ପ୍ୟାରିସ୍‌: ପ୍ୟାରିସ୍‌ ଅଲିମ୍ପିକ୍ସର ଚତୁର୍ଥ ଦିନରେ ଭାରତକୁ ଆଉ ଏକ ଐତିହାସିକ ସଫଳତା ମିଳିଥିଲା। ୧୦ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ କାଂସ୍ୟ ଜିତିଥିଲେ ମନୁ ଭ‌ାକର। ମହିଳା ୧୦ ମିଟର ଏୟାର ପିସ୍ତଲ୍‌ରେ ମନୁ ଭାକର ପ୍ୟାରିସ୍‌ ଅଲିମ୍ପିକ୍ସର ଦ୍ବିତୀୟ ଦିନରେ କାଂସ୍ୟ ପଦକ ଜିତି ୧୪୪ କୋଟି ଭାରତୀୟଙ୍କୁ ଚଳିତ ସଂସ୍କରଣର ପ୍ରଥମ ପଦକ ଭେଟି ଦେଇଥିଲେ। ତା’ ସହିତ ସୁଟିଂରୁ ପଦକ ଜିତିବାରେ ୨୨ ବର୍ଷୀୟା ମନୁ ପ୍ରଥମ ଭାରତୀୟ ମହିଳା ଓ ୧୦ ମିଟର ଏୟାର ପିସ୍ତଲ୍‌ ବର୍ଗରେ ପଦକ ଜିତିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଲାଭ କରିଥିଲେ। ୧୨ ବର୍ଷ ପରେ ଭାରତକୁ ବନ୍ଧୁକ ଚାଳନାରୁ ପଦକ ମିଳିଥିବ‌ା ବେଳେ ମନୁ ଭାରତକୁ ଏକାସାଙ୍ଗରେ ୨ଟି ପଦକ ଭେଟି ଦେଇଛନ୍ତି।

Advertisment

ଏମଧ୍ୟରେ ଭାରତକୁ ଗର୍ବିତ କରାଇଥିବା ମନୁଙ୍କର ଆଦର୍ଶ କିଏ, ତାହା ଏବେ ସାମ୍ନାକୁ ଆସିଛି। ରେଭ ସ୍ପୋର୍ଟସକୁ ଦେଇଥିବା ଏକ ସାକ୍ଷାତକାରରେ ମନୁ ତାଙ୍କର ଦୁଇ ପ୍ରିୟ ଖେଳାଳିଙ୍କ ନାମ ପ୍ରକାଶ କରିଛନ୍ତି। ଏହି ଦୁଇ ଖେଳାଳି ବିରାଟ ବା ରୋହିତ ନୁହଁନ୍ତି ବରଂ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ଭାରତୀୟ ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ଏବଂ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ଅଟନ୍ତି।

ମନୁଙ୍କ କହିବା ମୁତାବକ, "ଏହି ଦୁଇଜଣ ଖେଳାଳି ବିଶ୍ବ ସ୍ତରରେ ଯାହା ହାସଲ କରିଛନ୍ତି ତାହା ମୋତେ ବହୁତ ପ୍ରେରଣା ଦେଇଛି | ମୁଁ ଏହି ଦୁଇ ଖେଳାଳିଙ୍କୁ ଅନୁସରଣ କରେ। ପିଭି ସିନ୍ଧୁ ଏବଂ ନୀରଜ ଚୋପ୍ରାଙ୍କ କଠିନ ପରିଶ୍ରମ ଏବଂ ସଫଳତା ଦେଖି ମୁଁ ସର୍ବଦା ଅନୁପ୍ରାଣିତ ହୋଇଆସିଛି।"