ନର୍ଥସାଉଣ୍ଡ ଟେଷ୍ଟ୍‌: ଇଂଲଣ୍ଡକୁ ବଞ୍ଚାଇଲେ ବେୟାରଷ୍ଟୋ

ନର୍ଥସାଉଣ୍ଡ: ମାତ୍ର ୧୧୫ ରନ୍‌ରେ ଅଧାଦଳ ହରାଇ ସଙ୍କଟରେ ପଡ଼ିଥିବା ଇଂଲଣ୍ଡକୁ ମଧ୍ୟକ୍ରମ ବ୍ୟାଟର୍‌ ଜନି ବେୟାରଷ୍ଟୋ ବଞ୍ଚାଇ ଦେଇଛନ୍ତି। ତାଙ୍କ ଲଢ଼ୁଆ ତଥା ୧୪୦ ରନ୍‌ର ବହୁମୂଲ୍ୟ ପାଳି ବଳରେ ଇଂଲଣ୍ଡ ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ପ୍ରଥମ ପାଳିରେ ୩୧୧ ରନ୍‌ର ସମ୍ମାନଜନକ ସ୍କୋର କରି ନେଇଛି। ଇଣ୍ଡିଜ୍ ବୋଲରମାନେ ଇଂଲଣ୍ଡ ଶୀର୍ଷକ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରିବା ପରେ ବେୟାରଷ୍ଟୋ ଏବଂ ବେନ୍ ଷ୍ଟୋକ୍ସ ଷଷ୍ଠ ୱିକେଟ୍‌ରେ ୯୯ ରନ୍ ଯୋଡ଼ି ସ୍ଥିତି ସମ୍ଭାଳି ନେଇଥିଲେ। ବିଶେଷ କରି ବେୟାରଷ୍ଟୋ ଅସୀମ ଧୈର୍ଯ୍ୟର ପରିଚୟ ଦେଇ ୧୯୦ ବଲ୍‌ରୁ ୧୭ ଚୌକା ସହାୟତାରେ ଟେଷ୍ଟ୍ କ୍ରିକେଟ୍‌ରେ ବ୍ୟକ୍ତିଗତ ଭାବେ ଅଷ୍ଟମ ଶତକ ହାସଲ କରି ନେଇଥିଲେ। ଫଳରେ ଇଂଲଣ୍ଡ ମଙ୍ଗଳବାର ୨୬୮/୬ରେ ପ୍ରଥମ ଦିନର ଶେଷ ଶେଷ କରିଥିଲା।

ବୁଧବାର ସେହି ଓଭରନାଇଟ୍ ‌ସ୍କୋର୍‌ରୁ ଖେଳ ଆରମ୍ଭ କରି ଇଂଲଣ୍ଡ ଆଉ ୪୩ ରନ୍‌ରେ ବଳକା ୪ ୱିକେଟ୍ ହରାଇଥିଲା। ଆଜିର ଦ୍ବିତୀୟ ଦିନ ଖେଳରେ ବର୍ଷା ଏକପ୍ରକାର ଲୁଚକାଳି ଖେଳିଥିଲା। ବାରମ୍ବାର ହୋଇ ଛାଡ଼ିଥିଲା। ଏହାର ଫାଇଦା ନେଇ ଇଣ୍ଡିଜ୍ ବୋଲରମାନେ ଗୋଟିଏ ଓଭରରେ ଦୁଇଟି ସହ ୨୦ ରନ୍‌ରେ ଇଂଲଣ୍ଡର ତିନିଟି ୱିକେଟ୍ ଝାଡ଼ି ଦେଇଥିଲେ। ଶେଷ ୱିକେଟ୍ ଭାବେ ବେୟାରଷ୍ଟୋ ପ୍ରତିପକ୍ଷ ବୋଲର ଆଲଜେରି ଯୋଶେଫଙ୍କ ଶିକାର ହୋଇଥିଲେ। ୨୧ ବର୍ଷୀୟ ଦ୍ରୁତ ବୋଲର ଜାୟେଡେନ୍ ସେଲ୍ସ ୭୯ ରନ୍ ବ୍ୟୟ କରି ୪ ୱିକେଟ୍ ନେଇଥିଲେ। ଇଣ୍ଡିଜ୍‌ର ସେ ହିଁ ସଫଳତମ ‌େବାଲର ଥିଲେ। ଏହାର ଜବାବରେ ବୁଧବାର ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ୱେଷ୍ଟଇଣ୍ଡିଜ୍‌ ବିନା କ୍ଷତିରେ ୪୪ ରନ୍‌ କରିନେଇଥିଲା।

ସମ୍ବନ୍ଧିତ ଖବର