ହାଇଦ୍ରାବାଦ : ଚଳିତ ଆଇସିସି ବିଶ୍ବକପରେ ନ୍ୟୁଜିଲାଣ୍ଡର ବିଜୟଯାତ୍ରା ଜାରି ରହିଛି । ନିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ହରାଇଦେଇଥିବା ନ୍ୟୁଜିଲାଣ୍ଡ ଆଜି ନେଦରଲାଣ୍ଡସକୁ ୯୯ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି ।
ନ୍ୟୁଜିଲାଣ୍ଡ ପକ୍ଷରୁ ନେଦରଲାଣ୍ଡସ ଆଗରେ ୩୨୩ ରନର ବଡ଼ ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ନେଦରଲାଣ୍ଡସ ୪୬.୩ ତମ ଓଭରରେ ୨୨୩ ରନ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ କୋଲିନ ଆକରମ୍ୟାନ ସର୍ବାଧିକ ୬୯ ରନ କରିଥିବାବେଳେ ସ୍କଟ୍ ଏଡଓ୍ବାର୍ଡସ୩୦ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ୍ ସାଣ୍ଟନର ୫ଟି ଓ୍ବିକେଟ ନେଇଥିବାବେଳେ ମ୍ୟାଟ୍ ହେନେରୀ ୩ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ନେଦରଲାଣ୍ଡସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଥିଲା । ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡର ଦୁଇ ଓପନର ଦେଓ୍ବନ କନଓ୍ବେ ଓ ଓ୍ବିଲ୍ ୟଙ୍ଗ୍ ପ୍ରଥମ ଓ୍ବିକେଟ ଯୋଡ଼ିରେ ୬୭ ରନ କରି ଏକ ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ । ୟଙ୍ଗ୍ ୭୦ ରନ ଓ କନଓ୍ବେ ୩୨ ରନ କରିଥିଲେ । ସେହିପରି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ରାଚିନ ରବୀନ୍ଦ୍ର ଓ ଡାରିଲ୍ ମିଚେଲ ଓ ଟମ ଲାଥମ୍ ମଧ୍ୟ ଭଲ ବ୍ୟାଟିଂ କରିଥିଲେ । ରାଚିନ ଓ ଲାଥମ୍ ଅର୍ଦ୍ଧଶତକ ହାସଲ କରିଥିବାବେଳେ ମିଚେଲ ୪୮ ରନ କରିଥିଲେ । ଶେଷ ଓଭର ବେଳକୁ ମିଚେଲ ସାଣ୍ଟନର ମାତ୍ର ୧୭ ବଲରେ ୩୬ରନ କରି ଦଳୀୟ ସ୍କୋରକୁ ୩୨୨ ପର୍ଯ୍ୟନ୍ତ ନେଇଯାଇଥିଲେ ।
ନେଦରଲାଣ୍ଡସ ପକ୍ଷରୁ ଆର୍ୟନ ଦତ୍ତ, ପଲ୍ ଭାନ ମିକିରେନ ଓ ରୋଏଲର ଭାନ ଡର ମେରଓ୍ବେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।