙ୍କ ପଦାର୍ପଣରେ ୬ ୱିକେଟ୍ ସଫଳତା କିନ୍ତୁ ଦଳଗତ ପ୍ରଦର୍ଶନରେ ପ୍ରତିଫଳିତ ହୋଇପାରିନାହିଁ। ଭେଟେରାନ୍ ଦ୍ରୁତ ବୋଲର ବସନ୍ତ ମହାନ୍ତି ବେଙ୍ଗଲ ବିପକ୍ଷ ପଦାର୍ପଣରୁ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ସେହି ଦଳ ବିପକ୍ଷରେ ଆଉ ଏକ ବିଜୟ ସହ ଅବସର ନେବା ବିଦାୟୀ ବର୍ଷକୁ ସ୍ମରଣୀୟ କରିଛି। ଏହି ଋତୁରେ ବସନ୍ତ କିନ୍ତୁ ୪୦୦ ୱିକେଟ୍ ମାଇଲଖୁଣ୍ଟ୍ ଅତିକ୍ରମ କରି ନିଜ ଆଦର୍ଶ ଦେବାଶିଷ ମହାନ୍ତି (୪୧୭)ଙ୍କ ପଛକୁ ଦ୍ବିତୀୟ ଅଗ୍ରଣୀ ହୋଇଛନ୍ତି। ସେହି ବେଙ୍ଗଲ ବିପକ୍ଷରେ ସୂର୍ଯ୍ୟକାନ୍ତ ପ୍ରଧାନ ହ୍ୟାଟ୍ରିକ୍ ୱିକେଟ୍ ଦଖଲରେ ଚତୁର୍ଥ ଓଡ଼ିଆ ହୋଇଥିଲେ। ୨୦୨୨-୨୩ ଋତୁରେ ମୋଟ ୭ ଜଣ ନବାଗତ ରଣଜୀ ଖେଳିଥିଲେ। କିନ୍ତୁ ବିଶେଷ ଫରକ ପଡ଼ି ନଥିଲା। ଶୁଭ୍ରାଂଶୁ ସେନାପତି ଓ ପ୍ରୟାସ ସିଂହଙ୍କ ଶତକ ବ୍ୟକ୍ତିଗତ ସଫଳତାରେ ସୀମିତ ରହିଥିଲା। ସିକେ ନାୟୁଡୁ ଟ୍ରଫିରେ ଆଶୁତୋଷ ଛୁରିଆଙ୍କୁ ଗୋଟିଏ ମ୍ୟାଚ୍ରେ ୯ ୱିକେଟ୍ ମିଳିବା, ସ୍ବସ୍ତିକ ସାମଲ ଶତକ ହାସଲ କରିବା ଭବିଷ୍ୟତ ପାଇଁ ଆଶାର କିରଣ ଥିଲା। ଦିନେଶ ମୋଙ୍ଗିଆ ଓଡ଼ିଶାର ନୂଆ ମୁଖ୍ୟ ପ୍ରଶିକ୍ଷକ ହୋଇଛନ୍ତି। ବିିଜୟ ହଜାରେ ଟ୍ରଫିରେ କିନ୍ତୁ ଦଳ ଝୁଣ୍ଟିଛି। ଓଡ଼ିଶା ଦାୟିତ୍ବ ପରେ ନୂଆ ଋତୁ ପାଇଁ ଦେବାଶିଷ ମହାନ୍ତି ଝାଡ଼ଖଣ୍ଡ ମୁଖ୍ୟ ପ୍ରଶିକ୍ଷକ ଏବଂ ରଶ୍ମି ରଞ୍ଜନ ପରିଡ଼ା ତ୍ରିପୁରା ୨୩ ବର୍ଷରୁ କମ୍ ଦଳର ପ୍ରଶିକ୍ଷକ ହେବା ଖୁସି ଆଣି ଦେଇଛି।
ଫିଟୁଛି ଫୁଟ୍ବଲ୍
ଓଡ଼ିଶାର ଫୁଟ୍ବଲ୍ପ୍ରେମୀଙ୍କ ପାଇଁ ୨୦୨୩ ଅପେକ୍ଷାକୃତ ଖୁସି ଦେଇଥିଲା। ଭାରତୀୟ ମହିଳା ଦଳରେ ମନୀଷା ପାନ୍ନା ଓ ଜୁଲି କିଶାନ ନିୟମିତ ଭାବେ ସୁଯୋଗ ପାଇଥିବା ବେଳେ ଏସୀୟ କ୍ରୀଡ଼ା ଦଳରୁ ସ୍ବର୍ଣ୍ଣ ଜିତିଥିଲେ ପ୍ୟାରୀ ଖାଖା। ଶୁଭେନ୍ଦୁ ପଣ୍ଡାଙ୍କ ପ୍ରଶିକ୍ଷିତ ଦଳ ସାଫ୍ ୧୯ ବର୍ଷରୁ କମ୍ ଟ୍ରଫି ଜିତିଥିବାବେଳେ ଦୁଇ ଓଡ଼ିଆ ଖେଳାଳି ଏ ଶିବପ୍ରସାଦ ଓ ରାଜା ହରିଜନ ଏଥିରେ ସାମିଲ ଥିଲେ। ଓଡ଼ିଶା ଏଫ୍ସି କିନ୍ତୁ ଆଇଏସ୍ଏଲ୍ରେ ପ୍ରଶଂସନୀୟ ପ୍ରଦର୍ଶନ କରିବା ପରେ ଡୁରାଣ୍ଡ୍ କପ୍ କ୍ବାର୍ଟରଫାଇନାଲ୍ ଉଠିବା, ସୁପର୍ କପ୍ ଜିତିବା ଓ ଏଏଫ୍ସି କପ୍ ଅନ୍ତଃଜୋନାଲ୍ ସେମିଫାଇନାଲ୍ ଯୋଗ୍ୟତା ଅର୍ଜନ କରିବା ଉଲ୍ଲେଖନୀୟ ଥିଲା। ସନ୍ତୋଷ ଟ୍ରଫିରେ କିନ୍ତୁ ଓଡ଼ିଶାର ଅସନ୍ତୋଷ ଧାରା ଜାରି ରହିଥିଲା। ସେମିଫାଇନାଲ୍କୁ ଉଠିପାରି ନଥିଲା ଏବଂ ଜାତୀୟ କ୍ରୀଡ଼ା ଯୋଗ୍ୟତା ଅର୍ଜନରେ ମଧ୍ୟ ବିଫଳ ହୋଇଥିଲା ଓଡ଼ିଶା ରାଜ୍ୟ ଦଳ।
ପିଟର୍-ସ୍ବସ୍ତିଙ୍କୁ ବଡ଼ ପୁରସ୍କାର
ବିଦାୟୀ ବର୍ଷରେ ରାଜ୍ୟର ଅଧିକାଂଶ ପ୍ରମୁଖ ପୁରସ୍କାର ଜିତିଥିଲେ ପିଟର୍ ତିର୍କି ଓ ସ୍ବସ୍ତି ସିଂହ। ଉଭୟ ଓସ୍ଜା ଓ ବିଜୁ ପଟ୍ଟନାୟକ ସମ୍ମାନ ପାଇଥିଲେ। ଦେବାଶିଷ ସାହୁ ଏକଲବ୍ୟ ପୁରସ୍କାର ବିଜେତା ହୋଇଥିଲେ। ଗଣେଶ ଜେନାଙ୍କୁ ମେଜର ଜ୍ଞାନ ସିଂହ ସମ୍ମାନ, କିଟ୍କୁ ସିଆଇଆଇ ସ୍ପୋର୍ଟସ ବିଜନେସ୍ ଆୱାର୍ଡ ପ୍ରଦାନ କରାଯାଇଛି।
ମହିଳା ଓ ଦୃଷ୍ଟିବାଧିତ ଦେଖାଇଦେଲେ
ପୁରୁଷ କ୍ରିକେଟର୍ଙ୍କ ତୁଳନାରେ ଓଡ଼ିଶାର ମହିଳା କ୍ରିକେଟର୍ମାନେ ଅଧିକ ସଫଳତା ପାଇଛନ୍ତି। ଦୃଷ୍ଟିବାଧିତ କ୍ରିକେଟର୍ ମଧ୍ୟ ବହୁ ଆଗକୁ ବଢ଼ିଯାଇଛନ୍ତି। ପୂର୍ବାଞ୍ଚଳ ମହିଳା ଦଳରୁ ଖେଳି ମାଧୁରୀ ମେହେଟ୍ଟା ଓ ସୁଶ୍ରୀ ଦିବ୍ୟଦର୍ଶିନୀ ଅନ୍ତଃଜୋନ୍ ଟ୍ରଫି ଜିତିବା ରାଜ୍ୟ ପାଇଁ ଗୌରବ ଆଣିଥିଲା। ଏହା ପୂର୍ବରୁ ଦୃଷ୍ଟିବାଧିତ କ୍ରିକେଟର୍ ଫୁଲ ସୋରେନ, ବାସନ୍ତୀ ହାଁସଦା, ଝିଲ୍ଲୀ ବିରୁଆ, ପଦ୍ମିନୀ ଟୁଡୁ ଆଇଏସ୍ବିଏ ବିଶ୍ବ ପ୍ରତିଯୋଗିତାର ମହିଳା କ୍ରିକେଟ୍ରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଦଳରୁ ମହମ୍ମଦ ଜାଫର ଇକବାଲ୍, ପଙ୍କଜ ଭୁଏ, ନକୁଳ ବଡ଼ନାୟକ ରୌପ୍ୟ ପଦକ ଜିତିଥିଲେ। ଫୁଲ ସୋରେନ ଭାରତୀୟ ମହିଳା ଦୃଷ୍ଟିବାଧିତ ଦଳର ଉପଅଧିନାୟକ ଦାୟିତ୍ବ ତୁଲାଇଥିଲେ। ନେପାଳ ବିପକ୍ଷ ଶୃଙ୍ଖଳା ବିଜୟରେ ମଧ୍ୟ ଉପରୋକ୍ତ ୪ ଝିଅ ସାମିଲ ଥିଲେ।
ଭାରୋତ୍ତୋଳନ ଭାରି
ଭାରୋତ୍ତୋଳନରେ ଓଡ଼ିଶା ଖେଳାଳିଙ୍କୁ ବି ମିଳିଥିଲା ସଫଳତା। ଜ୍ୟୋସ୍ନା ଶବର ପଦାର୍ପଣରେ ବିଶ୍ବ ଯୁବରୁ କାଂସ୍ୟ, ରାଜ୍ୟଗୋଷ୍ଠୀରୁ ସ୍ବର୍ଣ୍ଣ ଏବଂ ଜାତୀୟରୁ ସ୍ବର୍ଣ୍ଣ ପଦକ ସହ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଝିଲ୍ଲୀ ଦଳ ବେହେରା, ମିହିରକାନ୍ତ ସେଠୀ ଜାତୀୟ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ମୀନା ଶାନ୍ତା, ସଦାନନ୍ଦ ବରିହା, କାହ୍ନୁ ଚରଣ ସାହୁ, ମୀନା ସିଂହ, ପ୍ରୀତିସ୍ମିତା ଭୋଇ, ସୁମିତ୍ରା ମଲ୍ଲିକ, ହୃଦାନନ୍ଦ ଦାସ, ଟିକି ମୋହିନୀ ମଲ୍ଲିକ, ଶ୍ବେତଲିନା ନାୟକ, ମାନାଲି ସାହୁ ପ୍ରମୁଖ ଢ଼େର ପଦକ ଅମଳ କରିଥିଲେ ୨୦୨୩ରେ।
ହକି ହୁଗୁଳା
ଓଡ଼ିଶାରେ ହକି ବିଶ୍ବକପ୍ର କ୍ରମାଗତ ଦ୍ବିତୀୟ ସଂସ୍କରଣ ହେବା ଗୌରବ ଆଣିଥିଲା। ରାଉରକେଲାର ବୀର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ୧୫ ମାସରେ ପ୍ରସ୍ତୁତ ହୋଇ ବିଶ୍ବର ସର୍ବବୃହତ୍ ବସିବା କ୍ଷମତାର ହକି ଷ୍ଟାଡିୟମ୍ ଭାବେ ଗିନିଜ୍ ରେକର୍ଡ କରିଥିଲା। ଭାରତ ବିଶ୍ବକପ୍ ଜିତିପାରି ନଥିଲା କିନ୍ତୁ ବର୍ଷ ଶେଷ ଭାଗରେ ଏସିଆଡ୍ ସ୍ବର୍ଣ୍ଣ ଜିତି ସମ୍ମାନ ରଖିଥିଲା। ବ୍ୟକ୍ତିଗତ ଭାବେ ଅମିତ ରୋହିଦାସ ସ୍ବର୍ଣ୍ଣ ଓ ଦୀପ୍ ଗ୍ରେସ୍ ଏକ୍କା ରୌପ୍ୟ ପଦକ ଜିତିଥିଲେ ଏସିଆଡ୍ରେ। ଦୀପ୍ ଗ୍ରେସ୍ ଏକ୍କା ୨୫୦ ଓ ଅମିତ ରୋହିଦାସ ୧୫୦ ଅନ୍ତର୍ଜାତୀୟ ମ୍ୟାଚ୍ର ମାଇଲଖୁଣ୍ଟ ଛୁଇଁଥିଲେ।