‘‘ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମକୁ ନେଇ ସେମିତି କିଛି ସମସ୍ୟା ଅଛି ବୋଲି ମୁଁ ଭାବୁନି। ଇଂଲଣ୍ଡ ଶୃଙ୍ଖଳା ପୂର୍ବରୁ ରୋହିତ ଖେଳିଥିବା ୩ ଦିନିକିଆରେ ଯଥାକ୍ରମେ ୫୬, ୬୪ ଓ ୩୫ ରନ୍ କରିଛନ୍ତି। ସେ ମଧ୍ୟ ୩୧ଟି ଦିନିକିଆ ଶତକ ହାସଲ କରିଛନ୍ତି। ଏକଥା ସତ ଯେ ଅଷ୍ଟ୍ରେଲିଆ ଗସ୍ତ ତାଙ୍କ ପାଇଁ କଷ୍ଟକର ଥିଲା। ହେଲେ ତାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଅନ୍ତର୍ଜାତୀୟ କ୍ରିକେଟ୍ରେ ଅନେକ ସମୟରେ ଏଭଳି ଘଟିଥାଏ। ଦିନିକିଆରେ ରୋହିତ କିନ୍ତୁ ସବୁବେଳେ ରନ୍ କରିଆସୁଛନ୍ତି’’ ବାରବାଟୀ ଦିନିକିଆ ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟାକ ଏଭଳି କହିଛନ୍ତି। ସେ ଆହୁରି କହିଛନ୍ତି ଯେ ବିରାଟ କୋହଲି ବି ପୂରା ଫିଟ୍ ଅଛନ୍ତି।
ଶନିବାର ସେ ଅଭ୍ୟାସ କରିବାକୁ ଆସିଛନ୍ତି। ଭଲ ଲୟରେ ବି ଅଛନ୍ତି। ତେବେ ରବିବାର ମ୍ୟାଚ୍ରେ କୋହଲି ଖେଳିବା ସମ୍ପର୍କରେ ଅଧିନାୟକ ଓ ମୁଖ୍ୟ ପ୍ରଶିକ୍ଷକ ହିଁ ନିଷ୍ପତ୍ତି ନେବେ। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଏହି ଶୃଙ୍ଖଳାରେ ପରୀକ୍ଷା ନିରୀକ୍ଷା ଚାଲିଛି କି? ବୋଲି ହୋଇଥିବା ପ୍ରଶ୍ନର ଉତ୍ତର ଦେଇ କୋଟାକ କହିଛନ୍ତି, ସେମିତି କିଛି ନାହିଁ, ଚୂଡ଼ାନ୍ତ ଏକାଦଶ ଚୟନ ଅଧିନାୟକ ଓ ମୁଖ୍ୟପ୍ରଶିକ୍ଷକ ଦାୟିତ୍ବ। ସେମାନେ ସବୁ ଦିଗରୁ ଚିନ୍ତା କରି ଦଳ ନିଶ୍ଚିତ କରନ୍ତି। ଦ୍ରୁତ ବୋଲର ମହମ୍ମଦ ସାମି ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ସେ ଗତ ମ୍ୟାଚ୍ରେ ଖେଳିଥିଲେ। ତାଙ୍କ ଫିଟ୍ନେସ୍ ନେଇ କିଛି ସମସ୍ୟା ଥିବା ମୁଁ ଭାବୁନି। କୋଟାକ ମଧ୍ୟ ରବିବାର ବାରବାଟୀ ଦର୍ଶକ ଏକ ହାଇସ୍କୋରିଂ ମ୍ୟାଚ୍ ଦେଖିବେ ବୋଲି ଆଶା ପ୍ରକାଶ କରିଥିଲେ।