କେବଳ ବ୍ୟାଟିଂ ୱିକେଟ୍‌ ଯୁକ୍ତି ସଂଗତ ନୁହେଁ: ଜୟବର୍ଦ୍ଧନେ

ମୁମ୍ବାଇ : ସଂପ୍ରତି ଚାଲିଥିବା ଆଇପିଏଲ୍‌ରେ ଦୁଇ ପ୍ରକାରର ପିଚ୍‌ ଦେଖିବାକୁ ମିଳିଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ବଡ଼ ସ୍କୋର୍‌ ଦେଖିବାକୁ ମିଳୁଥିଲା ବେଳେ ଚେନ୍ନାଇରେ ରନ୍‌ ପାଇଁ ବ୍ୟାଟ୍ସମ୍ୟାନ୍‌ ସଂଘର୍ଷ କରୁଛନ୍ତି। ଚେନ୍ନାଇରେ ୧୫୦ ରନ୍‌ ଏକ ସଂଘର୍ଷପୂର୍ଣ୍ଣ ସ୍କୋର୍‌ ‌ହୋଇଥିଲା ‌‌ବେଳେ ଅନେକ କ୍ରିକେଟ୍‌ ପଣ୍ଡିତ ଏହା ଟ୍ବେଣ୍ଟି-୨୦ କ୍ରିକେଟ୍‌ ପାଇଁ ଠିକ୍‌ ନୁହେଁ ବୋଲି ମତ ଦେଇଛନ୍ତି।

ଟ୍ବେଣ୍ଟି-୨୦ରେ ଚୌକା ଓ ଛକା‌ ଦର୍ଶକଙ୍କୁ ଆକର୍ଷିତ କରିଥାଏ ବୋଲି ମତ ଦେଉଛନ୍ତି। କିନ୍ତୁ ଆଇପିଏଲ୍ ବ୍ୟାଟିଂ ୱିକେଟ୍ ନୁହେଁ। ନିରପେକ୍ଷ ସ୍ଥାନରେ ଆୟୋଜିତ ହେଉଥିବାରୁ ଏହା ‌ପ୍ରଶଂସକଙ୍କୁ ଆକର୍ଷିତ କରିଥାଏ ବୋଲି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ମୁମ୍ବାଇ ଇଣ୍ଡିଆନ୍ସ ମୁଖ୍ୟ ପ୍ରଶିକ୍ଷକ ମାହେଲା ଜୟବର୍ଦ୍ଧନେ କହିଛନ୍ତି।

”ମୁଁ ଭାବୁଛି ଆଇପିଏଲ୍‌ରେ ଖାଲି ବ୍ୟାଟିଂ ୱିକେଟ୍‌ ରଖିବା ଠିକ୍‌ ହେବନି। ବିଭିନ୍ନ ସ୍ଥାନରେ ମ୍ୟାଚ୍‌ ଆୟୋଜନ ଏବଂ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେଉଥିବାରୁ ଆକର୍ଷଣ ବଢ଼ୁଛି। ହଁ ଚେନ୍ନାଇରେ ୱିକେଟ୍ ଟିକେ ଧୀମା ରହୁଛି। କିନ୍ତୁ ଗତ କିଛି ମ୍ୟାଚ୍‌ରେ ଆମେ ୧୫୦-୧୬୦ ରନ୍‌ କରିଛୁ” ବୋଲି ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌ ପୂର୍ବରୁ ଜୟବର୍ଧନେ କହିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୧୫୯ ‌ରନ୍‌ କରିବା ସତ୍ତ୍ବେ ୨ ୱିକେଟ୍‌ରେ ପରାଜିତ ହୋଇଥିଲା। ଏହାପରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ୧୫୨ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୫୦ ରନ୍‌ର କମ୍‌ ସ୍କୋର୍‌ କରି ବିଜୟୀ ହୋଇଥିଲା। ଏହି ଦୁଇ ବିଜୟ ଆମର ମନୋବଳକୁ ବଢ଼ାଇଛି। ପ୍ରତିଦ୍ବନ୍ଦ୍ବିତାମୂଳକ ୱିକେଟ୍ ଥିଲେ ମଧ୍ୟ ଏହା ପାଇଁ ଆମେ ପୂରା ପ୍ରସ୍ତୁତ ରହିଛୁ। ପ୍ରତି ମ୍ୟାଚ୍‌ରେ ଆମର ରଣକୌଶଳ ବଦଳାଇ ଖେଳୁଛୁ ବୋଲି ସେ କହିଛନ୍ତି।

ହାର୍ଦିକ ବୋଲିଂ କରିବେ
ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟ୍‌ ନିର୍ଦ୍ଦେଶକ ଜହିର ଖାନ କିଛି ଦିନ ତଳେ କହିଥିଲେ ଯେ ‘‘ହାର୍ଦ୍ଦିକ ପାଣ୍ଡ୍ୟା ଖୁବ ଶୀଘ୍ର ବୋଲିଂ କରିବେ”। କିନ୍ତୁ ଏ ପର୍ଯ୍ୟନ୍ତ ହାର୍ଦ୍ଦିକଙ୍କୁ ବୋଲିଂ ସୁଯୋଗ ମିଳିନି। ‘‘ଇଂଲଣ୍ଡ ବିପକ୍ଷ ଦିନିକିଆରେ ହାର୍ଦ୍ଦିକ ବୋଲିଂ କରିଥି‌ଲେ। ତାଙ୍କ ଆଘାତ ସମସ୍ୟା ବଢ଼ାଇବାକୁ ଚାହୁଁନୁ। ଏବେ ତାଙ୍କର ପରୀକ୍ଷା ନିରୀକ୍ଷା ଚାଲିଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ସେ ବୋଲିଂ କରିବେ’’ ବୋଲି ଜୟବର୍ଧନେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର