ନ୍ୟୁଜିଲାଣ୍ଡ ବନାମ ନୂଆ ଇଂଲଣ୍ଡ

ସୁନିଲ ଗାଭାସ୍କର

ଗୋଟିଏ କଥା ନିଶ୍ଚିତ। ରବିବାର ସଂଧ୍ୟାରେ ଆଇସିସି ବିଶ୍ବକପ୍‌ ଟ୍ରଫିରେ ଏକ ନୂଆ ନାମ‌ ଲେଖି ହୋଇଯିବ। ପୂର୍ବ ୩ ମ୍ୟାଚ୍‌ ସହିତ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ଯେଭଳି ଭାବେ ଇଂଲଣ୍ଡ ପରାସ୍ତ କରିଥିଲା ଏହି ଦଳକୁ ନିସଂଦେହରେ ଅପ୍ରତିଦ୍ବନ୍ଦ୍ବୀ କହିହେବ। ଜାସନ୍ ରୟଙ୍କ ପ୍ରତ୍ୟାବର୍ତନ ଇଂଲଣ୍ଡ ଦଳ ପାଇଁ ଫରକ ପକାଇଛି। ସେ ଯେଉଁ ମ୍ୟାଚ୍‌ ଖେଳିଲେ ନାହିଁ ସେହିଠାରୁ ଇଂଲଣ୍ଡ ପରାଜୟ ଧାରା ଆରମ୍ଭ ହୋଇଥିଲା। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବିନା ପ୍ରତିପକ୍ଷ ବୋଲର ପ୍ରଭାବୀ ହୋଇଯାଉଥିଲେ। ଏବେ ଅଷ୍ଟ୍ରେଲିଆର ସ୍କୋରକୁ ଇଂଲଣ୍ଡ ଯେଭଳି ଭାବେ ପିଛା କରିଗଲା ସେଥିରେ ନିଶ୍ଚିତ ଖୁସି ହୋଇଥିବ। ପ୍ରଥମ ବଲ୍‌ରୁ ହିଁ ଜାସନ୍ ରୟ ଆକ୍ରମଣାତ୍ମକ ହୋଇଉଠିଥିଲେ। ବିଗତ ବର୍ଷଗୁଡ଼ିକରେ ଇଂଲଣ୍ଡର ଆଭିମୁଖ୍ୟରେ ସେ ଆଶ୍ଚର୍ଯ୍ୟଜନକ ଭାବେ ପରିବର୍ତନ ଆଣି ପାରିଛନ୍ତି। ସେ ଏଭଳି ଫର୍ମ ଜାରି ରଖିଲେ ଟେଷ୍ଟ୍ କ୍ରିକେଟ୍ ପାଇଁ ଦଳରେ ନିଶ୍ଚିତ ସ୍ଥାନ ପାଇବେ। ଅନ୍ୟ ଦଳଗୁଡ଼ିକ ଭଳି ଇଂଲଣ୍ଡର ବ୍ୟାଟିଂ ଜଣେ ଦୁଇ ଜଣ ବ୍ୟାଟସମ୍ୟାନଙ୍କ ଉପରେ ନିର୍ଭର କରୁନାହିଁ। ଦଳର ବ୍ୟାଟିଂରେ ଗଭୀରତା ରହିଛି, ଏପରିକି ୮ ନମ୍ବର କ୍ରିସ୍ ୱକ୍ସ ବି ଭଲ ବ୍ୟାଟିଂ କରିପାରନ୍ତି।

ନ୍ୟୁଜିଲାଣ୍ଡ୍ ପୁଣି ଥରେ ନିରବରେ ଏକ ବିଶ୍ବକପ୍‌ ଫାଇନାଲରେ ପ୍ରବେଶ କରିଛି। ଏହି ଦଳ ଚାରିପଟେ କେହି ବଡ଼ ତାରକା ନାହାନ୍ତି କି କିଛି କୋଳାହଳ ନାହିଁ। ଦଳକୁ ଖରାପ କରିଦେବା ଭଳି କେହି ବି ନାହାନ୍ତି। ବ୍ରେଣ୍ଡନ୍ ମ୍ୟାକଲମଙ୍କ ଉତ୍ତରାଧିକାରୀ ଦଳରେ ଆସିଯାଇଛନ୍ତି। ଆଜିକାଲି ସେମାନେ ଖୁବ୍ କମ୍ କଥା କହୁଛନ୍ତି ଏବଂ ବିଶ୍ବକପ୍‌ ଅଂଶଗ୍ରହଣକୁ ଉପଭୋଗ କରୁଛନ୍ତି। ‌ଦକ୍ଷତା ଓ ପ୍ରଦର୍ଶନ ସେମାନଙ୍କ ପାଇଁ କଥା କହୁ ବୋଲି ଛାଡ଼ି ଦେଇଛନ୍ତି। ମ୍ୟାକଲମଙ୍କ କୋଡ ଏବଂ ଶାନ୍ତ ସ୍ବଭାବକୁ ବୋହି ଆଣିଛନ୍ତି। ଖେଳାଳିଙ୍କୁ ଏହା ବିନା ଚାପରେ ସେମାନଙ୍କ ସ୍ବାଭାବିକ ଖେଳ ଖେଳିବାକୁ ସୁଯୋଗ ଦେଉଛି। ଟ୍ରେଣ୍ଟ୍ ବୋଲଟ୍‌ ବୋଲିଂ ଆକ୍ରମଣର ନେତୃତ୍ବ ନେଉଛନ୍ତି ଏବଂ ଶେଷାନ୍ତ ଓଭରଗୁଡ଼ିକରେ ମଧ୍ୟ ୱିକେଟ୍‌ ବାହାର କରୁଛନ୍ତି। ଭାରତ ବିପକ୍ଷରେ ମ୍ୟାଟ୍ ହେନରି ଯେଭଳି ଭାବେ ୱିକେଟ୍‌ ନେଇ ଚାଲିଲେ ଏହି ବୋଲରଙ୍କୁ‌‌‌‌ ଦେଖିବାର ଥିଲା। ରସ୍ ଟେଲର ନିଶ୍ଚିତ ତାଙ୍କ ଖେଳ ଜୀବନକୁ ଏକ ମହତ୍ବପୂର୍ଣ୍ଣ ବିଜୟରେ ଶେଷ କରିବାକୁ ଚାହିଁବେ। ନ୍ୟୁଜିଲାଣ୍ଡ୍ କ୍ରିକେଟ୍‌ର ସବୁଠାରୁ ସୁନ୍ଦର ଦଳ ଏବଂ ଏହି ଦଳ ବିଶ୍ବକପ୍‌ ଜିତିଲେ ଚମତ୍କାର ଅନୁଭବ ମିଳିବ।

ଯଦି ଇଂଲଣ୍ଡ ଜିତିଯାଏ ତେବେ ସେମାନେ ମଧ୍ୟ ନ୍ୟୁଜିଲାଣ୍ଡ୍‌କୁ ଧନ୍ୟବାଦ ଦେବା କଥା। କାରଣ ଗତ ବିଶ୍ବକପ୍‌ରେ ଦଳର ପ୍ରାରମ୍ଭିକ ବିପର୍ଯ୍ୟୟ ଦିଗରେ ନ୍ୟୁଜିଲାଣ୍ଡ୍ ଅନ୍ୟତମ କାରଣ ଥିଲା। ଆକ୍ରମଣାତ୍ମକ କ୍ରିକେଟ୍ ଖେଳି ପ୍ରଥମେ ଇଂଲଣ୍ଡକୁ ହିଁ ହରାଇଥିଲା। ଏବେ ତାହାକୁ କପି କରି ଇଂଲଣ୍ଡ ଉନ୍ନତରୁ ଉନ୍ନତ କରିବାରେ ଲାଗିଛି। ତେଣୁ ରବିବାରର ଫାଇନାଲ୍‌ ମୁକାବିଲା ନ୍ୟୁଜିଲାଣ୍ଡ୍ ଏବଂ ନୂଆ ଇଂଲଣ୍ଡ ମଧ୍ୟରେ ହେବ। ସମ୍ଭବତଃ ହକ୍‌ଦାର ଦଳ ବିଜୟୀ ହେବ।

ସମ୍ବନ୍ଧିତ ଖବର