ନୂଆଦିଲ୍ଲୀ, : ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ଡା‌ରେନ୍ ସାମି ଆଇପିଏଲ୍‌ରେ ରଙ୍ଗଭେଦର ଶିକାର ହୋଇଥିବା ଅଭିଯୋଗ ଆଣିବା ପରେ ଅନ୍ୟ କ୍ରିକେଟ୍‌ରମାନେ ମଧ୍ୟ ଶରୀର ରଙ୍ଗ ପାଇଁ ବିଭିନ୍ନ ସମୟରେ ସମ୍ମୁଖୀନ ହେଉଥିବା ଭେଦଭାବ କଥା ଖୋଲାଖୋଲି କହିବା ଆରମ୍ଭ କରିଛନ୍ତି। ସାମି ‘କାଳୁ’ ଡାକକୁ ବିରୋଧ କରିଥିଲା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ଇଂଲଣ୍ଡରେ ତାଙ୍କୁ ଗୋରା ଖେଳାଳିମାନେ ‘ପାକି’ ଡାକୁଥିଲେ ବୋଲି କହିଥିଲେ। ସେହିଭଳି ନିଜ ଧାର୍ମିକ ଭାବନା ପାଇଁ ଏକ ନିର୍ଦ୍ଦିଷ୍ଟ ସୋସାଇଟିରେ ଘର ଖଣ୍ଡିଏ କିଣିବା ତାଙ୍କ ପାଇଁ କଷ୍ଟକର ହୋଇଥିଲା ବୋଲି ଆଉ ଜଣେ ଲୋକପ୍ରିୟ ଭାରତୀୟ କ୍ରିକେଟ୍‌ର ଇର୍ଫାନ ପଠାନ ଅଭିମାନଭରା କଣ୍ଠରେ ମତ ରଖିଥିଲେ। ଏବେ ଅନ୍ୟ କେତେକ ଖେଳର ଖେଳାଳିମାନେ ମୁହଁ ଖୋଲିଛନ୍ତି। ତେବେ ଭାରତୀୟ କ୍ରୀଡ଼ା ଜଗତ ସନ୍ଦର୍ଭରେ ଯଦି ରଙ୍ଗଭେଦର ପ୍ରଭାବକୁ ବିଚାରକୁ ନିଆଯାଏ, ତେବେ ଭଲ ଭାବରେ ସ୍ପଷ୍ଟ ହୋଇଯାଏ ଯେ କ୍ରିକେଟ୍ ସହ ହକି, ଫୁଟବଲ୍, ମୁଷ୍ଟିଯୁଦ୍ଧ ଏଭଳି ଅଗଣିତ ଖେଳର ଖେଳାଳିମା‌ନେ କୌଣସି ନା କୌଣସି ସମୟରେ ରଙ୍ଗଭେଦର ଶିକାର ହୋଇଛନ୍ତି। ଧନରାଜ ପିଲ୍ଲେ, ଦିଲୀପ ତିର୍କି, ସରିତା ଦେବୀ, ରେନେଡି ସିଂହଙ୍କ ଭଳି ଖେଳାଳି ଗୁରୁବାର ଏହି ବିଷୟରେ ନିଜ ନିଜ ତିକ୍ତ ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି। ଏଥିରୁ ପ୍ରମାଣିତ ହେଉଛି ଯେ ବର୍ଣ୍ଣବୈଷମ୍ୟ କେବଳ କ୍ରିକେଟ୍‌ରେ ନାହିଁ, ଏହା ପ୍ରାୟ ସବୁ ଖେଳକୁ ଊଣା ଅଧିକେ ଗ୍ରାସ କରିଛି।

Advertisment

ହୀନମନ୍ୟତାର ଶିକାର ହୋଇଥିଲି: ପିଲ୍ଲେ
ଧନରାଜ ପିଲ୍ଲେ ଓ ଦିଲୀପ ତିର୍କି ହେଉଛନ୍ତି ଭାରତୀୟ ହକିର ଦୁଇ କିଂବଦନ୍ତି ତାରକା। ଉଭୟ କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ନିଜ ଖେଳ ଜୀବନରେ କେବେ ନା କେବେ ରଙ୍ଗଭେଦର ଶିକାର ହୋଇଥିଲେ। ଧନରାଜ ଓ ଦିଲୀପ ସଂପ୍ରତି ବର୍ଣ୍ଣବୈଷମ୍ୟ ଓ ଅସମାନତାକୁ ନେଇ ଚାଲିଥିବା ତର୍କବିତର୍କ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଗୁରୁବାର ଏହା କହିଛନ୍ତି। ଯାହା ସେମାନଙ୍କ ଖେଳକୁ ମଧ୍ୟ ପ୍ରଭାବିତ କରିଥିଲା ବୋଲି ଧନରାଜ ଆଶଙ୍କା ଜାହିର କରିଛନ୍ତି। ‘‘ମୁଁ ଯେତେବେଳେ ଦେଶ ପାଇଁ ଖେଳିବା ଆରମ୍ଭ କରିଥିଲି, ହୀନମନ୍ୟତାର ଶିକାର ହୋଇଥିଲି। ମୋ ରଙ୍ଗ ବହୁତ କଳା, ଅନ୍ୟମାନଙ୍କ ସହିତ କିଭଳି ଆତ୍ମବିଶ୍ବାସର ସହ କଥା ହେବି? ସେ ଚିନ୍ତା ସବୁବେଳେ ରହୁଥିଲା, ବିଶେଷ କରି ଗୋରା ଲୋକଙ୍କ ସହ କଥା ହେଲା ବେଳେ ଏଭଳି ସମସ୍ୟା ସୃଷ୍ଟି ହେଉଥିଲା। ଏଣୁ ସ୍ବାଭାବିକ ଭାବେ ଜଣେ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ହେବା ସତ୍ତ୍ବେ ମୁଁ ନିଜକୁ ଭଲ ଭାବରେ ଉପସ୍ଥାପିତ କରିପାରୁନଥିଲି, ଗୁମସୁମ୍ ରହୁଥିଲି’’ ବୋଲି ଭାରତ ପାଇଁ ଚାରିଟି ଅଲିମ୍ପିକ୍ସ ଓ ୩୩୯ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଧନରାଜ କହିଛନ୍ତି। ଏହା ପୂର୍ବରୁ କ୍ରିକେଟର ଅଭିନବ ମୁକୁନ୍ଦ ଓ ଡୋଡା ଗଣେଶ ମଧ୍ୟ ଘରୋଇ କ୍ରିକେଟ୍ ଖେଳିଲା ବେଳେ ରଙ୍ଗକୁ ନେଇ ନାନା ଟାହି ଟାପରା ସହିଥିବାର ଅଭିଯୋଗ କରିସାରିଛନ୍ତି। ଧନରାଜଙ୍କ ସହ ଦିଲୀପ ମଧ୍ୟ ଏକମତ ହୋଇଛନ୍ତି। ‘‘ଆଦିବାସୀ ଅଞ୍ଚଳର ପିଲାମାନେ ଅନେକ ସମୟରେ ମୁଖ୍ୟ ସ୍ରୋତରୁ ଅଲଗା ହୋଇଗଲା ଭଳି ଅନୁଭବ କରନ୍ତି। ଜାତୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲା ବେଳେ ମୁଁ ଜଣେ ଆଦିବାସୀ ବୋଲି ଟିପ୍ପଣୀ କରିବାକୁ ସାଥୀ ଖେଳାଳିମାନେ ଭୁଲୁ ନଥିଲେ। ସତ କଥା ହେଲା ଆଦିବାସୀ ଅଞ୍ଚଳର ପିଲାମାନେ ଶିକ୍ଷା କ୍ଷେତ୍ରରେ ଟିକିଏ ପଛୁଆ ଥାଆନ୍ତି, ସେଥିପାଇଁ ଅନ୍ୟମାନଙ୍କ ସହ ଭାବ ବିନିମୟ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇଥାଏ। ମୁଁ ଯେତେବେ‌ଳେ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲି ଦଳୀୟ ସାଥୀମା‌ନେ ସାଧାରଣତଃ ମୋତେ ଅଣଦେଖା କରୁଥିଲେ’’ ବୋଲି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କି କହିଛନ୍ତି।

publive-image

‘ଚିଙ୍କି’ ଓ ‘ନେପାଳୀ’ ଶୁଣିବାକୁ ପଡ଼େ: ରେନେଡି
ଉତ୍ତର-ପୂର୍ବ ରାଜ୍ୟର ଖେଳାଳିମାନେ ସେମାନଙ୍କ ରଙ୍ଗ ନୁହେଁ ବରଂ ନିଜ ଶରୀର ଗଠନ ପାଇଁ ଅନେକ ସମୟରେ ଭେଦଭାବ ଓ କଟାକ୍ଷର ସମ୍ମୁଖୀନ ହୁଅନ୍ତି। ମଣିପୁରର ପ୍ରତିଷ୍ଠିତ ଫୁଟବଲ୍ ତାରକା ରେନେଡି ସିଂହ ମଧ୍ୟ ନିଜ ଖେଳ ଜୀବନରେ ଅନେକ ଥର ଟାହି ଟାପରା ଓ ଭେଦଭାବର ଶିକାର ହୋଇଛନ୍ତି। ମୋହନ ବାଗାନ ଓ ଇଷ୍ଟ ବେଙ୍ଗଲ ଭଳି ଦଳର ନେତୃତ୍ବ ନେଇ ସାରିଥିବା ରେନେଡି ଟାଟା ଫୁଟବଲ୍ ଏକାଡେମିର ପ୍ରଶିକ୍ଷାର୍ଥୀ ଥିଲା ବେଳେ କିଭଳି ଅପମାନିତ ହୋଇଥିଲେ ସେ ବିଷୟ ବର୍ଣ୍ଣନା କରି କହିଛନ୍ତି ଯେ ଏକଦା ମୁଁ ଅନ୍ୟ ଦୁଇ ଜଣ ବନ୍ଧୁଙ୍କ ସହ ଜର୍ମାନୀ ଗସ୍ତରୁ ଫେରି କୋଲକାତାରୁ ଗୁଆହାଟୀ ଟ୍ରେନ୍ ଧରି ଯାଉଥିଲି। ବିଦେଶ ଗସ୍ତରୁ ଫେରିଥିବାରୁ ମୋ ପାଖରେ ବଡ଼ ବଡ଼ ବ୍ୟାଗ୍ ଥିଲା। ଜଣେ ପୁଲିସକର୍ମୀ ତାଙ୍କ ଲାଠିରେ ବ୍ୟାଗ୍‌କୁ ଜୋର୍‌ରେ ବାଡ଼େଇବା ସହ ଆମ ଉପରେ ପାଟି କରିବା ଆରମ୍ଭ କରି ଦେଇଥିଲେ। ତୁମେ ଏତେ ବଡ଼ ବଡ଼ ବ୍ୟାଗ୍ ନେଇ ଯାତ୍ରା କରିପାରିବନି। ସେ ଏଭଳି ଢେର କିଛି ସମୟ ପାଇଁ କରିଥିଲେ। ସେତେବେଳେ ମୋତେ ମାତ୍ର ୧୪ ବର୍ଷ ହୋଇଥିଲା। ଏବେ ବି ମୋ ମନରେ ପ୍ରଶ୍ନ ଉଠେ, ଆମେ ଯଦି ଉତ୍ତର-ପୂର୍ବ ରାଜ୍ୟର ହୋଇନଥାଆନ୍ତୁ, ସେହି ପୁଲିସ ଜଣଙ୍କ କ’ଣ ଆମକୁ ଏମିତି ବ୍ୟବହାର କରିଥାଆନ୍ତେ। ସେଦିନ ରେନେଡିଙ୍କ ସହ ଥିବା ତାଙ୍କର ଦୁଇ ବନ୍ଧୁ ଲୋଲେନ୍ଦ୍ର ସିଂହ ଓ ସୁଶ‌ାନ୍ତ ମଜୁମଦାର ମଧ୍ୟ ଅନେକ ବର୍ଷ ପାଇଁ ଭାରତୀୟ ଫୁଟବଲର ସେବା କରିଥିଲେ। କୋଲକାତାରେ ଖେଳିବା ସମ୍ମାନର ବିଷୟ ବୋଲି କହିଥିବା ରେନେଡି ମଣିପୁର ଖେଳାଳିଙ୍କୁ ‘ଚିଙ୍କି’ ସମ୍ବୋଧନ କରାଯାଉଥିବା ଅନେକ ଥର ଶୁଣିଛନ୍ତି। ସେହିଭଳି କେବେକେବେ ମଣିପୁର ଦଳକୁ ନେପାଳୀ ଦଳ ବୋଲି ମଧ୍ୟ ଆଖ୍ୟା ମିଳେ। ପୂର୍ବରୁ ଭାରତୀୟ ଫୁଟବଲ୍ ଦଳର ଅଧିନାୟକ ସୁନିଲ ଛେତ୍ରୀ ମଧ୍ୟ ଏଭଳି ଅଭିଜ୍ଞତା ପାଇଥିବା ଏକ ଅନଲାଇନ୍ ଆଲୋଚନା ବେଳେ କହିଥିଲେ। ଭାରତୀୟମାନେ ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କ ପାଇଁ ସ୍ବର ଉତ୍ତୋଳନ କରିବା ଭଲ କଥା। ହେଲେ ଭାରତୀୟମାନେ ନିଜ ପିଲାଙ୍କୁ ଶରୀର ରଙ୍ଗ ଓ ଗଠନ ପାଇଁ ଭେଦଭାବ ନକରିବାକୁ ଶିକ୍ଷା ଦେଲେ ଅଧିକ ଖୁସି ହେବି ବୋଲି ରେନେଡି ମତ ଦେଇଛନ୍ତି।

ଅନେକ ଟାହି ଟାପରା ସହୁ: ସରିତା ଦେବୀ
‘‘ଟ୍ରେନ୍ ଯାତ୍ରା ବେଳେ ଅନେକ ଟିଟି ମଧ୍ୟ ତାଙ୍କ ଶରୀର ଗଠନ ନେଇ ଆକ୍ଷେପମୂଳକ ମନ୍ତବ୍ୟ ଦିଅନ୍ତି, ଏଥିନେଇ ଅନେକଙ୍କ ସହ ତାଙ୍କର ପାଟିତୁଣ୍ଡ ‌ମଧ୍ୟ ହୋଇଛି। ଶରୀର ଗଠନ ପାଇଁ ଆମକୁ ଆକ୍ରମଣ କରିବା ସହଜ ହୋଇଥାଏ। କେବେ କେବେ ଲୋକମାନେ ଆମକୁ ଏମିତି ତଳ ଉପର କରି ଅନାନ୍ତି ଯେ ବହୁତ ଖରାପ ଲାଗେ। ଏଭଳି ଘଟଣା ଘଟିଲେ ମୋ ମୁଣ୍ଡରେ ପାରା ଚଢ଼ିଯାଏ। ମୁଁ ଅଧିକାଂଶ ସମୟ ଝଗଡ଼ା କରେ। ପରିଚିତ ହେଲା ପରେ ଅବଶ୍ୟ ପରିସ୍ଥିତି ବଦଳି ଯାଇଥିଲା’’ ଏଭଳି ମନ୍ତବ୍ୟ ଦେଇଛନ୍ତି ମଣିପୁରର ମହିଳା ମୁଷ୍ଟିଯୋଦ୍ଧା ସରିତା ଦେବୀ। ଭାରତର ବିଭିନ୍ନ ପ୍ରାନ୍ତରେ ରହୁଥିବା ଉତ୍ତର ପୂର୍ବ ରାଜ୍ୟର ବାସିନ୍ଦା ପ୍ରତ୍ୟେକ ଦିନ ଭେଦଭାବର ଶିକାର ହୁଅନ୍ତି ବୋଲି ସେ ଆଶଙ୍କା କରିଛନ୍ତି।

ଅନ୍ୟାୟ ବିରୋଧରେ ଛିଡ଼ା ହେବାକୁ ପଡ଼ିବ: ଜ୍ବାଳା ଗୁଟ୍ଟା
ଭାରତୀୟ ବ୍ୟାଡମିଣ୍ଟନ୍‌ ତାରକା ଜ୍ବାଳା ଗୁଟ୍ଟାଙ୍କ ମା’ ଚାଇନିଜ୍ ‌ହୋଇଥିଲା ବେଳେ ପିତା ହେଉଛନ୍ତି ଭାରତୀୟ ତେଲୁଗୁ। ତାଙ୍କ ଶରୀର ଗଠନର ବହୁ ସାମଞ୍ଜସ୍ୟ ଚୀନ ଲୋକଙ୍କ ସହ ମିଶେ। ଏଥିପାଇଁ ସେ ଅନେକ ଥର ଭେଦଭାବର ଶିକାର ହୋଇଛନ୍ତି। ତାଙ୍କୁ ନିୟମିତ ଭାବେ ଏଥିଲାଗି କଟାକ୍ଷ ଶୁଣିବାକୁ ପଡ଼ିଥାଏ। ‘‘ଏମିତି କଥା କିନ୍ତୁ ମୋତେ ସତ କହିବାକୁ ରୋକି ପାରିବନି, ମୁଁ ଏହି ପ୍ରସଙ୍ଗ ନିୟମିତ ଭାବେ ଉଠାଇବି। ଜର୍ଜ ଫ୍ଲଏଡ୍ ଘଟଣାରୁ ଆମକୁ ଅନେକ କିଛି ଶିଖିବାର ଅଛି, ସେଲିବ୍ରେଟିଠାରୁ ଆରମ୍ଭ କରି କ୍ରୀଡ଼ାବିତ୍‌ ପର୍ଯ୍ୟନ୍ତ, ସମସ୍ତେ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏଭଳି ଅନ୍ୟାୟ, ଅତ୍ୟାଚାର ବିରୋଧରେ ଆମକୁ ଏକତ୍ରିତ ହେବାକୁ ପଡ଼ିବ’’ ବୋଲି ଜ୍ବାଳା ନିଜ ପ୍ରତିକ୍ରିୟାରେ କହିଛନ୍ତି।