ଭୁବନେଶ୍ବର: ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ ଏନ୍ଏସ୍ସି କାଭା ମହିଳା ଚାଲେଞ୍ଜ୍ ଭଲିବଲ୍ ପ୍ରତିଯୋଗିତାରେ ଶକ୍ତିଶାଳି କାଜାକସ୍ଥାନକୁ ୩-୦ ସେଟ୍ରେ ପରାସ୍ତ କରି ଭାରତ ବିଜେତା ହୋଇଛି। ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିବା ଭାରତୀୟ ଦଳ ୨୫-୧୫, ୨୫-୨୨, ୨୫-୧୮ରେ ବିଜୟୀ ହୋଇଥିଲା। ଆଟାକର୍ ଅନୁଶ୍ରୀ, ବ୍ଲକର୍ ସୂର୍ଯ୍ୟା ଓ ଅଶ୍ବିନ ଏବଂ ଅଲରାଉଣ୍ଡର୍ ଜିନ୍ସୀଙ୍କ ଖେଳ ନିର୍ଣ୍ଣାୟକ ହୋଇଥିଲା। ଭାରତ ସ୍ବର୍ଣ୍ଣ ପଦକ ଜିତିତିବା ବେଳେ କାଜାଜସ୍ଥାନ ରୌପ୍ୟ ଏବଂ ଆୟୋଜକ ନେପାଳ କାଂସ୍ୟ ପଦକ ଜିତିଥିଲା। କାଭା ମହିଳା ଭଲିବଲ୍ ଚାଲେଞ୍ଜ ପ୍ରତିଯୋଗିତାର ଏହି ତୃତୀୟ ସଂସ୍କରଣରେ ଭାରତ ପ୍ରଥମ ଥର ଭାଗ ନେଇ ବିଜେତା ହୋଇଛି।
ଭାରତୀୟ ଦଳ ଅଧିନାୟିକା ନିର୍ମଳା ମୋଷ୍ଟ ଭ୍ୟାଲୁଏବଲ୍ ପ୍ଲେୟାର, ସୂର୍ଯ୍ୟା ପ୍ରଥମ ବେଷ୍ଟ୍ ମିଡଲ୍ ବ୍ଲକର, ଜିନି ବେଷ୍ଟ ସେଟର୍, ଅନୁଶ୍ରୀ ଦ୍ବିତୀୟ ବେଷ୍ଟ୍ ଆଉଟସାଇଡ୍ ହିଟର୍ ପୁରସ୍କାର ପାଇଥିଲେ। ସ୍ବର୍ଣ୍ଣ ବିଜୟୀ ଭାରତୀୟ ଦଳକୁ ଭିଏଫଆଇ (ଭାରତୀୟ ଭଲିବଲ୍ ସଂଘ) ସଭାପତି ଡକ୍ଟର ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। ଡକ୍ଟର ସାମନ୍ତ ଦାୟିତ୍ବ ନେବା ପରଠାରୁ ଭାରତୀୟ ଭଲିବଲ୍ ଦଳ ଉଲ୍ଲେଖନୀୟ ଅଗ୍ରଗତି କରିବାରେ ଲାଗିଛି। ଗତବର୍ଷ ଭାରତୀୟ ମହିଳା ଭଲିବଲ୍ ଦଳ ଏଭିସି ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ବେଳେ ଭାରତୀୟ ପୁରୁଷ (୨୦ ବର୍ଷରୁ କମ୍) ୨୦ ବର୍ଷ ପରେ ଏସୀୟ ରୌପ୍ୟ ପଦକ ଜିତିଥିଲା। ସେହିଭଳି ଭାରତୀୟ ୧୮ ବର୍ଷରୁ କମ୍ ଦଳ ୧୪ ବର୍ଷ ପରେ ଏସୀୟ କାଂସ୍ୟ ପଦକ ଜିତିଥିଲା। ଏହି ଦୁଇ ପୁରୁଷ ଦଳ ମଧ୍ୟ ନିଜ ବର୍ଗର ବିଶ୍ବ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଭଲ ସୁବିଧା ସହିତ ପ୍ରସ୍ତୁତି ଲାଗି ଆବଶ୍ୟକ ସମର୍ଥନ ପାଉଥିବାରୁ ବିଗତ ୩ ବର୍ଷ ଧରି ଭାରତୀୟ ପୁରୁଷ ଓ ମହିଳା ଭଲ ଖେଳୁଛନ୍ତି। ଏଥିପାଇଁ ବିଭିନ୍ନ ଦଳର ଖେଳାଳି, ପ୍ରଶିକ୍ଷକ ଓ ଅଧିକାରୀମାନେ ମଧ୍ୟ ଡକ୍ଟର ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।