ମାଉଣ୍ଟ ଫ୍ରେଣ୍ଡସିପ୍‌ ଆରୋହଣ କଲେ ନୃସିଂହ

ଭୁବନେଶ୍ବର: ଓଡ଼ିଆ ପର୍ବତାରୋହୀ ନୃସିଂହ ଚରଣ ସାହୁ ହିମାଚଳ ପ୍ରଦେଶସ୍ଥିତ ସୋଲାଙ୍ଗ ଭ୍ୟାଲି ନିକଟସ୍ଥ ‘ମାଉଣ୍ଟ ଫ୍ରେଣ୍ଡସିପ୍‌’ (୫୨୮୯ ମିଟର ଉଚ୍ଚ)କୁ ସଫଳତାର ସହ ଆରୋହଣ କରିଛନ୍ତି। କରୋନା କାଳରେ ତାଙ୍କର ଯୋଜନା ମୁତାବକ ସମସ୍ତ ପର୍ବତାରୋହଣ କାର୍ଯ୍ୟକ୍ରମକୁ ବନ୍ଦ ରଖିଥିଲେ। ସରକାରଙ୍କ ନିୟମ କୋହଳ ହେବାରୁ ଦୀର୍ଘ ୧୫ ମାସ ପରେ ସେ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ‘ମାଉଣ୍ଟ ଫ୍ରେଣ୍ଡସିପ୍‌’ ଆରୋହଣ କାର୍ଯ୍ୟକ୍ରମ ଚଳିତ ମାସ ୨୧ରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହୋଇଥିଲା। ୨୩ରେ ନୃସିଂହ ତାଙ୍କ ସାଥୀ ପର୍ବତାରୋହୀମାନଙ୍କ ସହ ବେସ୍‌କ୍ୟାମ୍ପରେ ପହଞ୍ଚିଥିଲେ। ତେବେ ପାଣିପାଗ ପ୍ରତିକୂଳ ନଥିବାରୁ ଆଗକୁ ବଢ଼ିବା ସମ୍ଭବ ହୋଇନଥିଲା। ବର୍ଷା ‌ଯୋଗୁଁ ‌୨ ଦିନ ବେସ୍‌କ୍ୟାମ୍ପ୍‌ରେ ରହିବାକୁ ପଡ଼ିଥିଲା।

ପୂର୍ବ ନିର୍ଦ୍ଧାରିତ ଯୋଜନା ବଦଳାଇ ସାଥୀ ପର୍ବତାରୋହୀଙ୍କ ସହ କ୍ୟାମ୍ପ-୧ କୁ ଚଢିଥିଲେ। ପାଣିପାଗ ସୂଚନା ଅନୁସାରେ କେବଳ ସେହିଦିନ ଅନୁକୂଳ ଥିଲା ବୋଲି ଜାଣିବା ପରେ ୨୫ ତାରିଖ ରାତି ୧୨.୩୦ରୁ ‘ମାଉଣ୍ଟ ଫ୍ରେଣ୍ଡସିପ୍‌’ ଶିଖର ଛୁଇଁବା ଲକ୍ଷ୍ୟରେ ବାହାରି ପଡ଼ିଥିଲେ। ଏହା ଏକ ଛୋଟ ପାହାଡ଼ ହୋଇଥିଲେ ମଧ୍ୟ ଖରାପ ପାଗ ଯୋଗୁଁ ପହଞ୍ଚିଲା ବେଳକୁ ସକାଳ ୯.୩୦‌ ହୋଇଯାଇଥିଲା। ଅଧିକ ତୁଷାରପାତ ଯୋଗୁଁ ଆଣ୍ଠୁ ଯାଏ ବରଫ ଦବି ଯାଉଥିଲା। ‌ତେଣୁ ଶୀର୍ଷରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ୧୮ ଜଣଙ୍କ ମଧ୍ୟରୁ ୮ ଜଣ ଚଢ଼ିବାରେ ବିଫଳ ହୋଇଥିଲେ ବୋଲି ନୃସିଂହ କହିଛନ୍ତି। ନୃସିଂହ ଏହି କାର୍ଯ୍ୟକ୍ରମରେ ନିଜର ଜଣେ ଛାତ୍ରୀ ହରିୟାଣାର ମୀନୁ ଦେବୀଙ୍କୁ ସାଥୀରେ ନେଇ ଚଢିଥିଲେ। ମୀନୁ ମଧ୍ୟ ସଫଳତା ସହ ଶିଖର ଛୁଇଁଥିଲେ।

ସମ୍ବନ୍ଧିତ ଖବର