କୋହଲି ଓ ରୋହିତଙ୍କୁ ତୁଳନା କରନି, ଦୁହେଁ ପରସ୍ପରର ପରିପୂରକ: ହଗ୍‌

ନୂଆଦିଲ୍ଲୀ: ପିଛା କଲା ବେଳେ ମ୍ୟାଚ୍‌କୁ ଜିତାଇବାର ସାମର୍ଥ୍ୟ ଦୃ‌ଷ୍ଟିରୁ ସଚିନ୍‌ ତେନ୍ଦୁଲକରଙ୍କ ତୁଳନାରେ ବିରାଟ କୋହଲି ଶ୍ରେଷ୍ଠ ବୋଲି ନିକଟରେ ପୂର୍ବତନ ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍‌ କେଭିନ୍‌ ପିଟରସନ୍‌ କହିଥିଲେ। ଏବେ କିନ୍ତୁ ପୂର୍ବତନ ଅଷ୍ଟ୍ରେଲୀୟ ସ୍ପିନର ବ୍ରାଡ୍‌ ହଗ୍‌ କହିଛନ୍ତି, ପିଛା କଲା ବେଳେ ମ୍ୟାଚ୍‌ ଫିନିସ୍‌ କରିବାର ସାମର୍ଥ୍ୟ ଦୃଷ୍ଟିରୁ ରୋହିତଙ୍କ ତୁଳନାରେ କୋହଲି ହିଁ ଶ୍ରେଷ୍ଠ। ତେବେ ଉଭୟଙ୍କ ଭୂମିକା ଭିନ୍ନ ଭିନ୍ନ ରହିଥିବା‌ରୁ କୋହଲି ଓ ରୋହିତଙ୍କ ମଧ୍ୟରେ ତୁଳନା କରାଯାଇପାରିବ ନାହିଁ ବୋଲି ନିଜ ମନ୍ତବ୍ୟରେ ହଗ୍‌ ଯୋଡ଼ିଛନ୍ତି। ଉଭୟଙ୍କ ତୁଳନାକୁ ନେଇ ନିଜ ୟୁଟ୍ୟୁବ୍‌ ଚାନେଲ୍‌ରେ ହଗ୍‌ଙ୍କୁ ପଚରାଯାଇଥିଲା ବେଳେ ସେ ଏଭଳି ଉତ୍ତର ଦେଇଛନ୍ତି। ହଗ୍‌ଙ୍କ କହିବା କଥା ହେଲା, ବିରାଟ କୋହଲି ଖୁବ୍‌ ଭଲ। କାରଣ ଯେତେବେଳେ ଭାରତ କୌଣସି ବଡ଼ ସ୍କୋର୍‌ର ପିଛା କରେ ସେତେବେଳେ କୋହଲି ଅଧିକ ସ୍ଥିର ପ୍ରଦର୍ଶନ ଦେଇଥା’ନ୍ତି। ଭାରତ ଦ୍ବିତୀୟରେ ବ୍ୟାଟିଂ କଲାବେଳେ ସେ ପ୍ରାଚୀର ଭଳି ଛିଡ଼ା ହୁଅନ୍ତି ଏବଂ ମ୍ୟାଚ୍‌ ବଞ୍ଚାଇ ବି ପାରନ୍ତି। ହେଲେ ପ୍ରକୃତରେ ତୁମେ ଉଭୟ କୋହଲି ଓ ରୋହିତଙ୍କୁ ତୁଳନା କରିପାରିବନି। ଦୁହିଁଙ୍କର ଭୂମିକା ଅଲଗାଅଲଗା। ରୋହିତଙ୍କ ଭୂମିକା ହେଲା, ପଡ଼ିଆରେ କ୍ଷେତ୍ରରକ୍ଷଣ କଟକଣା ଥିଲାବେଳେ ନୂଆ ବଲ୍‌ ବୋଲରଙ୍କ ବିପକ୍ଷରେ ତାଙ୍କର ଆଭିମୁଖ୍ୟ ଆକ୍ରମଣାତ୍ମକ ରହିଥାଏ। ଅନ୍ୟପକ୍ଷରେ ପୂରା ପାଳିରେ ବ୍ୟାଟିଂ କରିବାରେ କୋହଲିଙ୍କ ଭୂମିକା ଥାଏ। ଏପରିକି କୋହଲି ଶେଷ ପର୍ଯ୍ୟନ୍ତ ଲଢ଼ନ୍ତି ଏବଂ ପ୍ରତିପକ୍ଷକୁ ଚେତାବନୀ ଦେଇଥାନ୍ତି। ଏହି ଦୃଷ୍ଟିରୁ ଉଭୟ କୋହଲି ଓ ରୋହିତ ପରସ୍ପରର ପରିପୂରକ ବୋଲି କହିଛନ୍ତି ହଗ୍‌। ପୂର୍ବରୁ ଏମ୍‌ସିସି ଅଧ୍ୟକ୍ଷ କୁମାର ସାଙ୍ଗାକାରା ଉଭୟ କୋହଲି ଓ ରୋହିତ ଆଧୁନିକ ଯୁଗର ଏକ ପରିଭାଷିତ କଲାଭଳି ଯୋଡ଼ି ବୋଲି ‘କ୍ରିକେଟ୍‌ କନେକ୍ଟେଡ୍‌’କୁ କହିଥିଲେ।

ସଚିନ୍‌ ୧୦୦ ଆନ୍ତର୍ଜାତିକ ଶତକ ହାସଲ କରିଥିଲା ବେଳେ କୋହଲି ଏବେ ସୁଦ୍ଧା ୭୦ ସଂଖ୍ୟାରେ ପହଞ୍ଚିଗଲେଣି। ପୁଣି କୋହଲି ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନରେ ଥିଲା ବେଳେ ଟେଷ୍ଟ୍‌ ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ରୋହିତ ୨୦୧୯ ବିଶ୍ବକପ୍‌ରେ ସର୍ବୋଚ୍ଚ ସ୍କୋରର୍‌ (୬୪୮) ରହିଥିଲା ବେଳେ ୯ ମ୍ୟାଚ୍‌ରୁ ୮୧ ହାର ପାଇଥିଲେ। ଆଉ ସେହି ବିଶ୍ବକପ୍‌ରେ ସେ ମଧ୍ୟ ୫ ଶତକ ଜମାଇ ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ଭ‌ାବେ କିର୍ତ୍ତିମାନ ରଚିଥିଲେ। ରୋହିତ ବିଶ୍ବର ଏକମାତ୍ର ଖେଳାଳି ଯିଏକି ନିଜ ନାମରେ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ରେ ୩ ଦ୍ବିଶତକ ରଖିଛନ୍ତି। ସେ ମଧ୍ୟ ଦିନିକିଆରେ ବ୍ୟକ୍ତିଗତ ସର୍ବାଧିକ ସ୍କୋର୍‌ (୨୬୪, ଶ୍ରୀଲଙ୍କା ବିପକ୍ଷ ଇଡେନ୍‌ ଗାର୍ଡେନ୍‌ରେ) ହାସଲ କରିବାର କୀର୍ତ୍ତି ବହନ କରିଛନ୍ତି। ତେବେ ଉଭୟ (କୋହଲି ଓ ରୋହିତ)ଙ୍କ କ୍ଷେତ୍ରରେ କେତେକ ସ୍ବତନ୍ତ୍ରତା ରହିଛି। ଏବେ ନିୟମ ବଦଳିଯାଇଛି ଏବଂ ବିଶେଷକରି ଦିନିକିଆ କ୍ରିକେଟ୍‌ରେ ରନ୍‌ ସ୍କୋର୍‌ କରିବା ଅପେକ୍ଷାକୃତ ସହଜ ହୋଇଯାଇଛି। ହେଲେ ଦୁହେଁ ସବୁ ଫର୍ମାଟ୍‌ରେ ସ୍ଥିର ପ୍ରଦର୍ଶନ ଦେଇପାରନ୍ତି। ଏପରିକି ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ବି। ଭାରତୀୟ କ୍ରିକେଟର୍‌ମାନେ ଯେଉଁ ପରିମାଣର ମ୍ୟାଚ୍‌ ଖେଳୁଛନ୍ତି ତାହା ଅବଶ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ। ତେଣୁ ମୁଁ ଭାବୁଛି ତୁମେ ଉଭୟ କୋହଲି ଓ ରୋହିତଙ୍କ ପାଇଁ ଯଥେଷ୍ଟ ସମ୍ମାନ ରଖ। ଏହାସତ୍ତ୍ବେ ବୁଝିବା କଥା ଯେ ଯେଉଁମାନେ ପୂର୍ବରୁ ‌ଖେଳିସାରିଛନ୍ତି ସେମାନେ ସମସ୍ତେ ମଧ୍ୟ କଷ୍ଟସାଧ୍ୟ ପ୍ରୟାସ ଦେଇଥିଲେ। ପ୍ରତ୍ୟେକ ଯୁଗରେ ଖେଳାଳିମାନେ ଶ୍ରେଷ୍ଠ ପ୍ରଦର୍ଶନ ପ୍ରୟାସ କରିଥାନ୍ତି। ଏହା ସମସ୍ତଙ୍କ ପାଇଁ ଅବସର ଥାଏ। ସବୁ ଯୁଗରେ ବି ପରିଭାଷିତ ଯୋଡ଼ି ଥା’ନ୍ତି ଏବଂ ଆଧୁନିକ ଯୁଗରେ କୋହଲି ଓ ରୋହିତଙ୍କୁ ଭାରତ ପାଇଁ ସେଭଳି ଯୋଡ଼ି ଭାବେ ବିବେଚିତ କରାଯା‌ଉଛି ବୋଲି ହଗ୍‌ କହିଛନ୍ତି।

ସମ୍ବନ୍ଧିତ ଖବର