ଓସିଏ ନିର୍ବାଚନ, କୁଆଡ଼େ ଯିବ ପଶ୍ଚିମ ଓଡ଼ିଶା ଭୋଟ?

ତୃତୀୟ ଗୋଷ୍ଠୀ ପାଇଁ ଚାଲିଛି ମନ୍ତ୍ରଣା, ପଦବି ଦୌଡ଼ରେ ଦୁଲାଲ, ହରିନାରାୟଣ, ମେହତାବ

କଟକ: ଓସିଏ ନିର୍ବାଚନରେ କଟକ ଓ ଭୁବନେଶ୍ବର ମଧ୍ୟରେ କ୍ଷମତା ଯୁଦ୍ଧ ହେବା ଏକପ୍ରକାର ସ୍ପଷ୍ଟ ହେଲାଣି। ତଥାପି ନିର୍ବାଚନରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ ପଶ୍ଚିମ ଓଡ଼ିଶା ଜିଲ୍ଲା ସ˚ଘ। କଟକ ଓ ଭୁବନେଶ୍ବରରେ କାହିଁକି ସଭାପତି, ସମ୍ପାଦକ ପଦ ସୀମିତ ରହିବ ବୋଲି ଏବେଠୁ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି। ତେଣୁ ଓସିଏ ପରିଚାଳନା ଦାୟିତ୍ବରେ ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ବ ରହୁ ବୋଲି ଦାବି ହେଲାଣି। କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ରାଉରକେଲା ଷ୍ଟିଲ ପ୍ଲାଣ୍ଟ୍‌, ନୂଆପଡ଼ା ଇତ୍ୟାଦି ଜିଲ୍ଲାଗୁଡ଼ିକ ଏବେ ଏକାଠି ହୋଇଛନ୍ତି। ଓସିଏ ଭୋଟ୍‌ ବ୍ୟାଙ୍କ୍‌ରେ ପଶ୍ଚିମ ଓଡ଼ିଶାରୁ ପାଖାପାଖି ୧୨ଟି ଜିଲ୍ଲା ଆସୁଥିବା ବେଳେ ସେମାନଙ୍କ ମଧ୍ୟରୁ ସମ୍ବଲପୁର, ବଲାଙ୍ଗୀର ଓ ଝାରସୁଗୁଡ଼ା ପଶ୍ଚିମାଞ୍ଚଳର ନେତୃତ୍ବ ନେବା ଆରମ୍ଭ କଲେଣି। ତେଣୁ ଏମାନଙ୍କୁ ଯଦି ଆଶୀର୍ବାଦ ଓ ପ୍ରଦୀପଙ୍କ ଗୋଷ୍ଠୀରେ ବଡ଼ ପଦ ନ ମିଳେ, ତାହେଲେ ପଶ୍ଚିମ ଓଡ଼ିଶା ତୃତୀୟ ଗୋଷ୍ଠୀ ହୋଇ ନିର୍ବାଚନରେ ପ୍ରାର୍ଥୀ ଦେବ ବୋଲି କହିସାରିଲେଣି।

ପଶ୍ଚିମ ଓଡ଼ିଶାରୁ ସବୁଠୁ ଆଗରେ ଆସୁଛନ୍ତି ସମ୍ବଲପୁର ଜିଲ୍ଲା ଦୌଡ଼କୁଦ ସ˚ଘର ସମ୍ପାଦକ ଦୁଲାଲ ଚନ୍ଦ୍ର ପ୍ରଧାନ। ଦୁଲାଲ ଓସିଏରେ ଶେଷ ୨୦୧୨ ନିର୍ବାଚନରେ ଉପସଭାପତି ଭାବେ ନିର୍ବାଚିତ ହୋଇ ୨୦୧୬ ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥିଲେ। ଏହାପରଠୁ ଓସିଏର ୪ ଜଣିଆ ପରିଚାଳନା ସମିତିରେ ସେ ସଦସ୍ୟ ଭାବେ ଏବେ କାର୍ଯ୍ୟ କରୁଛନ୍ତି। ଓଡ଼ିଶା କ୍ରିକେଟ୍‌ରେ ତାଙ୍କର ବଡ଼ ଭୂମିକା ରହିଆସିଛି। ସମ୍ବଲପୁରର ଭିଏସ୍‌ଏସ୍‌ ଷ୍ଟାଡିୟମର ପୁନଃରୁଦ୍ଧାର କରିବା ଓ ସେଠାରେ ଫ୍ଲଡ୍‌ ଲାଇଟ୍‌ ବ୍ୟବସ୍ଥା କରାଇବାରେ ଦୁଲାଲଙ୍କ ବଡ଼ ଅବଦାନ ରହିଛି। ଏଥିସହିତ ଓଡ଼ିଶା ବରିଷ୍ଠ ଦଳର ପ୍ରବନ୍ଧକ ଭାବେ ଅନେକ ଥର ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି। କେବଳ ଏତିକି ନୁହେଁ ଅଲମ୍ପିଆନ୍‌ ଦିଲ୍ଲୀପ ତୀର୍କିଙ୍କ ସହ ମିଶି ପଶ୍ଚିମ ଓଡ଼ିଶାରେ ହକିର ପ୍ରଚାର ପ୍ରସାର କରାଇବାରେ ତାଙ୍କର ହାତ ରହିଛି। ଯେଉଁଥିପାଇଁ ପଶ୍ଚିମାଞ୍ଚଳରେ ସେ ସବୁଠୁ ଲୋକପ୍ରିୟ କ୍ରୀଡ଼ା ସ˚ଗଠକ ଭାବେ ଜଣାଶୁଣା।

ସେହିପରି ବଲାଙ୍ଗୀର ଜିଲ୍ଲା ଦୌଡ଼କୁଦ ସ˚ଘ ସମ୍ପାଦକ ହରିନାରାୟଣ ପୂଜାରୀ ମଧ୍ୟ ଓସିଏର ଉଚ୍ଚ ପଦବି ପାଇଁ ଆଉ ଏକ ଦାବିଦାର। ପଶ୍ଚିମ ଓଡ଼ିଶାରେ ପ୍ରଥମ ଥର ପାଇଁ ମହିଳା କ୍ରିକେଟ୍‌ ଆରମ୍ଭ କରାଇବାରେ ତାଙ୍କର ବଡ଼ ଭୂମିକା ଥିଲା। ଯାହାଫଳରେ ୨୦୧୬ରେ ମାଧୁରୀ ମେହେଟ୍ଟା ଓ ରୋସନାରା ପରବିନ୍‌ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଏଥିସହିତ ଗାନ୍ଧୀ ଷ୍ଟାଡିୟମର ଉନ୍ନତିକରଣ ମଧ୍ୟ ତାଙ୍କରି ସମୟରେ ହୋଇଛି। ସେଠାରେ ବିସିସିଆଇର ବିଭିନ୍ନ ଘରୋଇ ପ୍ରତିଯୋଗିତା ସହ ଅନ୍ୟାନ୍ୟ ଘରୋଇ ଖେଳ ଅନୁଷ୍ଠିତ ହୋଇଆସୁଛି। ୨୦୦୭ରେ ଏକ କାର୍ଯ୍ୟକ୍ରମରେ କପିଳ ଦେବଙ୍କୁ ଆଣି ହରିନାରାୟଣ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲେ। ଅନ୍ୟପକ୍ଷରେ ସେ ରାଜ୍ୟ ଖୋ-ଖୋ ସ˚ଘରେ ଉପସଭାପତି ଭାବେ କାର୍ଯ୍ୟ କରିଥିଲେ ବି ଦୁଇ ବର୍ଷ ତଳୁ ସେଥିରୁ ଇସ୍ତଫା ଦେଇସାରିଛନ୍ତି। ଓସିଏରେ ତାଙ୍କୁ କୌଣସି ପଦ ପଦବି ମିଳିପାରିନାହିଁ। ତେଣୁ ଦାବିଦାର ତାଲିକା ମଧ୍ୟରେ ହରିନାରାୟଣ ମଧ୍ୟ ଅନ୍ୟତମ କ୍ରୀଡ଼ା ସ˚ଗଠକ ଅଛନ୍ତି। ତୃତୀୟରେ ଯଦିଓ ଓସିଏରେ ନୂଆ କିନ୍ତୁ ଅନ୍ୟଏକ ଚର୍ଚ୍ଚିତ କ୍ରୀଡ଼ା ସ˚ଗଠକ ହେଉଛନ୍ତି ଝାରସୁଗୁଡ଼ାର ମେହେତାବ ଖାନ୍‌। ୨୦୦୪ରେ ଝାରସୁଗୁଡ଼ା ଓସିଏରେ ନୂଆ ଜିଲ୍ଲା ସ˚ଘର ସ୍ବୀକୃତି ପାଇଥିଲା। ଜିଲ୍ଲା ଦୌଡ଼କୁଦ ସ˚ଘଠୁ ବାହାରି ସ୍ବତନ୍ତ୍ର ଭାବେ ଜିଲ୍ଲା କ୍ରିକେଟ୍‌ ସ˚ଘ ଗଠନ କରାଗଲା। ସେବେଠୁ କ୍ରିକେଟ୍‌ର ଉନ୍ନତି ପାଇଁ ମେହତାବ ଝାରସୁଗୁଡ଼ାରେ କାର୍ଯ୍ୟ କରିଆସୁଛନ୍ତି। ଏଠାରେ ଜିଲ୍ଲା ମଧ୍ୟରେ ୧୬ ବର୍ଷରୁ କମ୍‌ ଓ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଛି। ସେହିପରି ଜିଲ୍ଲାର ଖେଳାଳିମାନଙ୍କୁ ନେଇ କ୍ରିକେଟ୍‌ ଶିବିର ଆୟୋଜନ ହୋଇଥିଲା ବେଳେ ୨୦୧୦ରେ ଆନ୍ତର୍ଜାତିକ କ୍ରିକେଟର୍‌ ସବା କରିମ ତିନିଦିନ ପାଇଁ ଝାରସୁଗୁଡ଼ାରେ ରହିଥିଲେ। ସେ ସମୟରେ ଜିଲ୍ଲା କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଏହା ଚର୍ଚ୍ଚାର ବିଷୟ ପାଲିଥିଲା। ସେହିପରି ଓସିଏର ବିଭିନ୍ନ ପ୍ରଶିକ୍ଷଣ ଶିବିର ଝାରସୁଗୁଡ଼ାରେ ଆୟୋଜନ ହୋଇଛି। ଓଡ଼ିଶା ରଣଜୀ ଦଳର ପ୍ରବନ୍ଧକ ଭାବେ ସେ ବିଭିନ୍ନ ରାଜ୍ୟ ଗ୍ରସ୍ତ କରିଥିଲେ। ତେଣୁ ସେ ମଧ୍ୟ ଜଣେ ଚର୍ଚ୍ଚିତ ଚେହେରା ଭାବେ ପଶ୍ଚିମ ଓଡ଼ିଶାରୁ ଓସିଏ ପଦ ପାଇଁ ଦାବିଦାର ଦୌଡ଼ରେ ଅଛନ୍ତି।

ସମ୍ବନ୍ଧିତ ଖବର