ନାନଜିଙ୍ଗ୍ (ଚୀନ୍): ବିଶ୍ୱ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲର ସ୍ୱପ୍ନ ଭାରତୀୟ ଲଳନା ପିଭି ସିନ୍ଧୁଙ୍କ ପାଇଁ ଅଧୁରା ରହିଗଲା। ରବିବାର ମହିଳା ଏକକ ଫାଇନାଲ୍ରେ ତାଙ୍କର ମୁକାବିଲା ଅଲିମ୍ପିକ୍ ବିଜୟନୀ ସ୍ପେନ୍ର କାରୋଲିନା ମାରିନ୍ଙ୍କ ସହ ହୋଇଥିଲା। ୨୦୧୬ ଅଲିମ୍ପିକ୍ସ ଫାଇନାଲ୍ରେ ସେହି ମାରିନ୍ଙ୍କଠୁ ହାରିଥିବାରୁ ପ୍ରତିଶୋଧ ସୁଯୋଗ ବି ରହିଥିଲା। ଚଳିତ ବର୍ଷ ମାଲେସିଆ ଓପନ୍ରେ ମାରିନ୍ଙ୍କ ପରାସ୍ତ କରିଥିବାରୁ ସିନ୍ଧୁ ସେହି ସଫଳତା ବଜାୟ ରଖି ବିଶ୍ୱ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିବାର ଆଶା ମଧ୍ୟ ରଖିଥିଲେ। ତାଙ୍କର ସେହି ସ୍ୱପ୍ନକୁ ସାକାର ହେବାକୁ ଦେଇନଥିଲେ ମାରିନ୍। ରବିବାର ଫାଇନାଲ୍ରେ ମାରିନ୍ ୨୧-୧୯ ଓ ୨୧-୧୦ରେ ସିନ୍ଧୁଙ୍କୁ ପରାସ୍ତ କରି ତୃତୀୟ ଥର ପାଇଁ ବିଶ୍ୱ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାତେଇ ନେଇଥିଲା ବେଳେ କ୍ରମାଗତ ଦ୍ୱିତୀୟ ଥର ପାଇଁ ସିନ୍ଧୁ ରୌପ୍ୟରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହେଲେ। ସିନ୍ଧୁଙ୍କ ବିପକ୍ଷରେ ମାରିନ୍ ମଧ୍ୟ ତାଙ୍କ ବିଜୟ ବ୍ୟବଧାନକୁ ୭-୫କୁ ବଢ଼ାଇଲେ। ବିଶ୍ୱ ପ୍ରତିଯୋଗିତାରେ ୩ ଥର ସ୍ୱର୍ଣ୍ଣ ଜିତିବାରେ ମାରିନ୍ ବିଶ୍ୱର ପ୍ରଥମ ମହିଳା ଖେଳାଳି ହେବାର ଗୌରବ ପାଇଲେ। ମାରିନ୍ ଏହା ପୂର୍ବରୁ ୨୦୧୪ ଓ ୨୦୧୫ରେ ଲଗାତାର ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅଲିମ୍ପିକ୍ ରୌପ୍ୟ ବିଜୟିନୀ ସିନ୍ଧୁ ରବିବାର ପରାଜୟରେ ଖୁବ୍ ନିରାଶ ହୋଇଛନ୍ତିି। ଚଳିତ ବର୍ଷ ସିନ୍ଧୁଙ୍କର ଏହା ଚତୁର୍ଥ ଫାଇନାଲ୍ ପରାଜୟ ଥିଲା। କେବଳ ସେତିକି ନୁହେଁ ୨୦୧୬ ପରଠୁ ସିନ୍ଧୁ ମୋଟ ୮ଟି ବୃହତ୍ ପ୍ରତିଯୋଗିତାର ଫାଇନାଲ୍ରେ ପରାଜିତ ହୋଇଛନ୍ତି। ରିଓ ଅଲିମ୍ପିକ୍ସ ପରେ ହଂକଂ ଓପନ୍ (୨୦୧୭ ଓ ୨୦୧୮), ସୁପର ସିରିଜ୍ ଫାଇନାଲ୍ (୨୦୧୭), ଇଣ୍ଡିଆ ଓପନ୍ (୨୦୧୮) ଏବଂ ଥାଇଲାଣ୍ଡ୍ ଓପନ୍ (୨୦୧୮) ଫାଇନାଲ୍ରେ ମଧ୍ୟ ସିନ୍ଧୁ ଝୁଣ୍ଟିଥିଲେ। ଏଥର ଅନ୍ୟତମ ଜାପାନୀ ଖେଳାଳି ତଥା ବିଶ୍ୱ ମାନ୍ୟତାର ଦ୍ୱିତୀୟ ଅକାନେ ୟାମାଗୁଚିଙ୍କୁ ସେମିଫାଇନାଲ୍ରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲ୍ ପ୍ରବେଶ କରିଥିଲେ। ପୂର୍ବରୁ ତିନିଥର ବିଶ୍ୱ ପ୍ରତିଯୋଗିତାରେ ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ଜିତିଥିବା ୨୩ ବର୍ଷ ବୟସ୍କା ସିନ୍ଧୁ ସ୍ୱର୍ଣ୍ଣ ଜିତିଥିଲେ ପ୍ରଥମ ଭାରତୀୟ ହେବାର ଇତିହାସ ରଚିଥାନ୍ତେ। ଗତବର୍ଷ ଫାଇନାଲ୍ରେ ଜାପାନୀ ଖେଳାଳି ନାଜୋମୀ ଓକୁହାରାଙ୍କ ନିକଟରୁ ହାରି ସିନ୍ଧୁ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ଏହାସତ୍ତ୍ୱେ ୪ ଥର ବିଶ୍ୱ ପ୍ରତିଯୋଗିତାରେ ପଦକ ଅମଳ କରିବାରେ ସିନ୍ଧୁ ଏକମାତ୍ର ଭାରତୀୟ ହେବାର ଗୌରବ ବହନ କରିଛନ୍ତି। ଏହା ପୂର୍ବରୁ ବିଶ୍ୱ ପ୍ରତିଯୋଗିତାରେ ଦୁଇଟି କାଂସ୍ୟ (୨୦୧୩ ଓ ୨୦୧୪) ଓ ଗୋଟିଏ ରୌପ୍ୟ (୨୦୧୭) ପଦକ ଜିତି ସାରିଥିଲେ।
ସ୍ୱର୍ଣ୍ଣ ସ୍ୱପ୍ନ ଅଧୁରା
ମାରିନ୍ଙ୍କଠୁ ହାରି ସିନ୍ଧୁ ରୌପ୍ୟରେ ସନ୍ତୁଷ୍ଟ
/sambad/media/post_attachments/wp-content/uploads/2018/08/1533466672_1533466711Path.jpg)