ପୁଣେ: ପୁଣେ ଟେଷ୍ଟ ରୋଚକ ମୋଡ଼ରେ ପହଞ୍ଚିଛି । ଏହି ମ୍ୟାଚର ୨ୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ନିଜର ୨ୟ ଇନିଂସରେ ୫ ଓ୍ବିକେଟ ହରାଇ ୧୯୮ ରନ କରିପାରିଛି ଓ ଏହା ସହିତ ଭାରତଠାରୁ ୩୦୧ ରନରେ ଆଗୁଆ ରହିଛି । ଦଳ ପକ୍ଷରୁ ଓପନର ଟମ୍ ଲଥାମ୍ ୮୬ ରନ କରିଥିଲେ । 
ଭାରତ ଆଜି ନିଜର ଗତକାଲିର ସ୍କୋର ୧୬/୧ ରନରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । କିନ୍ତୁ ଭାରତ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ମାତ୍ର ୧୫୬ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୩୮ ରନ କରିଥିବାବେଳେ ୟଶସ୍ବୀ ଜୟସ୍ବାଲ ଓ ଶୁଭମନ ଗିଲ୍ ୩୦ ରନ ଲେଖାଏଁ କରିଥିଲେ ।

Advertisment

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୨୫୯ ରନ କରି ଅଲଆଉଟ ହୋଇଥିଲା । ଆରମ୍ଭରୁ ଦଳକୁ ଝଟକା ଦେଇଥିଲେ ରବିଚନ୍ଦ୍ରନ ଅଶ୍ବୀନ । ସେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଟମ୍ ଲଥାମ, ଦେଓ୍ବନ କନଓ୍ବେ ଓ ଓ୍ବିଲ ୟଙ୍ଗଙ୍କ ଓ୍ବିକେଟ  ନେଇଥିଲେ । ପ୍ରଥମ ୩ଟି ଓ୍ବିକେଟ ଅଶ୍ବୀନ ନେବା ପରେ ଓ୍ବାସିଂଟନ ସୁନ୍ଦରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ସେ ନ୍ୟୁଜିଲାଣ୍ଡ ଦଳର ଅବଶିଷ୍ଟ ୭ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଦେଇଥିଲେ । ୫୯ ରନ ଦେଇ ଏହି ୭ଟି ଓ୍ବିକେଟ ନେଇଥିଲେ ।