ଏଥର ଇଣ୍ଡିଜ୍‌ର ଭଲ ଦଳ ଆସିଛି : ସୁନୀଲ ଗାଭାସ୍କର

ନିରାଶାଜନକ ଇଂଲଣ୍ଡ ଗସ୍ତରୁ ଫେରିଥିବା ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ୍ ଟେଷ୍ଟ୍ ଶୃଙ୍ଖଳାରେ ନିଶ୍ଚିତ ବିଜୟ ଅଭ୍ୟାସକୁ ଫେରିବାକୁ ଚାହିଁବ। ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବା ପରେ ଏକ ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଫେରିବାର କିଛି ମାନେ ନଥାଏ। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟ୍‌ ସୂଚୀ ଏତେ ବ୍ୟସ୍ତ ଯେ କ୍ରିକେଟପ୍ରେମୀଙ୍କ ଚାହିଁବା ମୁତାବକ ମ୍ୟାଚ୍ ମିଳିପାରୁନାହିଁ। ୩ ମ୍ୟାଚ୍ ବିଶିଷ୍ଟ ହୋଇଥିଲେ ଏହା ଭଲ ହୋଇଥାନ୍ତା। କାରଣରୁ ଉଭୟ ଦଳ ଗୋଟିଏ ଲେଖାଏଁ ଜିତିଗଲେ ଶୃଙ୍ଖଳା ସମ୍ମାନ ପାଇଁ ତୃତୀୟଟି ନିର୍ଣ୍ଣାୟକ ହେ‌ାଇପାରିଥାନ୍ତା।
ଏଥର ଭାରତ ଆସିଥିବା ୱେଷ୍ଟଇଣ୍ଡିଜ୍ ଦଳ ୫ ବର୍ଷ ତଳେ ସଚିନ ତେନ୍ଦୁଲକରଙ୍କ ବିଦାୟୀ ଟେଷ୍ଟ୍‌ ଶୃଙ୍ଖଳା ପାଇଁ ଆସିଥିବା ଦଳ ତୁଳନାରେ ଶକ୍ତିଶାଳୀ ରହିଛି। କିଛି ଟ୍ବେଣ୍ଟି-୨୦ ତାରକାଙ୍କୁ ଛାଡ଼ିଦେଲେ ଦଳର ବ୍ୟାଟିଂ ଦୃଢ଼ ରହିଛି। ରାଜକୋଟ୍ ପିଚ୍ ଫ୍ଲାଟ ରହିଲେ ଭାରତୀୟ ସ୍ପିନରଙ୍କୁ ସେମାନଙ୍କ ୱିକେଟ୍‌ ନେବା ସେତେଟା ସହଜ ହେବ ନାହିଁ, ଯେଭଳି ସେମାନେ ୨୦୧୩ ମସିହାରେ କରିଥିଲେ। ବ୍ରାଥ୍‌ୱେଟ୍, ପାୱେଲ୍, ସାଇ ହୋପ୍, ସୁନୀଲ ଅମ୍ବ୍ରିସ୍ ଆକର୍ଷଣୀୟ ଷ୍ଟ୍ରୋକ୍ ଖେଳିପାରିବେ ଏବଂ ଜାସନ୍ ହୋଲଡରଙ୍କୁ ନିମ୍ନକ୍ରମରେ ଆଉଟ୍ କରିବା କଷ୍ଟକର କାମ। ନିର୍ଧାରିତ ଦୁଇ ଟେଷ୍ଟ୍ ପିଚ୍‌ ଟର୍ନ ଦେବାର ଥିଲେ ମଧ୍ୟ ପ୍ରଥମ ଦିନରୁ ଏହା ମିଳିବାର ନାହିଁ। ହାଇଦ୍ରାବାଦ ପିଚ୍‌ରେ ବଲ୍ ହାତକୁ ଆସିିବା ସମ୍ଭାବନା ଥିବାରୁ ସାନନ୍ ଗାବ୍ରିଏଲ୍ ଏବଂ କେମାର ରୋଚ୍ ଭାରତକୁ ଅଡ଼ୁଆରେ ପକାଇ ପାରନ୍ତି। କାରବୀୟ ପରିସ୍ଥିତିର ମନ୍ଥର ପିଚ୍‌ରେ ବି ଏମାନେ ଭୟଙ୍କର ବୋଲିଂ କରିପାରୁଛନ୍ତି। ସେମାନେ ଏଠାରେ ସେଭଳି ଆଶା ରଖିଥିବେ।
ଭାରତ ନିଶ୍ଚିତ ପ୍ରାରମ୍ଭିକ ଯୋଡ଼ିରେ ପରିବର୍ତନ କରିବାକୁ ଯାଉଛି। ରାଜକୋଟ୍‌ରେ ମୟଙ୍କ ଅଗ୍ରୱାଲ କିମ୍ବା ପୃଥ୍ବୀ ସ’ ଟେଷ୍ଟ୍‌ ପଦାର୍ପଣ କରିବେ। ଏସିଆ କପ୍‌ରେ ପାଇଥିବା ଏକମାତ୍ର ପାଳିରେ ଲୋକେଶ ରାହୁଲ ଭଲ ଖେଳିଥିଲେ। ଚେତେଶ୍ବର ପୂଜାରା ନିଜ ପଡ଼ିଆରେ ଆଉ ଏକ ବଡ଼ ପାଳି ଖେଳିବାର ସ‌ୁଯୋଗ ପାଇବେ। ବିରାଟ କୋହଲି ଇଂଲଣ୍ଡରେ ବଢ଼ିଆ ବ୍ୟାଟିଂ କରିଥିଲେ। ରା‌ଜକୋଟରେ କିନ୍ତୁ ଶତକୀୟ ପାଳି ଖେଳିବାରୁ ବଞ୍ଚିତ ଥିବାରୁ ଏହା କରିବାକୁ ଚାହିଁବେ।
ଭୁବନେଶ୍ବର କୁମାର ଓ ଯଶପ୍ରୀତ୍ ବୁମରାଙ୍କୁ ବିଶ୍ରାମ ଦିଅାଯିବାରୁ ଜଣାପଡ଼ୁଛି ଚୟନକର୍ତାମାନେ ଟେଷ୍ଟ୍ କ୍ରିକେଟ୍‌କୁ ଗୁରୁତ୍ବ ଦେଉନାହାନ୍ତି। ସେମାନେ ବିଶ୍ରାମ ଚାହିଁଥିଲେ କି? ବିଶ୍ରାମ ଯଦି ଆବଶ୍ୟକ ତେବେ ଏହା ଦିନିକିଆ ବେଳକୁ ଦିଆଯିବା ଉଚିତ୍। ଟେଷ୍ଟ୍ କ୍ରିକେଟ୍‌କୁ ଜୀବିତ ରଖିବାକୁ ହେଲେ ଶ୍ରେ‌ଷ୍ଠ ଖେଳାଳିମାନେ ସର୍ବଦା ଉପଲବ୍‌ଧ ହେବା କଥା। ଏମାନଙ୍କ ଅନୁପସ୍ଥିତି କିନ୍ତୁ ସାର୍ଦୁଲ ଠାକୁର ଏବଂ ମହମ୍ମଦ ସିରାଜଙ୍କ ପାଇଁ ସେମାନଙ୍କ ଦକ୍ଷତା ଦେଖାଇବାର ସୁଯୋଗ‌ ଦେଇଛି। ଅଷ୍ଟ୍ରେଲିଆ ଗସ୍ତ ପାଇଁ ମଧ୍ୟ ଦଳରେ ସ୍ଥାନ ପକ୍କା କରି ନେବାର ସୁଯୋଗ ଦେବ।
ଭାରତ ଓଭାଲରେ ଖେଳିଥିବା ଶେଷ ଟେଷ୍ଟ୍‌ରେ ୬ ବ୍ୟାଟସମ୍ୟାନ ନେଇଥିଲା। ଫଳରେ ପୂର୍ବ ୪ ଟେଷ୍ଟ୍‌ରେ ପ୍ରୟୋଗ କରିଥିବା ୫ ବ୍ୟାଟସମ୍ୟାନ୍ ଓ ୫ ବୋଲର ତତ୍ବ ଛାଡ଼ି ଦେଇଥିଲା। ଋଷବ ପନ୍ତ୍ ମଧ୍ୟ ଚମତ୍କାର ଖେଳିଥିଲେ। ସବୁଠାରୁ ବଡ଼ କଥା ଥିଲା ସେ ମ୍ୟାଚ୍ ପରିସ୍ଥିତି ଅନୁସାରେ ଖେଳିଥିଲେ। ୱେଣ୍ଡ୍‌ଇଣ୍ଡିଜ୍ ବିପକ୍ଷରେ ଅଶ୍ବିନ୍ ନିଜର ସମସ୍ତ ୪ ଶତକ ହାସଲ କରିଥିବାରୁ ଭାରତ ଏବେ ପୁଣି ୫ ବୋଲର ସୂତ୍ରକୁ ଫେରିବା ନିଶ୍ଚିତ ଲାଗୁଛି। (ପିଏମ୍‌ଜି)।

ସମ୍ବନ୍ଧିତ ଖବର