ଆନ୍ତର୍ଜାତିକ କ୍ରିକେଟ୍‌ରୁ କୁଳସେକରାଙ୍କ ଅବସର

କଲମ୍ବୋ: ଶ୍ରୀଲଙ୍କା ଦ୍ରୁତ ବୋଲର ନୁୱାନ୍‌ କୁଳସେକରା ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇଯାଇଛନ୍ତି। ନୂଆ ବଲ୍‌ରେ ଚମତ୍କାର ସୁଇଂ ସାଙ୍ଗକୁ ପୁରୁଣା ବଲ୍‌ରେ ରିଭର୍ସ ସୁଇଂ ୟର୍କର ମାରିବା ପାଇଁ ବେଶ୍‌ ଜଣାଶୁଣା ଏହି ୩୭ ବର୍ଷ ବୟସ୍କ ସିଂହଳୀ ତାରକା ଦେଶର ଦ୍ରୁତ ବୋଲରଙ୍କ ମଧ୍ୟରେ ଚମିନ୍ଦା ଭାସ୍‌ ଓ ଲସିତ୍‌ ମାଲିଙ୍ଗାଙ୍କ ପଛକୁ ତୃତୀୟ ସର୍ବାଧିକ ଦିନିକିଆ ୱିକେଟ୍‌ ଦଖଲକାରୀ ରହିଥିଲେ। ସେ ୧୮୪ ମ୍ୟାଚ୍‌ ଖେଳି ୧୯୯ ୱିକେଟ୍‌ ନିଜ ନାମରେ ରଖିଛନ୍ତି। କୁଳସେକରା ମଧ୍ୟ ଟ୍ବେଣ୍ଟି-୨୦ରେ ଶ୍ରୀଲଙ୍କା ପାଇଁ ଯୁଗ୍ମ ଦ୍ବିତୀୟ ସର୍ବାଧିକ ୱିକେଟ୍‌ ଦଖଲକାରୀ ବୋଲର। ୫୮ ମ୍ୟାଚ୍‌ରୁ ୬୬ ୱିକେଟ୍‌ ସହ ସେ ମାଲିଙ୍ଗାଙ୍କ ପଛକୁ ତାଲିକାରେ ରହିଛନ୍ତି। ୨୦୧୭ ଜୁଲାଇରେ ହାମ୍ବାଣ୍ଟୋଟାରେ ଜିମ୍ବାୱେ ବିପକ୍ଷ ଦିନିକିଆ ଆନ୍ତର୍ଜାତିକ କୁଳସେକରାଙ୍କ ଶେଷ ମ୍ୟାଚ୍‌ ଥିଲା। ଏହାପରେ ୨୦୧୮ ମାର୍ଚରୁ ସେ ଆଦୌ କ୍ରିକେଟ୍‌ ଖେଳିନଥିଲେ। ତେବେ ମଙ୍ଗଳବାର ମାଲିଙ୍ଗା ଦିନିକିଆ ଆନ୍ତର୍ଜାତିକରୁ ଅବସର ନିଷ୍ପତ୍ତି ନେଇଯିବାର ଦିନକ ପରେ ବୁଧବାର କୁଳସେକରା ଅଚାନକ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଦେଇଛନ୍ତି। ୨୦୦୯ ମାର୍ଚରେ କୁଳସେକରା ଆଇସିସି ଦିନିକିଆ ବୋଲରଙ୍କ ମାନ୍ୟତାର ଶୀର୍ଷ ସ୍ଥାନ ଅକ୍ତିଆର କରିଥିଲେ। ଆଉ ଏହାର ପାଖାପାଖି ୪ ବର୍ଷ ପରେ ସେ ବ୍ରିସ୍‌ବନ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଜୀବନର ଶ୍ରେଷ୍ଠ ଦିନିକିଆ ଆନ୍ତର୍ଜାତିକ ବୋଲିଂ ଚିତ୍ର (୫/୨୨) ପାଇଥିଲେ। ହେଲେ କୁଳସେକରା ଟେଷ୍ଟରେ ବିଶେଷ ପ୍ରଭାବୀ ହୋଇପାରିନଥିଲେ। ୨୧ ଟେଷ୍ଟ୍‌ରେ ସେ ୪୮ ୱିକେଟ୍‌ ଦଖଲ କରିଥିଲେ। ୨୦୧୪ ଲର୍ଡସ୍‌ ଟେଷ୍ଟ ତାଙ୍କର ଶେଷ ଥିଲା। ଯେଉଁଥିରେ କି ଶ୍ରୀଲଙ୍କା ମ୍ୟାଚ୍‌ ଅମୀମାଂସିତ ରଖିବାରେ ସମର୍ଥ ହୋଇଥିଲା।

ସମ୍ବନ୍ଧିତ ଖବର