ବେଙ୍ଗାଲୁରୁ: ଭାରତୀୟ କିଂବଦନ୍ତି କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ସହ ମୁଁ ତୁଳନୀୟ ନୁହେଁ। ଯେତେବେଳେ ଲୋକମାନେ ମୋତେ ତାଙ୍କ ସହ ତୁଳନା କରନ୍ତି ମୁଁ ଲଜ୍ଜିତ ‌ହୁଏ। ସଚିନ ମୋ ପାଇଁ ପ୍ରେରଣା ବୋଲି ବିରାଟ କୋହଲି କହିଛନ୍ତି। ‘‘ଯେଉଁ ଲୋକମାନଙ୍କର ଖେଳ ଉପରେ କୌଣସି ଜ୍ଞାନ ନାହିଁ ସେମାନେ ହିଁ ସଚିନ ତେନ୍ଦୁଲକରଙ୍କ ସହ ମୋତେ ତୁଳନା କରନ୍ତି। ସେତେବେଳେ ମୁଁ ଲଜ୍ୟା ଅନୁଭବ କରେ ଏବଂ ପ୍ରତ୍ୟେକ ଥର ହସେ। ମୁଁ ଭାବେ ‌ଲୋକମାନେ ଏଭଳି ପରିସଂଖ୍ୟାନ କେଉଁଠୁ ପାଉଛନ୍ତି। କିନ୍ତୁ ଏହି ପରିସଂଖ୍ୟାନ ଭିନ୍ନ କାହାଣୀ କହିଥାଏ। ସଚିନ ତେନ୍ଦୁଲକର ସର୍ବଦା ମୋ ପାଇଁ ପ୍ରେରଣାଦାୟକ ହୋଇଛନ୍ତି। ସେ ମୋତେ ନିଜର ବୋଲି ଭାବନ୍ତି। କାରଣ ସମସ୍ତଙ୍କ ପ୍ରତି ତାଙ୍କର ବିଶ୍ବାସ ରହିଥାଏ। ସେ ସମସ୍ତଙ୍କ ପ୍ରେରଣା। ସଚିନ ଏବଂ ଭିଭି ରିଚାର୍ଡସଙ୍କ ସହ କାହାକୁ ତୁଳନା କରାଯିବା ଉଚିତ ନୁହେଁ।

Advertisment

ସେମାନେ ନିଜ ନିଜ ଯୁଗର ଶ୍ରେଷ୍ଠ। ସେ ସମୟର ସେମାନେ ବିରଳ’’ ବୋଲି ଜିଓ ‌ସିନେମାରେ ‌ରବିନ ଉଥାପ୍ପାଙ୍କ ସହ ଏକ ସାକ୍ଷାତକାରରେ ଏଭଳି ମନ୍ତବ୍ୟ ଦେଇଛନ୍ତି କୋହଲି। ଏହି ଅବସରରେ କୋହଲି କୋଲ୍‌କାତା ନାଇଟ୍‌ ରାଇଡର୍ସର ରିଙ୍କୁ ସିଂହଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ‘‘ସଂପ୍ରତି ଆଇପିଏଲ୍‌ରେ ଅନେକ ମ୍ୟାଚ୍‌ ବିଜୟୀ ବହାରିଲେଣି। ଯେପରିକି ‌ରିଙ୍କୁ ସିଂହ ୫ ବଲ୍‌ରେ ୫ ଛକା ମାରି ଦଳକୁ ଜିତାଇଥିଲେ। ତାହା ପ୍ରଶଂସନୀୟ। ଏଭଳି କେମିତି ହେଲା ମୁଁ ଭାବି ପାରିଲିନି। କିନ୍ତୁ ସେମାନେ (ତେନ୍ଦୁଲକର ଓ ରିଚାର୍ଡସ) ଯାହା କରୁଥିଲେ କେହି କରିପାରିବେନି। ‌ଏଥିପାଇଁ ସେମାନେ ମହାନ’’ ବୋଲି କୋହଲି କହିଛନ୍ତି। ‌ପତ୍ନୀ ଅନୁଷ୍କା ଶର୍ମାଙ୍କ ପାଇଁ ନକାରାତ୍ମକ ମାନସିକତାରୁ ବାହାରିଥିଲେ ବୋଲି ସେ ଏହି ଅବସରରେ କହିଥିଲେ।