ବର୍ମିଂହାମ: ଲିଡ୍ସରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଭାରତର ବୋଲିଂ ଦୁର୍ବଳତା ପୂରା ପଦାରେ ପଡ଼ିଥିଲା। ପାଗ, ପରିବେଶ ଓ ପିଚ୍ ସହ ସ୍କୋର୍ ବୋର୍ଡରେ ୩୭୦ ରନ୍ ଥିଲେ ମଧ୍ୟ ଭାରତ ଏହାକୁ ସୁରକ୍ଷିତ ରଖି ପାରି ନଥିଲା। ପ୍ରମୁଖ ବୋଲର ଯଶପ୍ରୀତ ବୁମ୍ରା ଦ୍ବିତୀୟ ପାଳିରେ ନିଷ୍ପ୍ରଭ ରହିବା ପରେ ମହମ୍ମଦ ସିରାଜ, ଶାର୍ଦୁଳ ଠାକୁର ଓ ପ୍ରସିଦ୍ଧ କ୍ରିଷ୍ଣାକୁ ନିର୍ଧୁମ ଛେଚି ଶେଷ ଦିନରେ ଅତି ସହଜରେ ୩୫୧ ରନ୍ ସଂଗ୍ରହ କରି ନେଇଥିଲା ଇଂଲଣ୍ଡ। ବୁମ୍ରା ଉଭୟ ପାଳିରେ ୪୩.୪ ଓଭର ବୋଲିଂ କରିଥିଲେ। ଫଳରେ ସେ ଏବେ ବର୍ମିଂହାମରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍ରେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବୁମ୍ରା ନିୟମିତ ଅଭ୍ୟାସ ନ କରିବା ମଧ୍ୟ ଦଳର ଚିନ୍ତା ବଢ଼ାଇଛି। ସେପଟେ ଲିଡ୍ସ ଟେଷ୍ଟ୍ରେ ୮ଟି କ୍ୟାଚ୍ ହାତଛଡ଼ା କରିବା ପରେ ଫିଲ୍ଡିଂ ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ଆଉ ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ବୋଲିଂ ସହ ଫିଲ୍ଡିଂ ନ ସୁଧାରିଲେ ବର୍ମିଂହାମ ଟେଷ୍ଟ୍ ବଞ୍ଚାଇବା ଶୁବମନ ଗିଲ୍ଙ୍କ ଯୁବ ଦଳ ପାଇଁ ଆହୁରି କଷ୍ଟକର ହେବ ବୋଲି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ବ୍ରାଡ୍ ହାଡିନ୍ କହିଛନ୍ତି।
ବୁମ୍ରା ଅଭ୍ୟାସ କଲେନି, ଅର୍ଶଦୀପଙ୍କ ଉପରେ ଆଶା
ବୁମ୍ରା ଜୁଲାଇ ୨ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ ନ ଖେଳିଲେ, ବାମହାତୀ ଯୁବ ବୋଲର ଅର୍ଶଦୀପ ସିଂହ ତାଙ୍କ ସ୍ଥାନ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ଶନିବାର ଅର୍ଶଦୀପ ବହୁସମୟ ଧରି ନେଟ୍ସରେ ଅଭ୍ୟାସ କରି ଏହାର ସଙ୍କେତ ଦେଇଛନ୍ତି। ସେପଟେ ବୁମ୍ରାଙ୍କ ସହ ପ୍ରଥମ ଟେଷ୍ଟ୍ ଖେଳିଥିବା ପ୍ରସିଦ୍ଧ କ୍ରିଷ୍ଣା ଆଜି ଅଭ୍ୟାସ କରି ନଥିଲେ। ଦିନିକିଆ କ୍ରିକେଟ୍ରେ ନିଜକୁ ସ୍ଥାପିତ କରିସାରିଥିବା ଅର୍ଶଦୀପ ଏପର୍ଯ୍ୟନ୍ତ ଟେଷ୍ଟ୍ କ୍ରିକେଟ୍ ଖେଳି ନାହାନ୍ତି। ବର୍ମିଂହାମରେ ସୁଯୋଗ ମିଳିଲେ ଇଂଲଣ୍ଡ ମାଟିରେ ଟେଷ୍ଟ୍ ପଦାର୍ପଣ କରିଥିବା ଭାରତୀୟ ବାମହାତୀ ବୋଲର୍ଙ୍କ ହାତଗଣତି କ୍ଲବ୍ରେ ସାମିଲ ହେବେ ସେ। ବୁମ୍ରା ନ ଖେଳିଲେ ଭାରତର ସବୁଠାରୁ ଅଭିଜ୍ଞ ବୋଲର୍ ହେବେ ମହମ୍ମଦ ସିରାଜ (୩୭ ଟେଷ୍ଟ୍)। ଲିଡ୍ସରେ ତାଙ୍କୁ ଖେଳିବାରେ ଇଂଲଣ୍ଡ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନଥିଲା। ଭାରତୀୟ ଦଳରେ ଥିବା ଆକାଶ ଦୀପ ୭ ଟେଷ୍ଟ୍ ଖେଳିଥିଲା ବେଳେ ପ୍ରସିଦ୍ଧ ମାତ୍ର ୪ ଟେଷ୍ଟ୍ ଖେଳିଛନ୍ତି। ଅର୍ଶଦୀପ ଗୋଟିଏ ହେଲେ ବି ଟେଷ୍ଟ୍ ଖେଳି ନାହାନ୍ତି। ଏଭଳି ଏକ ଅନଭିଜ୍ଞ ଦ୍ରୁତ ବୋଲିଂ ବାହିନୀ ପାଇଁ ଭାରତ ବର୍ମିଂହାମରେ କଠିନ ପରୀକ୍ଷାର ସମ୍ମୁଖୀନ ହେବ। ବୋଲିଂ ପ୍ରଶିକ୍ଷକ ମର୍ଣ୍ଣି ମର୍କେଲ ଏବଂ ମୁଖ୍ୟପ୍ରଶିକ୍ଷକ ଗୌତମ ଗମ୍ଭୀର ଏକଥା ଜାଣି ନୂଆ ରଣନୀତି ନେଇ ପଡ଼ିଆକୁ ଓହ୍ଲାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି।
ଲାଞ୍ଜକୁ ଶକ୍ତିଶାଳୀ କରିବାକୁ ପ୍ରୟାସ
ଲିଡ୍ସ ଟେଷ୍ଟ୍ର ଉଭୟ ପାଳିରେ ଭାରତ ଦୃଢ଼ ସ୍ଥତିରେ ଥାଇ ମଧ୍ୟ ବଡ଼ ସ୍କୋର୍ କରି ପାରି ନଥିଲା। ନିମ୍ନ ଓ ମଧ୍ୟକ୍ରମ ବ୍ୟାଟର୍ମାନେ ପୂରା ବିଫଳ ହେବା ଏହାର ପ୍ରମୁଖ କାରଣ ଥିଲା। ପ୍ରଥମ ପାଳିରେ ଭାରତ ୪୧ ରନ୍ରେ ଶେଷ ୭ଟି ଏବଂ ଦ୍ବିତୀୟରେ ୩୧ ରନ୍ରେ ଅନ୍ତିମ ୬ ୱିକେଟ୍ ହରାଇ ଇଂଲଣ୍ଡକୁ ମ୍ୟାଚ୍ ଜିତି ନେବାର ସୁଯୋଗ ଦେଇଥିଲା। ବର୍ମିଂହାମରେ ଏହି ଦୁର୍ବଳତା ଦୂର କରିବା ଲାଗି ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବେଠୁ ପ୍ରୟାସ ଆରମ୍ଭ କରିଛନ୍ତି। ସେଥିପାଇଁ ଶନିବାର ବର୍ମିଂହାମରେ ମହମ୍ମଦ ସିରାଜ ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟାକଙ୍କ ତତ୍ତ୍ବାବଧାନରେ ଢେର୍ ସମୟ ନେଟ୍ସ କରୁଥିବା ଦେଖିବାକୁ ମିଳିଥିଲା। କୋଟାକ ତାଙ୍କୁ କିଛି ବ୍ୟାଟିଂ କୌଶଳ ମଧ୍ୟ ଶିଖାଇଥିଲେ। ସେହିଭଳି ଅନ୍ୟ ବୋଲର୍ମାନେ ମଧ୍ୟ ବ୍ୟାଟିଂ ଅଭ୍ୟାସ କରିଥିଲେ। ସ୍ପିନର୍ କୁଲଦୀପ ୟାଦବଙ୍କ ଖେଳିବା ମଧ୍ୟ ଅନ୍ୟ ଏକ ପ୍ରଶ୍ନ ଭାବେ ଉଭା ହୋଇଛି। ଲିଡ୍ସରେ ରବୀନ୍ଦ୍ର ଜାଡ଼େଜା ସଂଘର୍ଷ କରିବା ପରେ କୁଲଦୀପଙ୍କୁ ଗିଲ୍ ଓ ଗମ୍ଭୀର ବର୍ମିଂହାମରେ ଖେଳାଇ ପାରନ୍ତି। ଏହା ହେଲେ ଶାର୍ଦୁଳ ଠାକୁର ଦଳରୁ ବାଦ୍ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।