କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍( ଓସିଏ) ପକ୍ଷରୁ ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ବାରବାଟୀ ଷ୍ଟାଡିୟମରେ ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସ୍ବର୍ଗତ ପିଭିଆର ମୂର୍ତ୍ତିଙ୍କୁ କ୍ରିକେଟ୍ ପ୍ରତି ଥିବା ତାଙ୍କ ସାଧନା ପାଇଁ ଜୀବନବ୍ୟାପୀ ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ନାତି ପି ବିକ୍ରମ ଏହି ପୁରସ୍କାର ଗ୍ରହଣ କରିଥିଲେ। ସେହିଭଳି ସ୍ବର୍ଗତ କମଲ ଗାଂଗୁଲିଙ୍କୁ କ୍ରିକେଟ ଗୁରୁ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ପାଇଁ ସହିଦ ସ୍ପୋର୍ଟିଂ କ୍ଲବର କୋଷାଧ୍ୟକ୍ଷ ନିକୁଂଜ ମହାନ୍ତି ଏହି ପୁରସ୍କାର ଗ୍ରହଣ କରିଥିଲେ।
ସେହିଭଳି ବର୍ଷର ଶ୍ରେଷ୍ଠ ଉଦୀୟମାନ କ୍ରିକେଟ ତାରକା ଭାବେ ମହିଳା ବର୍ଗରେ ତନ୍ମୟୀ ବେହେରା ଓ ପୁରୁଷ ବର୍ଗରେ ଆଶୀର୍ବାଦ ସ୍ବାଇଁଙ୍କୁ ପୁରସ୍କୃତ କରାଯାଇଥିଲା। ଓସିଏ କ୍ଲବ୍ ଫେଷ୍ଟ୍ ପକ୍ଷରୁ ଆୟୋଜିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଊତ୍ସବରେ କିଟ୍/କିସ୍ ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି, ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା, ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା, ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କଟକ ଡିସିପି ପିନାକ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।