ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇପାରିଲେନି, ବିସିସିଆଇ ଶରଣରେ ଓସିଏ

କଟକ: ଓସିଏ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ହେବାକୁ କେହି ବି ରାଜି ନୁହଁନ୍ତି। ଯେଉଁଥିପାଇଁ ଶେଷ ଉପାୟ ଭାବେ ଏବେ ବିସିସିଆଇର ଶରଣ ପଶିଛି ଓସିଏ। କାହାକୁ ନିର୍ବାଚନ ଅଧିକାରୀ କରାଯିବ ସେଥିପାଇଁ ପରାମର୍ଶ ଦେବା ନଚେତ୍‌ ବିସିସିଆଇ ନିଜଆଡୁ ନିର୍ବାଚନ ଅଧିକାରୀ ନିଯୁକ୍ତ କରି ଓସିଏ ପଠାଇବାକୁ ଓସିଏ ପକ୍ଷରୁ ଜଣାଇ ଦିଆଯାଇଛି। ନିର୍ବାଚନ ଅଧିକାରୀ ନିଯୁକ୍ତ ପାଇଁ ଜୁଲାଇ ୧ ତାରିଖ ଶେଷ ସମୟ ହୋଇଥିଲେ ବି କେହି ଏଥିପାଇଁ ସହମତି ଦେଇନଥିଲେ। ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ନିକଟକୁ ଓସିଏ ବହୁତ ଦିନ ଆଗରୁ ଚିଠି କରି ଜଣେ ନିର୍ବାଚନ ଅଧିକାରୀ ପଠାଇବାକୁ ଅନୁରୋଧ କରିଥିଲା। ସେହି ଅନୁସାରେ କେତେକ ପୂର୍ବତନ ନିର୍ବାଚନ ଆୟୁକ୍ତଙ୍କୁ ଓସିଏ ପକ୍ଷରୁ ମନାଇବାକୁ ଉଦ୍ୟମ ହୋଇଥିଲା। କିନ୍ତୁ କ୍ରିକେଟ୍‌ ପ୍ରଶାସନ କ୍ଷେତ୍ରରେ ଦେଖାଦେଇଥିବା ବିବାଦକୁ ଆଖି ଆଗରେ ରଖି କେହି ବି ଏହି ଗୁରୁଦାୟିତ୍ବ ନେବାକୁ ରାଜି ହୋଇନଥିଲେ। ଯଦିଓ ଓସିଏ ପକ୍ଷରୁ ଔପଚାରିକ ଭାବେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ତଥାପି ବିସିସିଆଇକୁ ଇ-ମେଲ ଜରିଆରେ ସ୍ଥିତି ବିଷୟରେ ଅବଗତ କରାଇ ଦିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ରାଜ୍ୟ ସ˚ଘମାନଙ୍କର ନିର୍ବାଚନ ଶେଷ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଶେଷ ତାରିଖ ଧାର୍ଯ୍ୟ କରିଛନ୍ତି। ସେହି ଅନୁସାରେ ଜୁଲାଇ ୧ ତାରିଖ ସୁଦ୍ଧା ନିର୍ବାଚନ ଅଧିକାରୀ ନିଯୁକ୍ତ କରିବାକୁ କୁହାଯାଇଥିଲେ ବି ଏଥିରେ ବିଳମ୍ବ ହେଉଥିବାରୁ ନିର୍ବାଚନ ଠିକ୍‌ ସମୟରେ ହେବା ନେଇ ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର