ଓଡ଼ିଶାରେ ଅଲୋଡ଼ା; ଝାଡ଼ଖଣ୍ଡରେ ଷ୍ଟାର୍‌

ଖଣି ଅଞ୍ଚଳର ଅବହେଳିତ ଖେଳାଳି

ବଡ଼ବିଲ: କ୍ରୀଡ଼ାର ବିକାଶ ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଭିତ୍ତିଭୂମି ବିକାଶ ସାଙ୍ଗକୁ ତୃଣମୂଳ ସ୍ତରରୁ ପ୍ରତିଭା ଚୟନ କରାଯାଇ ସେମାନେ କିପରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିପାରିବେ ସେଥିପାଇଁ ଠୋସ୍‌ ପଦକ୍ଷେପ ନିଆଯାଉଛି ବୋଲି ସରକାର କହୁଛନ୍ତି। କେବଳ ସେତିକି ନୁହଁ ଭୁବନେଶ୍ୱରକୁ କ୍ରୀଡ଼ା ରାଜଧାନୀ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏତେସବୁ ସତ୍ତ୍ୱେ ବି ବଡ଼ବିଲ ଭଳି ଖଣି ଅଞ୍ଚଳରେ କ୍ରୀଡ଼ା ପ୍ରତିଭାଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ମିଳୁନଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ସେମାନେ ନିଜ ରାଜ୍ୟ ପରିବର୍ତ୍ତେ ପଡ଼ୋଶୀ ଝାଡ଼ଖଣ୍ଡରୁ ପ୍ରତିନିଧିତ୍ୱ କରି ସଫଳତା ଅର୍ଜନ କରୁଛନ୍ତି। ଓଡ଼ିଶା ପାଇଁ ଏହି ଅଲୋଡ଼ା ଖେଳାଳି ଝାଡ଼ଖଣ୍ଡରେ ଷ୍ଟାର୍‌ ପାଲଟୁଛନ୍ତି। ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ବଡ଼ବିଲ, ଠାକୁରାଣୀ, ବଲାଣୀ, କଳିଙ୍ଗ ନଗର ଅଞ୍ଚଳରୁ ଅନେକ ପ୍ରତିଭାବାନ ଖେଳାଳି ବିଭିନ୍ନ ପ୍ରକାର ଖେଳରେ ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରୁଛନ୍ତି। ସଫଳତା ପାଇବା ପରେ ସରକାରୀ ପ୍ରୋତ୍ସାହନ ଅଭାବ ଓ ଆବଶ୍ୟକ ସୁବିଧା ସୁଯୋଗ ମିଳୁନଥିବାରୁ ଏମାନେ ଆଉ ଆଗକୁ ବଢି ପାରୁନାହାଁନ୍ତି। ସରକାରୀ ସ୍ତରରେ ସଫଳ କ୍ରୀଡ଼ାବିତ୍‌ଙ୍କୁ ସରକାରୀ ଚାକିରି ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ହେଲେ ଏହି ଅଞ୍ଚଳର ଖେଳାଳି ଏଥିରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବଲାଣୀ ଥାନା ଅନ୍ତର୍ଗତ ଗୁରୁଦ୍ଵାରାହଟିଂର ଦିନ ମଜୁରିଆ ନୀରଲ୍‌ ଗୁଡିଆଙ୍କ ଝିଅ ରଶ୍ମୀ ଗୁଡିଆ। ଜଣେ ଭଲ ମହିଳା କ୍ରିକେଟର୍‌ ହୋଇ ବି ନିଜ ରାଜ୍ୟରୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇନଥିଲେ। ୨୦୧୪ ମସିହାରେ ଝାଡ଼ଖଣ୍ଡରୁ ପ୍ରତିନିଧିତ୍ୱ କରି ସଫଳ ହେଲେ। ସେହିପରି ନିତ୍ୟାନନ୍ଦ ସର୍ଦ୍ଦାରଙ୍କ ପୁଅ ଯଦୁନାଥ ସର୍ଦ୍ଦାର ଜଣେ ଫୁଟବଲ୍‌ ଖେଳାଳି ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପରିଚିତ। ବାପାଙ୍କ ଠାରୁ ପ୍ରେରଣା ପାଇ ଫୁଟବଲ୍‌ ପ୍ରତି ଆକୃଷ୍ଟ ହୋଇଥିବା ଯଦୁନାଥଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ସୁବିଧା ସୁଯୋଗ ନମିଳିବାରୁ ସେ ମଧ୍ୟ ବାଧ୍ୟ ହୋଇ ଝାଡ଼ଖଣ୍ଡରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ଏବେ ଗୋଆରେ ହେବାକୁ ଥିବା ୧୯ ବର୍ଷରୁ କମ୍‌ ଭାରତୀୟ ଫୁଟବଲ୍‌ ଦଳର ଚୟନ ଶିବିରରେ ଯୋଗଦେବାକୁ ମନୋନୀତ ହୋଇଛନ୍ତି।

ସେହିପରି ସିପକଟାକ୍ରର ଉପକନିଷ୍ଠ ବର୍ଗରେ ଜାତୀୟସ୍ତରରେ ସ୍ୱର୍ଣ୍ଣ ପଦକ ଜିତିଥିବା କୁମାର ଅଭିଶେକ, ୨୦୧୫ ମସିହାରେ ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ମାଟ୍‌କାମ୍‌ବେଡା ସରକାରୀ ଆବାସିକ ବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରୀ ଲୋପମୁଦ୍ରା ନାଏକ ଓ ଜାତୀୟ କିକ୍‌ବକ୍ସିଂ ପ୍ରତିଯୋଗିତାର ଉପକନିଷ୍ଠ ବର୍ଗରେ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଅର୍ଜନ କରିଥିବା ନିରୁପମା ସିଂଙ୍କୁ ମଧ୍ୟ ଉପଯୁକ୍ତ ସରକାରୀ ସାହାଯ୍ୟ କି ପ୍ରୋତ୍ସାହନ ମିଳିନି। ଯେଉଁଥିପାଇଁ ସେମାନଙ୍କୁ ଆଗକୁ ବଢିବାରେ ଅସୁବିଧା ହେଉଛି ବୋଲି ଏହି କ୍ରୀଡ଼ାବିତ୍‌ମାନେ କହିଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଖଣି ଅଞ୍ଚଳର ଖେଳାଳିଙ୍କ ପ୍ରତି ଟିକେ ଧ୍ୟାନ ଦେବା ସହ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇଦେଲେ ଅକାଳରେ ଝଡି ପଡୁଥିବାଏହି ପ୍ରତିଭାବାନ ଖେଳାଳିମାନେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିପାରିବେ ବୋଲି ବହୁ ବରିଷ୍ଠ କ୍ରୀଡ଼ାବିତ୍‌ ପ୍ରକାଶ କରିଛନ୍ତି।

ବାପା ଜଣେ ଫୁଟବଲ୍‌ ଖେଳାଳି ହୋଇଥିବାରୁ ତାଙ୍କୁ ଦେଖି ଫୁଟବଲ୍‌ ଖେଳିବାକୁ ଆଗ୍ରହ ପ୍ରକାଶ କଲି। ରାଜ୍ୟ ସରକାରଙ୍କ ପକ୍ଷରୁ ସେଭଳି କୌଣସି ସାହାଯ୍ୟ ସହଯୋଗ ପାଇଲି ନାହିଁ। ଝାଡ଼ଖଣ୍ଡରୁ ପ୍ରତିନିଧିତ୍ୱ କରିବାକୁ ବାଧ୍ୟ ହେଲି।
ଯଦୁନାଥ ସର୍ଦ୍ଦାର, ଫୁଟବଲ୍‌

ଚାରିଚାରି ଥର ସନ୍ତୋଷ ଟ୍ରଫି ଖେଳିଛି। ଜଣେ ଭଲ ଗୋଲକିପର୍‌ ଭାବେ ପରିଚିତି ଥିଲି। ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଖଣି ଅଞ୍ଚଳର ଖେଳାଳିଙ୍କ ପ୍ରତି ଧ୍ୟାନ ଦେବା ଦରକାର। ସଫଳ କ୍ରୀଡ଼ାବିତ୍‌ଙ୍କୁ ସରକାରୀ ନିଯୁକ୍ତି ସାଙ୍ଗକୁ କ୍ରୀଡ଼ା ପ୍ରତିଭାଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଓ ତାଲିମ ମିଳିଲେ ଏମାନେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିପାରିବେ। ସଞ୍ଜୟ ନାଏକ, ଫୁଟବଲ୍‌

ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ ଓ କ୍ରୀଡାବିତ୍‌ ସଞ୍ଜୟ କୁମାର ନାଏକଙ୍କ ଦିଗ୍‌ଦର୍ଶନ ପାଇ ମୁଁ ଜାତୀୟ ଜୁନିଅର ତୀରନ୍ଦାଜ ଚମ୍ପିଅନସିପରେ ତୃତୀୟ ସ୍ଥାନ ଅଧିକାର କରିଥିଲି। ଉପଯୁକ୍ତ ତାଲିମ ସାଙ୍ଗକୁ ସରକାରୀ ପ୍ରୋତ୍ସାହନ ମିଳିଲେ ଆହୁରି ଆଗକୁ ବଢିପାରିବି।
ଲୋପାମୁଦ୍ରା ନାଏକ, ତୀରନ୍ଦାଜ

ସମ୍ବନ୍ଧିତ ଖବର