ନାଗପୁର: ନାଗପୁର ଟେଷ୍ଟ୍‌ର ପ୍ରଥମ ଦିବସରେ ରବୀନ୍ଦ୍ର ଜାଦେଜା ଓ ମହମ୍ମଦ ସିରାଜଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ନେଇ ସାମାଜିକ ଗଣମାଧ୍ୟମ ପ୍ରଶ୍ନ ଉଠାଇଥିଲା। ଦୁହେଁ କିଛି ଆଲୋଚନା କରୁଥିଲା ବେଳେ ବଲ୍‌କୁ ଟାମ୍ପରିଂ କରୁଥିବାର ସନ୍ଦେହ ହୋଇଥିଲା। ସିରାଜଙ୍କଠୁ କିଛି ନେଇ ଜାଦେଜା ତାଙ୍କ ସ୍ପିନିଂ ଆଙ୍ଗୁଠିରେ ଲଗାଉଥିବା ଦେଖାଯାଇଥିଲା। ଏହାର କ୍ଲିପ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଯାଇଥିଲା।

Advertisment

ହେଲେ ଏଭଳି ରିପୋର୍ଟ ପ୍ରକାଶ ପାଇବା ପରେ ଟିମ୍‌ ଇଣ୍ଡିଆ ପକ୍ଷରୁ ଶୁକ୍ରବାର ମ୍ୟାଚ୍‌ ରେଫରିଙ୍କୁ ସଫେଇ ଦିଆଯାଇଛି। ବଲ୍‌ ଟାମ୍ପରିଂ ନୁହେଁ, ଜାଦେଜା ତାଙ୍କ ଆଘାତ ଆଙ୍ଗୁଠିରେ କଷ୍ଟ ଲାଘବ (ପେନ୍‌ ରିଲିଫ୍‌) କ୍ରିମ୍‌ ବୋଳୁଥିଲେ ବୋଲି ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ୍‌ ମ୍ୟାଚ୍‌ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ କହି ସମସ୍ତ କଳ୍ପନାଜଳ୍ପନାକୁ ନିରବ କରିଦେଇଛନ୍ତି। ହେଲେ ଜାଦେଜାଙ୍କ ଆଙ୍ଗୁଠିରେ କିଛି ବୋଳିବା ଘଟଣାକୁ ନେଇ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ପକ୍ଷରୁ ମ୍ୟାଚ୍‌ ରେଫରିଙ୍କ ନିକଟରେ କୌଣସି ପ୍ରତିକ୍ରିୟା ରଖାଯାଇନଥିଲା।