କଟକ: କ୍ରିକେଟରେ ସଂସ୍କାର ଆଣିବା ପାଇଁ ଲୋଧା ସମିତି ସୁପାରିସଗୁଡ଼ିକ ମଧ୍ୟରେ ପ୍ରମୁଖ ପ୍ରସଙ୍ଗ ହେଉଛି ଦୋହରା ସ୍ୱାର୍ଥ (କନ୍ଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ)। ସୁପାରିସ ଗୁଡ଼ିକୁ ମାନିବାକୁ ଓଡ଼ିଶା କ୍ରିକେଟ ସଂଘ (ଓସିଏ) ପକ୍ଷରୁ ସତ୍ୟପାଠ ଜରିଆରେ ସର୍ବୋଚ୍ଚ ନ୍ୟାୟାଳୟକୁ ଅବଗତ ମଧ୍ୟ କରାଯାଇଛି। ଏସବୁ ସତ୍ତ୍ୱେ ଓସିଏ ବାରମ୍ବାର ଲୋଧା ସମିତି ସୁପାରିସ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପରାମର୍ଶକୁ ଅବମାନନା କରିଚାଲିଛି। ନିକଟରେ ସମ୍ବଲପୁରରେ ଶେଷ ହୋଇଥିବା ୨୩ ବର୍ଷରୁ କମ୍ ସିକେ ନାୟୁଡୁ ଟ୍ରଫି ଓ ବର୍ତ୍ତମାନ କିଟ୍ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫିରେ ପ୍ରବନ୍ଧକ ନିଯୁକ୍ତିକୁ ନେଇ ଏହି ବିବାଦ ଦେଖାଦେଇଛି। ଓସିଏ ପରିଚାଳନା ସମିତି ସଦସ୍ୟ ଦୁଲାଲ ଚନ୍ଦ୍ର ପ୍ରଧାନ ଓ ବରିଷ୍ଠ ଚୟନ ସମିତି ସଦସ୍ୟ ଶୁଭାଶିଷ ଭୂୟାଁ ଯଥାକ୍ରମେ ସମ୍ବଲପୁର ଓ କିଟ୍ରେ ପ୍ରବନ୍ଧକ ଭାବେ ନିୟୋଜିତ ହୋଇଛନ୍ତି। ଉଭୟ ଦୁଇ ଦୁଇଟି ଦାୟିତ୍ୱରେ କିଭଳି ରହିଲେ। ସେହିଭଳି ଶ୍ରୀ ଭୂୟାଁ ନିଜ ବୃତ୍ତିଗତ ସଂସ୍ଥା ଏଜିକୁ କେଉଁ ତଥ୍ୟ ଦେଇ ଏହି ଦୁଇଟି ଦାୟିତ୍ୱ ନେଇଛନ୍ତି ପ୍ରଶ୍ନ ଉଠିଛି। ପୂର୍ବରୁ ସରକାରୀ ଚାକିରିରେ ଥିବା ବ୍ୟକ୍ତିଙ୍କୁ ପ୍ରଶିକ୍ଷକ ଓ ଚୟନକର୍ତ୍ତା କରାଯିବାକୁ ନେଇ ବିବାଦ ଦେଖାଦେଇଥିଲା ବେଳେ ଏବେ ପୁଣି ପ୍ରବନ୍ଧକ ନିଯୁକ୍ତି ଆଉ ଏକ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏ ସମ୍ପର୍କରେ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍ ପଲେଇ କହିଛନ୍ତି ଯେ ଯେଉଁସ୍ଥାନରେ ମ୍ୟାଚ୍ ଖେଳାଯାଉଛି ସେଠାରେ ଦଳର ସ୍ଥାନୀୟ ପ୍ରବନ୍ଧକ ରଖାଯିବା ପାଇଁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। କୋର୍ଟଙ୍କ ସଂପୂର୍ଣ୍ଣ ନିର୍ଦେଶନାମା ଆସିନଥିବାରୁ ‘କନ୍ଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ’କୁ ଏବେଠାରୁ କାର୍ଯ୍ୟକାରୀ କରିହେବ ନାହିଁ ବୋଲି ଧୀରେନ୍ ସଫେଇ ଦେଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଭୁବନେଶ୍ୱର ଓ ସମ୍ବଲପୁରରେ ଏହି ଦୁଇଜଣଙ୍କ ବ୍ୟତୀତ କ’ଣ ଆଉ କେହି ଯୋଗ୍ୟ ବ୍ୟକ୍ତି ନଥିଲେ କି? ଲୋଧା ସମିତିର ସୁପାରିସ ମାନିବା ପାଇଁ ସତ୍ୟପାଠ ଦେବା ପରେ ତାଙ୍କର ପରାମର୍ଶକୁ କାର୍ଯ୍ୟକାରୀ କରିବା ପାଇଁ ଏବେଠାରୁ ଅଭ୍ୟାସ କରାଯିବା ଉଚିତ୍ ବୋଲି କୁହାଯାଉଛି। ହେଲେ ଓସିଏ ସେସବୁ ମାନିବା ପରିବର୍ତ୍ତେ ନିଜ ଇଚ୍ଛା ଅନୁୟାୟୀ କ୍ରିକେଟକୁ ପରିଚାଳନା କରୁଥିବା ଅଭିଯୋଗ ହେଉଛି।
ଓସିଏରେ ପୁଣି ଲୋଧା ଉଲ୍ଲଂଘନ
/sambad/media/post_attachments/wp-content/uploads/2017/11/14-dulal-ch-pradhan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)