‘ଗୋଲାପି ବଲ୍‌’ ପରୀକ୍ଷାର ବେଳ, ପ୍ରଥମ ୩ ଦିନର ଟିକେଟ୍ ଶେଷ

କୋଲକାତା: ଗୋଲାପି ବଲ୍‌ ସହିତ ଭାରତ ନିଜ ଟେଷ୍ଟ୍ କ୍ରିକେଟ୍‌ ଇତିହାସରେ ପ୍ରଥମ ଥର ଦିବାରାତ୍ର ଟେଷ୍ଟ୍‌ ଖେଳିବାକୁ ଯାଉଛି। ମାତ୍ର ୩ ଦିନ ପରେ ଏହା କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ବାଂଲାଦେଶ ବିପକ୍ଷରେ ଖେଳାଯିବ। ଭାରତୀୟ ଦଳ ଏଥି ପାଇଁ ନିଜ ପ୍ରସ୍ତୁତିକୁ ଆରମ୍ଭ କରି ସାରିଛନ୍ତି। ଏହି ଅବସରରେ ଗୋଲାପି ବଲ୍‌ ପରିସଂଖ୍ୟାନ ଏବଂ ରାତିରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌‌ ଖେଳିବାର ଅଭିଜ୍ଞତା ରଖିଥିବା ଖେଳାଳିଙ୍କ ମୁହଁରୁ ଶୁଣିବା କିଛି କଥା।

ପାଞ୍ଚାଲଙ୍କ ପରାମର୍ଶ
ଭାରତରେ ବିଗତ ୩ ବର୍ଷ ହେବ ଦଲିପ ଟ୍ରଫି ପିଙ୍କ୍ ବା ଗୋଲାପି ବଲ୍‌ରେ ଖେଳାଯାଉଛି। ଏହ ଫର୍ମାଟ୍‌ରେ ସବୁଠୁ ସଫଳ ବ୍ୟାଟସମ୍ୟାନ୍‌‌ ହେଉଛନ୍ତି ଗୁଜରାଟ ତାରକା ପ୍ରିୟଙ୍କ ପାଞ୍ଚାଲ୍‌। ଏକ ସାକ୍ଷାତକାର ବେଳେ ପାଞ୍ଚାଲ୍ କହିଛନ୍ତି ‘ଏହି ବିବିଧ କ୍ରିକେଟ୍‌ ଖେଳିବା ସମ୍ପୂର୍ଣ୍ଣ ଅଲଗା। ମୁଁ ଗୋଲାପି ବଲ୍‌କୁ କୌଣସି ଭାବେ ଲାଲ୍‌ କିମ୍ବା ଧଳା ବଲ୍‌ ସହିତ ତୁଳନା କରିବି ନାହିଁ। ଏହା ଏକ ଭିନ୍ନ ଧରଣର ବଲ୍‌ ଏବଂ ନିଜସ୍ବ ଆହ୍ବାନ ଆଣିବ। ଏଥି ସହିତ ସାଲିସ୍ କରିବା ଲାଗି କିଛି ସମୟ ନେବାକୁ ପଡ଼ିବ, ଥରେ ଜମିଗଲେ ବାସ୍ତବରେ ଏହା ମଜାଦାର। ପ୍ରଥମେ ବଲ୍‌ ସୁଇଙ୍ଗ କରିବ ଏବଂ ଦିନର ଶେଷ ଆଡକୁ ରିଭର୍ସ ସୁଇଙ୍ଗ ମଧ୍ୟ ହେବ। କାକର ଆସିଗଲେ ବ୍ୟାଟସମ୍ୟାନ୍‌ ପାଇଁ ଖେଳିବା ସହଜ ହୋଇଯିବ। ଦଲିପ ଟ୍ରଫିରେ ବ୍ୟବହୃତ‌ ହେଉଥିବା କଳା ସିମ୍ ବିଶିଷ୍ଟ କୁକାବୁରା ବଲ୍‌କୁ ଠାବ କରିବା ସହଜ ନୁହେଁ, ବିଶେଷ କରି ସୂର୍ଯ୍ୟାସ୍ତ ସମୟର ୧୫/୨୦ ମିନିଟ୍‌ କଚଟି ସ୍ପିନର୍ ବୋଲିଂ କରୁଥ‌ିଲେ ଏହା କଷ୍ଟକର ହୋଇଥାଏ। ସ୍ପିନରମାନେ ବଲ୍‌କୁ ନିୟନ୍ତ୍ରଣରେ ରଖିବା ମଧ୍ୟ କଷ୍ଟକର ହେବ। ଏହା ଓଦା ହୋଇଗଲେ କ୍ରମେ ସିଧାସିଧା ଆସିବ। ସେହିଭଳି କୁକାବୁରାରେ ଦୁଇଟି ପରସ୍ତ ଥାଏ, ତେବେ ଏସ୍‌ଜି ବଲ୍ କିଭଳି ବ୍ୟବହାର କରିବ ମୁଁ ନିଶ୍ଚିତ ନୁହେଁ। ଦିବାରାତ୍ର ଟେଷ୍ଟ୍‌ ଜାରି ରହିବା ଉଚିତ, କାରଣ ଏହା ମାହୋଲକୁ ଉତ୍କଣ୍ଠାପୂର୍ଣ୍ଣ ଏବଂ ମଜାଦାର କରିପାରିବ।’

ଫିକା ପ‌େଡ଼ ଗୋଲାପି ବଲ୍‌
ଘରୋଇ କ୍ରିକେଟ୍ ତଥା ଦଲିପ ଟ୍ରଫି‌ ଗୋଲାପି ବଲ୍‌ରେ ସଫଳ ହୋଇଛନ୍ତି ଦ୍ରୁତ ବୋଲର ଜୟଦେବ ଉନାଦକତ୍। ସେ ଭିନ୍ନ ମତ ଦେଇଛନ୍ତି। ‘ନୂଆ ଗୋଲାପି ବଲ୍‌ ଅଧିକ ସୁଇଙ୍ଗ କରିଥାଏ, ବିଶେଷ କରି ପ୍ରଥମ ଘଣ୍ଟା। କିନ୍ତୁ ଥରେ ଏହା ପୁରୁଣା ହୋଇଗଲେ ଏହା ବୋଲରଙ୍କ ପାଇଁ କଷ୍ଟକର ହୋଇଯାଏ। ସେଭଳି ଭଲ ରିଭର୍ସ ସୁଇଙ୍ଗ କରେ ନାହିଁ। ଗୋଲାପି ବଲ୍‌ ଉପରେ ପତଳା ଆସ୍ତରଣ ଦିଆଯାଇଥିବାରୁ ଏହା ମଧ୍ୟ ସଅଳ ନରମ ହୋଇଯାଏ ଏବଂ ଫିକା ପଡ଼ିଯାଏ’।

୧୨ ମ୍ୟାଚ୍‌ ୨୧ ଶତକ
ଦିବାରାତ୍ର ଖେଳାଯାଇଥିବା ଦଲିପ ଟ୍ରଫି ମୁକାବିଲା ଗୁଡିକରେ ବହୁ ଶତକ ନଜରକୁ ଆସିଛି। ମୋଟ ୧୨ ଦିବାରାତ୍ର ତଥା ଗୋଲାପି ବଲ୍‌ ମ୍ୟାଚ୍‌ରେ ଖେଳାଯାଇଛି ବିଗତ ୩ ଋତୁ ଭିତରେ। ଏହି ୧୨ ମ୍ୟାଚ୍‌ରୁ ମୋଟ ୨୧ ଶତକ ସଂଗୃହିତ‌ ହୋଇଛି। ସେଥି ମଧ୍ୟରୁ ୨ଟି ମଧ୍ୟ ଦ୍ବିଶତକରେ ପରିଣତ ହୋଇଛି। ୨୦୧୬ ପ୍ରଥମ ଋତୁରେ ୩ ଥର ୫୦୦ ରନ୍‌ରୁ ଊର୍ଧ୍ବ ସ୍କୋର୍‌ ନଜରକୁ ଆସିଥିଲା। ଇଣ୍ଡିଆ ବ୍ଲୁ’ର ୭୦୭ ରନ୍ ସର୍ବାଧିକ ଦଳଗତ ସ୍କୋର୍‌ ରହିଛ। ଏହି ଦଳ ମଧ୍ୟ ସେ ବର୍ଷ ଆଉ ଥରେ ୬୯୩/୬, ଘୋଷଣା ଏବଂ ୨୦୧୮ରେ ୫୪୧ ରନ୍ କରିଥିଲା। ୨୦୧୬ରେ ଚେତେଶ୍ବର ପୂଜାରା (୪୫୩), ୨୦୧୭ରେ ପ୍ରିୟଙ୍କ ପାଞ୍ଚାଲ୍‌ (୨୯୩) ୨୦୧୮ରେ ଧୃବ ସୋରେ (୨୯୩) ସର୍ବାଧିକ ରନ୍‌ କରିଥିଲେ।

ଶତକ ହାସଲଧାରୀ
୨୦୧୬: ଅଭିନବ ମୁକୁନ୍ଦ (୧୬୯), ଚେତେଶ୍ବର ପୂଜାରା (୧୬୬, ୨୫୬*), ସେଲଡନ୍ ଜ୍ୟାକ୍‌ସନ୍ (୧୩୪, ୧୦୫), ମୟଙ୍କ ଅଗ୍ରୱାଲ୍‌ (୧୧୪)।
୨୦୧୭: ପ୍ରିୟଙ୍କ ପାଞ୍ଚାଲ୍ (୧୦୫, ୧୩୩*), ବାବା ଅପରାଜିତ (୨୦୦), ପୃଥ୍ବୀ ସ’ (୧୫୪), ଅଭିମନ୍ୟୁ ଈଶ୍ବରନ (୧୨୭), କରୁଣ ନାୟାର (୧୨୦), ଦୀନେଶ କାର୍ତିକ (୧୦୦, ୧୧୧), ହନୁମା ବିହାରୀ (୧୦୫), ଦୀପକ ହୁଦା (୧୦୧)।

୨୦୧୮: ବାବା ଇନ୍ଦ୍ରଜିତ (୧୦୯), ସଞ୍ଜୟ ରାମସ୍ବାମୀ (୧୨୩), ନିଖିଲ ଗାଙ୍ଗତା (୧୩୦), ବି ଅପରାଜିତ (୧୦୧)।

ଅଗ୍ରଣୀ ବୋଲର
୨୦୧୬: କୁଲଦୀପ ଯାଦବ (ଇଣ୍ଡିଆ ରେଡ୍‌, ୧୭ ୱିକେଟ), ୨୦୧୭: କର୍ନ ଶର୍ମା (ଇଣ୍ଡିଆ ରେଡ୍‌, ୧୫ ୱିକେଟ୍‌), ୨୦୧୮: ସୌରଭ କୁମାର (ଇଣ୍ଡିଆ ବ୍ଲୁ, ୧୯ ୱିକେଟ୍‌)।
ଶ୍ରେଷ୍ଠ ବୋଲିଂ: ରଜନୀଣ ଗୁରବାଣୀ (୭/୮୧), ନାଥୁ ସିଂହ (୬/୫୩), ୱାସିଂଟନ୍ ସୁନ୍ଦର (୬/୮୭), କୁଲଦୀପ ଯାଦବ (୬/୮୮), କର୍ନ ଶର୍ମା (୬/୯୪)।

ପ୍ରଥମ ୩ ଦିନର ଟିକେଟ୍ ଶେଷ
ଐତିହାସିକ ଇଡେନ ଗାର୍ଡେନ୍ସଠାରେ ଆସନ୍ତା ନଭେମ୍ବର ୨୨ରୁ ହେବାକୁଥିବା ପ୍ରଥମ ଦିବା-ରାତ୍ର ଟେଷ୍ଟ୍‌ର ପ୍ରଥମ ତିନିଦିନ ପାଇଁ ଟିକେଟ୍‌ ସମ୍ପୂର୍ଣ୍ଣ ବିକ୍ରି ହୋଇସାରିଥିବା କହିଛନ୍ତି ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଶୁକ୍ରବାର ଗାଙ୍ଗୁଲି କହିଛନ୍ତି, ଆମେ ବହୁତ ଖୁସି ଯେ, ପ୍ରଥମ ତିନିଦିନ ପାଇଁ ସବୁ ଟିକେଟ୍ ବିକ୍ରି ହୋଇଯାଇଛି। ଭାରତ-ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ଉଭୟ ଦଳ ପ୍ରଥମଥର ପାଇଁ ଦିବା-ରାତ୍ର ମ୍ୟାଚ୍ ଖେଳୁଥିବା ବେଳେ ମ୍ୟାଚ୍‌ଟି ଗୋଲାପି ବଲ୍‌ରେ ଖେଳା ଯିବ। ଏଥିପାଇଁ ଲୋକଙ୍କର ବହୁତ ଆଗ୍ରହ ଥିବା ଦେଖିବାକୁ ମିଳିଛି। ବିକ୍ରି ହେବାକୁ ଥିବା ସମସ୍ତ ଟିକେଟ୍ ଅନ୍‌ଲାଇନ୍‌ରେ ଶେଷ ହୋଇସାରିଛି ବୋଲି କହିଛନ୍ତି ବେଙ୍ଗଲ କ୍ରିକେଟ୍ ସଂଘ(ସିଏବି)ର ସମ୍ପାଦକ ଅଭିଷେକ୍ ଡାଲମିଆ।

ସମ୍ବନ୍ଧିତ ଖବର