ନୂଆଦିଲ୍ଲୀ: ସବୁବେଳେ ନିଜ ୟୁଟ୍ୟୁବ ଚ୍ୟାନେଲରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖନ୍ତି ପାକିସ୍ତାନର ପୂର୍ବତନ ଷ୍ଟାର ବୋଲର ଶୋଏବ ଅଖତର। ଭାରତ ହେଉ କି ପାକିସ୍ତାନ, ଦେଶକୁ ସମର୍ଥନ ନକରି କ୍ରିକେଟକୁ ନେଇ ସେ ସବୁବେଳେ ନିଜର ଭିନ୍ନ ପ୍ରତିକ୍ରିୟା ରଖୁଥିବା ଦେଖାଯାଏ। ଏବେ ସେ ଏକ ସାକ୍ଷାତକାରରେ ଭାରତର ଶ୍ରେଷ୍ଠ ଅଧିନାୟକ କିଏ, ସେ ବିଷୟରେ କହିଛନ୍ତି। ସ୍ପୋର୍ଟସକିଡାକୁ ସାକ୍ଷାତକାର ଦେଇ ଭାରତୀୟ କ୍ରିକେଟ୍ ଦଳର ଶ୍ରେଷ୍ଠ ଅଧିନାୟକ ଥିବା ଖେଳାଳିଙ୍କ ନାମ ପ୍ରକାଶ କରିଥିଲେ। ସାକ୍ଷାତକାରରେ ଯେତେବେଳେ ଅଖତରଙ୍କୁ ପଚରାଯାଇଥିଲା ଯେ ବିରାଟ କୋହଲି, ଏମଏସ ଧୋନି ଏବଂ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଭାରତର ଶ୍ରେଷ୍ଠ ଅଧିନାୟକ କିଏ?
ରାୱଲପିଣ୍ଡି ଏକ୍ସପ୍ରେସ ଶୋଏବ ଧୋନି ଏବଂ କୋହଲିଙ୍କ ଅପେକ୍ଷା ସୌରଭ ଗାଙ୍ଗୁଲିଙ୍କୁ ଶ୍ରେଷ୍ଠ ଅଧିନାୟକ ବୋଲି କହିଥିଲେ। ଅଖତରଙ୍କ ଏହି ଉତ୍ତର ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି। ମ୍ୟାଚ୍ ଫିକ୍ସିଂ ବିବାଦ ପରେ ଗାଙ୍ଗୁଲି ୨୦୦୦ମସିହାରେ ଭାରତର ଅଧିନାୟକତ୍ୱ ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ଭାରତ ବିଦେଶରେ ଟେଷ୍ଟ ମ୍ୟାଚ୍ ଜିତିବା ଆରମ୍ଭ କରିଥିଲା। ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୨୦୦୩ରେ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଥିଲା। ଗାଙ୍ଗୁଲି ଭାରତୀୟ କ୍ରିକେଟକୁ ଏକ ନୂତନ ଜୀବନ ଦେଇଥିଲେ। ଏହା ବ୍ୟତୀତ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୨୦୦୨ଚାମ୍ପିଅନ୍ସ ଟ୍ରଫିରେ ଶ୍ରୀଲଙ୍କା ସହିତ ମିଳିତ ବିଜେତା ହୋଇଥିଲେ।
ତେବେ ଧୋନି ଓ କୋହଲି କ୍ରିକେଟରେ ନିଜର ଦକ୍ଷତା ପ୍ରମାଣ କରିଥିଲେ ବି ଶୋଏବ, ଗାଙ୍ଗୁଲିଙ୍କୁ ଶ୍ରେଷ୍ଠ ଅଧିନାୟକ କହିଛନ୍ତି।