ଓସିଏ ନିର୍ବାଚନ : ଦ୍ବନ୍ଦ୍ବରେ ୧୩ ଜିଲ୍ଲା ଦୌଡ଼କୁଦ ସଂଘ

ସାମାଜିକ ଓ କ୍ରିକେଟ୍‌ କ୍ଲବ୍‌ ପ୍ରଭେଦ, ଜିଲ୍ଲା ସ˚ଘ ନେଇ ସମ୍ବିଧାନରେ ଅସ୍ପଷ୍ଟ ତଥ୍ୟ

କଟକ : ଓଡ଼ିଶା କ୍ରିକେଟ ସ˚ଘ (ଓସିଏ)ରେ କର୍ମକର୍ତ୍ତା ନିର୍ବାଚନ ପାଇଁ ଲୋଧା ସମିତି ଓ ସର୍ବୋଚ୍ଚ ନ୍ୟାୟାଳୟ ନିୟମାବଳୀ ପ୍ରସ୍ତୁତ କରିଛନ୍ତି। କ୍ରିକେଟ ବ୍ୟତୀତ ଅନ୍ୟ କ୍ରୀଡ଼ା ସ˚ଘରେ କର୍ମକର୍ତ୍ତା ଥିଲେ ସେମାନଙ୍କ ନାମାଙ୍କନ ନାକଚ ହୋଇଯିବ। କିନ୍ତୁ ଓସିଏ ଅନୁବନ୍ଧିତ ଜିଲ୍ଲା ଦୌଡ଼କୁଦ ସ˚ଘମାନେ ଭୋଟ ଦେବା ଅଧିକାର ପାଇବେ କି ନାହିଁ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହେଉନାହିଁ। ଯଦିଓ ଓସିଏ ପକ୍ଷରୁ କୁହାଯାଉଛି ଯେ ଉକ୍ତ ନିୟମ କେବଳ ରାଜ୍ୟ ସ˚ଘମାନଙ୍କ ପାଇଁ ଉଦ୍ଦିଷ୍ଟ। ଜିଲ୍ଲା ସ˚ଘ କିମ୍ବା କ୍ଲବ୍‌ମାନଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ନୁହେଁ। କିନ୍ତୁ ଏବିଷୟରେ ଲୋଧା ସୁପାରିସ କିମ୍ବା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମାରେ କିଛି ସ୍ପଷ୍ଟ ହୋଇନାହିଁ। ଯାହାକି ନିର୍ବାଚନ ବେଳକୁ ଅନେକ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି।

ଏଭଳି ଦ୍ବନ୍ଦ୍ବାତ୍ମକ ସ୍ଥିତି ପାଇଁ ଓସିଏ ଅଧିକା˚ଶ ଭାବେ ଦାୟୀ ରହୁଥିବା ଭଳି ମନେ ହେଉଛି। କାରଣ ଯେତେବେଳେ ବିସିସିଆଇକୁ ସମ୍ବିଧାନ ପଠାଗଲା, ସେତେବେଳେ ସେଥିରେ ଜିଲ୍ଲା ସ˚ଘମାନଙ୍କ ନାମକୁ ଲୁଚାଇ ଦିଆଯାଇଥିଲା। ଦୌଡକୁଦ ସ˚ଘ କିମ୍ବା କ୍ରିକେଟ ସ˚ଘ ଲେଖିବା ବଦଳରେ ଜିଲ୍ଲାମାନଙ୍କ ନାମ ଲେଖାଯାଇ ସମ୍ବିଧାନ ପ୍ରସ୍ତୁତ କରାଯାଇଥିଲା। ଯାହାଫଳରେ ନୂଆ ସମ୍ବିଧାନରେ ପୂର୍ବରୁ ରହି ଆସିଥିବା ଫୁଲବାଣୀ ଜିଲ୍ଲା ଦୌଡକୁଦ ସ˚ଘକୁ ବାଦ୍‌ ଦିଆଯାଇ ତା’ ସ୍ଥାନରେ କନ୍ଧମାଳକୁ ସ୍ଥାନ ଦିଆଯାଇଛି। ଯଦି ସେତେବେଳେ ଦୌଡକୁଦ ସ˚ଘ ଓ କ୍ରିକେଟ ସ˚ଘ ବିଷୟରେ ଲେଖାଯାଇଥାନ୍ତା, ତାହେଲେ ଏଭଳି ଦ୍ବନ୍ଦ୍ବ ରହିନଥାନ୍ତା ବୋଲି କୁହାଯାଉଛି। କିନ୍ତୁ ଯେତେବେଳେ କ୍ଲବ୍‌ମାନଙ୍କ ସ˚ପୃକ୍ତି କଥା ଆସିଲା, ସେତେବେଳେ ସାମାଜିକ କ୍ଲବ୍‌ ଓ କ୍ରିକେଟ କ୍ଲବ୍‌ ପ୍ରଭେଦ ଦେଖାଇ ବିବାଦକୁ ଅଧିକ ଜଟିଳ କରିବାରେ ପରିଚାଳନା ସମିତି ଲାଗିପଡ଼ିଥିଲା। ଓସିଏ କର୍ତ୍ତୃପକ୍ଷ ନିଜକୁ ସୁହାଇବା ପାଇଁ କ୍ଲବ୍‌, ସ୍କୁଲ୍‌, କଲେଜମାନଙ୍କୁ କିପରି ବାଦ୍‌ ଦିଆଯିବ ସେ ଦିଗରେ ଅଧିକ ଧ୍ୟାନ ଦେଉଥିଲେ। ଯେଉଁଥିପାଇଁ ଜିଲ୍ଲା ସ˚ଘମାନଙ୍କୁ ଅନ୍ଧାରରେ ରଖିଦିଆଯାଇଥିଲା। ଯଦିଓ ଅନେକ ଲଢେଇ ପରେ କ୍ଲବ୍‌, ସ୍କୁଲ୍‌ ଓ କଲେଜମାନେ ସେମାନଙ୍କ ଅଧିକାର ଫେରି ପାଇଲେ। କିନ୍ତୁ ଦୌଡକୁଦ ସ˚ଘମାନଙ୍କ ଭବିଷ୍ୟତ କ’ଣ ହେବ ତାହାକୁ ନେଇ ଆଶଙ୍କା ଦେଖାଦେଇଛି।

ଓସିଏ ଅଧିନରେ ପୂର୍ବରୁ ଭୁବନେଶ୍ବର, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଓ ପୂର୍ବତଟ ରେଳବାଇକୁ ମିଶାଇ ୩୩ ଜିଲ୍ଲା ସ˚ଘ ସ୍ବୀକୃତି ପାଇଥିଲେ। ସେମାନଙ୍କ ମଧ୍ୟରେ କଟକ, ପୁରୀ, ବାଲେଶ୍ବର, ମୟୂରଭଞ୍ଜ, ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ତି, କୋରାପୁଟ, ଭୁବନେଶ୍ବର ଜିଲ୍ଲା ଦୌଡକୁଦ ସ˚ଘକୁ ପ୍ରତିନିଧିତ୍ବ କରିଆସୁଥିଲେ। ପୁରୁଣା ଜିଲ୍ଲାଙ୍କ ମଧ୍ୟରୁ କେବଳ ଗଞ୍ଜାମ ଏକମାତ୍ର କ୍ରିକେଟ ସ˚ଘକୁ ପ୍ରତିନିଧିତ୍ବ କରୁଥିଲା। ତେବେ ପରବର୍ତ୍ତୀ ସମୟରେ ଯୋଡ଼ି ହୋଇଥିବା ସମସ୍ତ ୧୮ ସ˚ଘ ଜିଲ୍ଲା କ୍ରିକେଟ ସ˚ଘ ଭାବେ ସ୍ବୀକୃତି ପାଇଥିଲେ। ନୂଆ ସମ୍ବିଧାନରେ ଭୁବନେଶ୍ବର ସ୍ଥାନ ବଜାୟ ରଖିଥିଲା ବେଳେ ରାଉରକେଲା ଓ ରେଳବାଇକୁ ବାଦ୍‌ ଦିଆଯାଇଥିଲା। କ୍ଲବ୍‌ମାନଙ୍କୁ ଯୋଡ଼ିବା ବେଳେ ଏମାନଙ୍କୁ ବି ସେହି ତାଲିକାରେ ଯୋଡିବାକୁ ଓସିଏ ବାଧ୍ୟ ହୋଇଥିଲା।

ଯେତେବେଳେ ସମ୍ବିଧାନ ପ୍ରସ୍ତୁତ କରାଯାଉଥିଲା, ସେତେବେଳେ ଯଦି ଏଜିଏମ୍‌ ଡକାଯାଇ ପରାମର୍ଶ ନିଆଯାଇଥାନ୍ତା, ତାହେଲେ ଅନେକ ଦ୍ବନ୍ଦ୍ବ ଦୂର ହୋଇପାରିଥାନ୍ତା। ଏପରିକି ଜିଲ୍ଲା ଦୌଡକୁଦ ସ˚ଘକୁ ବାଦ୍‌ ଦେଇ ଜିଲ୍ଲା କ୍ରିକେଟ ସ˚ଘ ନାମରେ ନୂଆ ସ୍ବୀକୃତି ମଧ୍ୟ ଦିଆଯିବା ଉପରେ ଆଲୋଚନା ହୋଇପାରିଥାନ୍ତା। କିନ୍ତୁ ଏଜିଏମ୍‌ ନଡକାଇ ନିଜେନିଜେ ସମ୍ବିଧାନ ପ୍ରସ୍ତୁତ କରିବାରେ ଲାଗିପଡ଼ିଥିବାରୁ ଏହାର ପରିଣାମକୁ କ୍ଲବ୍‌, ସ୍କୁଲ୍‌, କଲେଜମାନଙ୍କ ପରେ ଏବେ ଜିଲ୍ଲା ଦୌଡ଼କୁଦ ସ˚ଘମାନଙ୍କୁ ଭୋଗିବାକୁ ପଡ଼ିପାରେ। ତେଣୁ ଆଗକୁ ଓସିଏ ନିର୍ବାଚନରେ ଦୌଡକୁଦ ସ˚ଘମାନେ ଭୋଟଦେବା ଅଧିକାର ପାଉଛନ୍ତି କି ନାହିଁ ତାହା ନିର୍ବାଚନ ଅଧିକାରୀଙ୍କ ନିୟମାବଳୀ ପ୍ରକାଶ ପାଇବା ପରେ ଜଣାପଡିବ।

ଓସିଏ ସମ୍ବିଧାନକୁ ସିଓଏ ଅନୁମୋଦନ
ବିଭିନ୍ନ ବାଦ ବିବାଦ ପରେ ଶେଷରେ ଓଡ଼ିଶା କ୍ରିକେଟ ସ˚ଘ (ଓସିଏ)ର ସମ୍ବିଧାନକୁ ବିସିସିଆଇ ପ୍ରଶାସନିକ ସମିତି (ସିଓଏ)ର ଅନୁମୋଦନ ମିଳିଛି। ଏନେଇ ବୁଧବାର ଓସିଏକୁ ବିଧିବଦ୍ଧ ଭାବେ ଜଣାଇ ଦିଆଯାଇଛି। ନୂଆ ସମ୍ବିଧାନରେ କିଟ୍‌ ଓ ପାରାଦ୍ବୀପ ପୋର୍ଟ ଟ୍ରଷ୍ଟକୁ ସଦସ୍ୟତା ଦିଆଯାଇଥିବା ସତ୍ତ୍ବେ ବୈଧତାକୁ ନେଇ ଏବେବି ଅନିଶ୍ଚିତତା ଲାଗି ରହିଛି। ଏହି ଦୁଇ ସ˚ସ୍ଥାର ସଦସ୍ୟତାକୁ ବିରୋଧ କରି ଆଗରୁ ମାମଲା କୋର୍ଟରେ ବିଚାରାଧିନ ରହିଛି। ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ନପାଇବା ପର୍ଯ୍ୟନ୍ତ ଉଭୟଙ୍କ ସଦସ୍ୟତା ଉପରେ କିଛି କହିହେବ ନାହିଁ ବୋଲି ଓସିଏ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ନୂଆ ସମ୍ବିଧାନରେ ପ୍ରଥମେ ପୂର୍ବତଟ ରେଳବାଇ, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟକୁ ବାଦ୍‌ ଦିଆଯାଇଥିଲା ବେଳେ ଭୁବନେଶ୍ବର ସମେତ ୩୧ ଜିଲ୍ଲାର ନାମକୁ ପଠାଯାଇଥିଲା। କିନ୍ତୁ ଏହା ଉପରେ ଅନେକ ବିବାଦ ଦେଖାଦେବାରୁ ପୁଣି ଥରେ ବାଦ୍‌ ଦିଆଯାଇଥିବା ଉକ୍ତ ଦୁଇ ସ˚ସ୍ଥା ସହିତ ପୂର୍ବରୁ ଅନୁବନ୍ଧିତ ସମସ୍ତ ସ୍କୁଲ୍‌, କଲେଜ ଓ କ୍ଲବ୍‌ମାନଙ୍କୁ ସାମିଲ କରାଯାଇଥିଲା। ଏମାନଙ୍କ ସହିତ ପୂର୍ବରୁ କେବଳ ଖେଳିବା ଅଧିକାର ପାଇଥିବା ପାରାଦୀପ ପୋର୍ଟ ଟ୍ରଷ୍ଟ ଓ କିଟ୍‌ର ନାମକୁ ମଧ୍ୟ ପୂର୍ଣ୍ଣ ସଦସ୍ୟତା ତାଲିକା ମଧ୍ୟରେ ପଠାଇ ଦିଆଯାଇଥିଲା। ଯାହାକୁ ନେଇ କ୍ଲବ୍‌ମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ବିହାରରୁ ଆସିବେ ଓସିଏ ନିର୍ବାଚନ ଅଧିକାରୀ!

କଟକ : ଓସିଏ (ଓଡ଼ିଶା କ୍ରି‌େକଟ୍‌ ସଂଘ) ନିର୍ବାଚନ ପାଇଁ ବିହାରରୁ ନିର୍ବାଚନ ଅଧିକାରୀ ଆସିବେ। ଏ ସ˚ପର୍କରେ ଯଦିଓ ଓସିଏ ପକ୍ଷରୁ ବିଧିବଦ୍ଧ ଭାବେ କିଛି ସୂଚନା ଦିଆଯାଇନାହିଁ, ତଥାପି ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିହାରର ଜଣେ ପୂର୍ବତନ ନିର୍ବାଚନ ଅଧିକାରୀ ଓସିଏ ନିର୍ବାଚନ ପରିଚାଳନା କରିବାକୁ ରାଜି ହୋଇଛନ୍ତି। ତେବେ ତାଙ୍କର ନାମ ଜଣାପଡ଼ିନାହିଁ। ପୂର୍ବରୁ ଓଡ଼ିଶାର ଏକାଧିକ ପୂର୍ବତନ ନିର୍ବାଚନ ଅଧିକାରୀଙ୍କ ସହ ଓସିଏ ପକ୍ଷରୁ ଯୋଗାଯୋଗ କରାଯାଇଥିଲେ ବି କେହି ରାଜି ହୋଇନଥିଲେ। ପରେ ବିସିସିଆଇକୁ ଏ ବିଷୟରେ ଅବଗତ କରାଯାଇଥିଲେ ବି ସେମାନେ ମଧ୍ୟ ବିଫଳ ହୋଇଥିଲେ। ଏହାପରେ ପଡ଼ୋଶୀ ରାଜ୍ୟମାନଙ୍କରୁ ନିର୍ବାଚନ ଅଧିକାରୀ ଖୋଜିବା ପାଇଁ ବିସିସିଆଇ ପରାମର୍ଶ ଦେଇଥିଲା। ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ବିହାରରେ ନିର୍ବାଚନ ଅଧିକାରୀ ଖୋଜା ଚାଲିଥିବା ବେଳେ ବିହାରର ଜଣେ ପୂର୍ବତନ ଅଧିକାରୀ ଏଥିପାଇଁ ସହମତି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର