ରାୟପୁର : ଛତିଶଗଡ଼ର ରାୟପୁରଠାରେ ଚାଲିଥିବା ୨ୟ ଦିନିକିଆରେ ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ମାତ୍ର ୧୦୮ ରନରେ ଅଲଆଉଟ ହୋଇଯାଇଛି । ଫଳରେ ଭାରତ ଆଗରେ ୧୦୯ ରନର ବିଜୟ ଲକ୍ଷ୍ୟ ରହିଛି ।

Advertisment

ଏହି ମ୍ୟାଚରେ ଭାରତ ଟସ ଜିତି ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । କିନ୍ତୁ ଆରମ୍ଭରୁ ଭାରତୀୟ ବୋଲରମାନେ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କ ଉପରେ ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଥିଲେ । ଦଳର ପ୍ରଥମ ୫ ବ୍ୟାଟ୍ସମ୍ୟାନ ଦୁଇଅଂକ ଟପିପାରିନଥିଲେ । ଏପରିକି ଦଳ ୧୫ ରନରେ ୫ ଓ୍ବିକେଟ ହରାଇ ସଂଘର୍ଷ କରୁଥିଲା । ତେବେ ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସଓ୍ବେଲ ଓ ମିଚେଲ ସାଣ୍ଟନର କିଛି ସମୟ କ୍ରିଜରେ ତିଷ୍ଠି ରହିବାକୁ ସକ୍ଷମ ହୋଇଥିଲେ । ଫିଲିପ୍ସ ୩୬ ରନ କରିଥିବାବେଳେ ବ୍ରେସଓ୍ବେଲ ୨୨ ଓ ସାଣ୍ଟନର ୨୭ ରନ କରିଥିଲେ । ଏହା ଫଳରେ ଦଳୀୟ ସ୍କୋର ୧୦୦ ରନ ଟପିପାରିଥିଲା । ତେବେ ଫିଲିପ୍ଟ ଆଉଟ୍ ହେବା ପରେ ଦଳ ଅଳ୍ପ କିଛି ରନ ଯୋଗ କରି ୧୦୮ରେ ଅଲଆଉଟ ହୋଇଯାଇଥିଲା ।

ଭାରତ ପକ୍ଷରୁ ବୋଲିଂ କରିଥିବା ସବୁ ବୋଲର ଓ୍ବିକେଟ ପାଇବାରେ ସଫଳ ହୋଇଥିଲେ । ମହମ୍ମଦ ସମି ୩ଟି ଓ୍ବିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଓ୍ବାସିଂଟନ ସୁନ୍ଦର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ମହମ୍ମଦ ସିରାଜ, ଶାର୍ଦୁଲ ଠାକୁର ଓ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।