ଏବେ ମାହି ଭାଇ ଡାକିବା କଷ୍ଟକର: ରବିନ୍‌

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ର ସଫଳତମ ବିଶ୍ବକପ୍‌ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ବହୁ ଲୋକ ବହୁ ନାମରେ ଡାକିଥା’ନ୍ତି। ଏମ୍‌ଏସ୍‌, ମାହି, କ୍ୟାପଟେନ୍‌ କୁଲ୍‌‌, ଦ ଫିନିସର୍‌। ଦଳକୁ ଆସୁଥିବା ନବାଗତ ଓ ଯୁବ ଖେଳାଳିମା‌ନେ ତାଙ୍କୁ ମାହି ଭାଇ ଡାକିଥା’ନ୍ତି ଯାହାକି ବେଶ ଲୋକପ୍ରିୟ। କିନ୍ତୁ ଭାରତୀୟ ଦଳର ପୂର୍ବତନ ବ୍ୟାଟର୍‌ ରବିନ ଉଥପ୍ପାଙ୍କ ପାଇଁ ସମୟ ଏତେ ବଦଳିଯାଇଛି ଯେ ସେ ଏବେ ଆଉ ସେହି ନାମରେ ଡାକିବାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଯାଉଛନ୍ତି। ‘ଆଜିକାଲି ମୋତେ ମାହି ଭାଇ ଡାକିବା କଷ୍ଟକର ହୋଇଯାଉଛି, କାରଣ ମୁଁ ତାଙ୍କୁ ଜାଣିବା ବେଳକୁ ସେ ମାହି, ଏମ୍‌ଏସ୍ ଥିଲେ। ତାଙ୍କ ସହ ୧୨/୧୩ ବର୍ଷ ଖେଳିଛି। ତେଣୁ ମୁଁ ଏବେ ତାଙ୍କୁ ପଚାରିଲି କ’ଣ ଡାକିଲେ ଭଲହେବ, ମାହି ଭାଇ ଡାକି ପାରିବି କି? ସେ କହିଥିଲେ ତୁମେ ମାହି କି ଏମ୍‌ଏସ୍‌ ଡାକି ପାରିବ।’

ନିଜ ୟୁଟ୍ୟୁବ୍‌ ଚାନେଲ୍‌ରେ ଆର୍‌ ଅଶ୍ବିନଙ୍କ ସହ କଥା ହେବା ବେଳେ ଉଥପ୍ପା ଏଭଳି ପ୍ରକାଶ କରିଛନ୍ତି। ଏବେ ଉଥପ୍ପା ଏବଂ ମାହି ‌ଚେନ୍ନାଇ ସୁପର୍‌ କିଙ୍ଗ୍ସରୁ ଖେଳୁଥିବାରୁ ଉଭୟଙ୍କର ପଡ଼ିଆ ଭିତର ପୁନଃମିଳନ ଘଟିଛି। ବାସ୍ତବରେ ୨୦୦୪ରେ ଚାଲେଞ୍ଜର୍ ଟ୍ରଫିରେ ଶ୍ରୀଧରନ ଶ୍ରୀରାମଙ୍କ ଜରିଆରେ ମୁଁ ମାହି ଭାଇଙ୍କୁ ପ୍ରଥମେ ‌ଭେଟିଥିଲି। ଏହା ପରେ ୨୦୦୬ରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଦିନିକିଆ ପଦାର୍ପଣ ବେଳକୁ ଧୋନି ନିଜକୁ ଭାରତୀୟ ଦଳରେ ପ୍ରତିଷ୍ଠିତ କରି ସାରିଥିଲେ। ସେହି ଗସ୍ତରେ ମାହି ଭାଇଙ୍କ ଅନ୍ତରଙ୍ଗ ହୋଇଯାଇଥିଲି। ଏମ୍‌ଏସ, ଇର୍ଫାନ୍ ପଠାନ, ଆର୍‌ପି ସିଂହ, ପୀୟୂଷ ଚାୱଲା ପ୍ରମୁଖ ଏକାଠି ଅନେକ ସମୟ ବିତାଇଥିଲୁ। ଆମର ଦୈନିକ ଖାଦ୍ୟ ଥିଲା ନାନ୍‌ ଓ ଡାଲ୍ ମଖାନି। ଆର୍‌ପି ଜୀରା ଆଳୁ ପସନ୍ଦ କରୁଥିଲେ, ଇର୍ଫାନ୍‌ କିନ୍ତୁ ବଟର୍‌ ଚିକେନ୍‌କୁ ଭଲ ପାଉଥିଲେ ବୋଲି କହିଥିଲେ ଉଥପ୍ପା।

ସମ୍ବନ୍ଧିତ ଖବର