ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କଲେ କୋର୍ଟ

ନୂଆଦିଲ୍ଲୀ: ଭାରତର ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଛତ୍ରସାଲ ଷ୍ଟାଡିୟମରେ ଆକ୍ରମଣ ଓ ହତ୍ୟା ମାମଲାରେ ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀର ରୋହିଣୀ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ଏବେ ଫେରାର ଅଛନ୍ତି । ମିଳିଥିବା ସୂଚନା ମୁତାବକ ଦିଲ୍ଲୀ ପୁଲିସ ପୂର୍ବରୁ ସୁଶୀଲ କୁମାରଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା ।

ପୁଲିସ ସୂଚନାନୁସାରେ, ମଡେଲ ଟାଉନ ଅଞ୍ଚଳରେ ଥିବା ଏକ ଫ୍ଲାଟକୁ ଖାଲି କରିବା ପାଇଁ ମାରପିଟ ହୋଇଥିଲା। ଏହି ମାମଲାରେ ସୁଶୀଲ କୁମାରଙ୍କ ଭୂମିକା ଥିବାବେଳେ ଦିଲ୍ଲୀ ଏନସିଆର ବ୍ୟତୀତ ପଡୋଶୀ ରାଜ୍ୟରେ ସୁଶୀଲ କୁମାରଙ୍କ ସନ୍ଧାନ ଚାଲିଛି। ସୁଶୀଲଙ୍କ ବ୍ୟତୀତ ନଅ ଜଣଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି। କୋର୍ଟ କହିଛନ୍ତି ଯେ ଏହା ଏକ ହତ୍ୟା ମାମଲା, ଅଭିଯୁକ୍ତଙ୍କୁ ଧରିବା ଜରୁରୀ ।

ସାଗର ଧନଖର ହତ୍ୟା ମାମଲାରେ ସୁଶୀଲ କୁମାର ଏବଂ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସର ସୂଚନାନୁସାରେ, ସୁଶୀଲ, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ ଏବଂ ଅନ୍ୟମାନଙ୍କ ମଧ୍ୟରେ ପାର୍କିଂ ଅଞ୍ଚଳରେ ମାରପିଟ ହୋଇଥିଲା। ଆଉ ସାଗରଙ୍କର ମୃତ୍ୟୁ ହୋଇଯାଇଥିଲା | ଏହି ଘଟଣାରେ ସୁଶୀଲଙ୍କ ସମେତ ଅନ୍ୟମାନଙ୍କ ନାମରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ସୂଚନା ଥାଉ କି କୁସ୍ତିରେ ସେ ୨୦୧୨ ଲଣ୍ଡନ ଅଲମ୍ପିକରେ ରୋପ୍ୟ ଓ ୨୦୦୮ ବେଜିଙ୍ଗ ଅଲମ୍ପିକରେ ବ୍ରୋଞ୍ଚ ପଦକ ଜିତିଥିଲେ |

ସମ୍ବନ୍ଧିତ ଖବର