ବ୍ରିଷ୍ଟଲ: ଡେଭିଡ୍ ୱାର୍ନର ତାଙ୍କ ଅନ୍ତର୍ଜାତୀୟ ପ୍ରତ୍ୟାବର୍ତନର ପ୍ରଥମ ମୁକାବିଲାରେ ଅର୍ଧଶତକ ଅର୍ଜନ କରିଛନ୍ତି। ପ୍ରଥମେ ପ୍ରଥମେ ମନ୍ଥର ଖେଳିଥିଲେ ମଧ୍ୟ ପରେ ଗତି ବଢ଼ାଇ ୮୯* ରନ୍‌ର ପାଳି ଖେଳିଛନ୍ତି। ତାଙ୍କ ଦାୟିତ୍ବବାନ ବ୍ୟାଟିଂ ବଳରେ ଆଫଗାନିସ୍ତାନକୁ ୭ ୱିକେଟରେ ହରାଇ ଗତଥରର ବି‌ଜେତା ଅଷ୍ଟ୍ରେଲିଆ ଆତ୍ମବିଶ୍ବାସର ସହ ଦ୍ବାଦଶ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି। ଶନିବାର ରାତିରେ ଏହି ମୁକାବିଲାରେ ଆଫଗାନିସ୍ତାନ ମାତ୍ର ୨୦୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଅଷ୍ଟ୍ରେଲିଆ ୩୪.୫ ଓଭରରେ ୩ ୱିକେଟ୍ ହରାଇ ୨୦୯ ରନ୍ କରିବା ସହ ସହଜ ବିଜୟ ହାସଲ କରିଥିଲା। ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ବିଶ୍ବକପକୁ ଆସିଥିବା ୱାର୍ନର ନିଜ ଅଧିନାୟକ ଆରୋନ ଫିଞ୍ଚ (୬୬ ରନ୍, ୪୯ ବଲ୍, ୬ ଚୌକା‌, ୪ ଛକା)ଙ୍କ ସହ ମିଶି ଅଷ୍ଟ୍ରେଲିଆ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ଉଭୟ ପ୍ରଥମ ୱିକେଟ୍‌ରେ ୯୬ ରନ୍ ଯୋଡ଼ିଥି‌ଲେ। ତୃତୀୟ ସ୍ଥାନରେ ଖେଳିଥିବା ଉସମାନ ଖୱାଜା ୧୫ ଏବଂ ବର୍ଷକର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥ୍ ୧୮ ରନ୍‌ର ଯୋଗଦାନ ଦେଇଥିଲେ। ସ୍ବିଥ୍ ଆଉଟ୍ ହେବାର ଗୋଟିଏ ବଲ୍ ପରେ ଚୌକା ମାରି ଗ୍ଲେନ୍ ମ୍ୟାକ୍ସୱେଲ୍ ଅଷ୍ଟ୍ରେଲିଆ ବିଜୟରେ ମୁଣ୍ଡି ମାରିଥିଲେ। ୱାର୍ନର ତାଙ୍କ ଚିତ୍ତାକର୍ଷକ ପାଳି ପାଇଁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ସୂଚନାଯୋଗ୍ୟ ଯେ କେପଟାଉନ୍ ଟେଷ୍ଟର ବଲ୍ ବିକୃତ ବିବାଦ ପାଇଁ ୱାର୍ନର ଓ ସ୍ମିଥଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ ବର୍ଷକ ପାଇଁ ବାସନ୍ଦ କରିଥିଲା।

Advertisment

ଜାମ୍ପା, କମିନ୍ସଙ୍କ ବୋଲିଂ କମାଲ
ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫ୍‌ଗାନିସ୍ତାନ ୩୮.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୦୭ ରନ୍ କରିଥିଲା। ମ୍ୟାଚ୍‌ର ପ୍ରଥମ ଓଭରର ତୃତୀୟ ବଲ୍‌ରେ ମହମ୍ମଦ ସାହଜାଦ (୦)ଙ୍କୁ ବୋଲ୍ଡ କରି ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆକୁ ପ୍ରଥମ ସଫଳତା ଦେଇଥିଲେ। ଏହାର ପରବର୍ତୀ ଓଭରରେ ହଜ୍ରାତୁଲ୍ଲା ଜଜାଇଙ୍କୁ ଆଉଟ୍‌ କରି ପ୍ୟାଟ୍ କମିନ୍ସ ଆଫ୍‌ଗାନିସ୍ତାନକୁ ଦ୍ବିତୀୟ ଝଟ୍‌କା ଦେଇଥିଲେ। ୫ ରନ୍‌ ମଧ୍ୟରେ ପ୍ରାରମ୍ଭିକ ଦୁଇ ବ୍ୟାଟ୍ସମ୍ୟାନ୍‌କୁ ହରାଇ ସଙ୍କଟରେ ପଡ଼ିଥିଲା ଅନଭିଜ୍ଞ ଆଫଗାନିସ୍ତାନ। ସ୍ପିନର ଆଦାମ ଜାମ୍ପା (୮-୦-୬୦-୩) ଟିକିଏ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ତେବେ ଆଫଗାନିସ୍ତାନର ତିନି ଜଣ ମହତ୍ବପୂର୍ଣ୍ଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ଏହି କ୍ଷତିକୁ ସଫଳତାର ସହ ଭରଣା କରି ନେଇଥିଲେ। ତେବେ ରହମାତ ସାହଙ୍କ ୪୩, ଗୁଲ୍‌ବାଦିନ ନାଏବଙ୍କ ୩୧ ରନ୍‌, ରସିଦ ଖାନ୍‌ଙ୍କ ବିସ୍ପୋରକ ୨୭ ରନ୍‌ (୧୧ ବଲ୍‌, ୨ ଚୌକା, ୩ ଛକା) ଏବଂ ନାଜିବୁଲ୍ଲା ଜର୍ଦାନ (୫୧, ୪୯ ବଲ୍‌, ୭ ଚୌକା, ୨ ଛକା) ଉପଯୋଗୀ ପାଳି ବଳରେ ୨୦୦ ରନ୍ ପାରି କରି ନେଇଥିଲା।