ଓସିଏ ନିର୍ବାଚନ: ଚୂଡ଼ାନ୍ତ ତାଲିକାରେ କାଏମ ରହିଲା ୭୩ ଜଣ ଭୋଟରଙ୍କ ନାମ

ସମସ୍ତ ଅଭିଯୋଗ ଖାରଜ କିଟ୍‌, ପାରାଦୀପ ପୋର୍ଟକୁ ମତଦାନ ଅଧିକାର

କଟକ: ଓସିଏ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ରବିବାର ପ୍ରକାଶ ପାଇଛି। ସାନି ତାଲିକା ଉପରେ ଆସିଥିବା ଏକାଧିକ ଆପତ୍ତି ଅଭିଯୋଗ ଉପରେ ବିଚାର କରିବା ପରେ ସେସବୁକୁ ଖାରଜ କରିଦିଆଯାଇଛି। ଯାହାଫଳରେ ସାନି ଭୋଟର ତାଲିକାରେ ଯେଉଁ ୭୩ ଜଣ ଭୋଟରଙ୍କ ନାମ ସ୍ଥାନ ପାଇଥିଲା, ସେ ସମସ୍ତଙ୍କ ନାମ ଚୂଡ଼ାନ୍ତ ତାଲିକାରେ ବି କାଏମ ରହିଛି। ସାନି ତାଲିକା ଉପରେ ଏସ୍‌ବିଆଇ, ଖୋର୍ଦ୍ଧା, ଢେଙ୍କାନାଳ, ଦେଓଗଡ଼, କୋରାପୁଟ, ଓଜିପି କ୍ଲବ୍‌, ଗଞ୍ଜାମ ଜିଲ୍ଲା ପକ୍ଷରୁ ଆପତ୍ତି ଉଠାଯାଇଥିଲା। ହେଲେ ବିଭିନ୍ନ କାରଣ ଦର୍ଶାଇ ଅଭିଯୋଗକାରୀଙ୍କ ଆବେଦନକୁ ନିର୍ବାଚନ ଅଧିକାରୀ ନାକଚ କରିଦେଇଛନ୍ତି। ଫଳରେ କିଟ୍‌ ଓ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ଭୋଟଦାନ ଅଧିକାର ପ୍ରଦାନ କରାଯାଇଛି।

ଏଥିସହିତ କିଟ୍‌ ଓ ପାରାଦୀପ ପୋର୍ଟକୁ ସମ୍ବିଧାନରେ ସଦସ୍ୟତା ପ୍ରଦାନ କରାଯାଇଛି। ସେମାନଙ୍କ ସଦସ୍ୟତା ରହିବ କି ନାହିଁ ତାହା ଏଜିଏମ୍‌ରେ ସ୍ଥିର କରାଯିବ। ଯାହାକି ତିନିମାସ ପୂର୍ବରୁ ବୈଠକ ଡକାଯିବା ନିୟମ ରହିଛି। କିନ୍ତୁ ବର୍ତ୍ତମାନ ନିର୍ବାଚନ ପାଇଁ ସମୟ ଧାର୍ଯ୍ୟ ହୋଇଯାଇଥିବାରୁ ଏଜିଏମ୍‌ ଡକାଇବା ସମ୍ଭବ ନୁହେଁ। ଏହାଛଡ଼ା କୌଣସି ନୂଆ ସଦସ୍ୟଙ୍କୁ ସମ୍ବିଧାନରେ ସ୍ଥାନ ଦେବା କିମ୍ବା ନାକଚ କରିବା ଅଧିକାର ନିର୍ବାଚନ ଅଧିକାରୀଙ୍କ ପାଖରେ ନଥିବାରୁ ଉକ୍ତ ଆବେଦନକୁ ଖାରଜ କରିଦିଆଯାଇଛି। ସେହିପରି ନେତାଜୀ ସ˚ଘକୁ ସମ୍ବିଧାନରେ ସ୍ଥାନ ଦିଆଯାଇନଥିଲା ବେଳେ ଆସନ୍ତା ୨୭ ତାରିଖ ସ୍ବତନ୍ତ୍ର ଏଜିଏମ୍‌ ପାଇଁ ମଧ୍ୟ ତାଙ୍କୁ ଡକାଯାଇନାହିଁ। ତେଣୁ ନେତାଜୀ ସ˚ଘକୁ ନିର୍ବାଚନରେ ଅ˚ଶଗ୍ରହଣ କରିବାକୁ ନିର୍ବାଚନ ଅଧିକାରୀ ଅନୁମତି ଦେଇନାହାନ୍ତି। ଏସ୍‌ବିଆଇ କ୍ଲବ୍‌ରୁ ଉପେନ୍ଦ୍ର କୁମାର ଦାସ ପ୍ରତିନିଧିତ୍ବ କରୁଥିବା ବେଳେ ଏସ୍‌ବିଆଇର ଡିଜିଏମ୍‌ ଓ ସର୍କଲ ଡେଭଲପ୍‌ମେଣ୍ଟ ଅଫିସରଙ୍କ ପକ୍ଷରୁ ଆପତ୍ତି ଉଠାଯାଇଥିଲା। ଏସ୍‌ବିଆଇ କ୍ଲବ୍‌ର ଏସ୍‌ବିଆଇ ସହିତ କୌଣସି ସ˚ପର୍କ ନାହିଁ। ଏପରିକି ଏସ୍‌ବିଆଇ ପକ୍ଷରୁ ନିୟମାବଳୀକୁ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖ କରାଯାଇପାରିନଥିବାରୁ ଆବେଦନକୁ ଖାରଜ କରିଦିଆଯାଇଛି। ଖୋର୍ଧା ଜିଲ୍ଲା କ୍ରିକେଟ ସ˚ଘ ସମ୍ପାଦକ ବିକାଶ ପ୍ରଧାନଙ୍କ ସହ କାର୍ଯ୍ୟକାରୀ ସଭାପତି ମନୋଜ ପ୍ରଧାନ, ସମ୍ପାଦକ ଭବାନୀ ଶଙ୍କର ପଣ୍ତା ଓ କାର୍ଯ୍ୟନିର୍ବାହୀ ସଦସ୍ୟ ସୌର୍ଯ୍ୟ ର˚ଜନ ମହାନ୍ତିଙ୍କ ନାମକୁ ଭୋଟର ତାଲିକାରେ ସ୍ଥାନ ନଦେବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ କୌଣସି ବିଶେଷ କାରଣ ନଦର୍ଶାଇ ବିକାଶଙ୍କ ନାମକୁ କାଏମ ରଖାଯାଇଛି। ଢେଙ୍କାନାଳକୁ ପ୍ରତିନିଧିତ୍ବ କରୁଥିବା ନଳିନୀ କୁମାର ଦାସଙ୍କ ନାମକୁ ସାଧାରଣ ବୈଠକରେ ଅନୁମୋଦନ ମିଳିନଥିବାରୁ ତାଙ୍କ ନାମକୁ ବାଦ୍‌ ଦିଆଯିବାକୁ ଅଭିଯୋଗ ହୋଇଥିଲା। କିନ୍ତୁ ଅଭିଯୋଗକାରୀ ସ˚ଘର ନିୟମାବଳୀକୁ ଦାଖଲ କରିବାରେ ଅସମର୍ଥ ହୋଇଥିଲେ। ସେହିପରି ଦେଓଗଡ଼ ଜିଲ୍ଲା କ୍ରିକେଟ ସ˚ଘର ସ୍ବୀକୃତି ପ୍ରତ୍ୟାହାର କରିବାକୁ ଆବେଦନ ହୋଇଥିଲା ବେଳେ, ଏହି ଆବେଦନର କୌଣସି ବୈଧତା ନଥିବାରୁ ଏହାକୁ ଖାରଜ କରାଯାଇଛି। କୋରାପୁଟ ଜିଲ୍ଲା ଦୌଡକୁଦ ସ˚ଘର ସାଧାରଣ ସମ୍ପାଦକ ଅନୁପ କୁମାର ପାତ୍ରଙ୍କ ସଦସ୍ୟତା ମଧ୍ୟ କାଏମ ରହିଛି। ଯଦିଓ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଏପ୍ରିଲ ୧୭ ତାରିଖରୁ ଶେଷ ହୋଇଛି, ତଥାପି ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ସମ୍ପାଦକ ଦାୟିତ୍ବରେ ରହିପାରିବେ ବୋଲି ଦର୍ଶାଇ ତାଙ୍କ ବିରୋଧରେ ହୋଇଥିବା ଆପତ୍ତିକୁ ନାକଚ କରାଯାଇଛି।

ଓଜିପି କ୍ଲବ୍‌କୁ ପ୍ରତିନିଧିତ୍ବ କରୁଥିବା ବୀରେନ୍ଦ୍ର କୁମାର ବେହେରା ୨୦୧୮ ମେ ୩୧ ତାରିଖରୁ ଅବସର ନେଇସାରିଲେଣି। କିନ୍ତୁ ଅଭିଯୋଗକାରୀ ସାରଦା ପ୍ରସାଦ ମହାନ୍ତି କ୍ଲବ୍‌ର ନିୟମାବଳୀ ଓ ସାଧାରଣ ବୈଠକ ବିବରଣୀ ବହିକୁ ଦାଖଲ କରିବାରେ ଅସମର୍ଥ ହୋଇଥିଲେ। ଏଥିସହିତ ସନ୍ତୋଷଜନକ କାରଣ ଦର୍ଶାଇପାରିନଥିବାରୁ ତାଙ୍କ ଆବେଦନକୁ ଖାରଜ କରାଯାଇଛି। ଗଞ୍ଜାମ ଜିଲ୍ଲା କ୍ରିକେଟ ସ˚ଘକୁ ପ୍ରତିନିଧିତ୍ବ କରୁଥିବା ଅଶୋକ କୁମାର ସାହୁ ୨୦୦୫ରେ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ ହୋଇଥିବା ନିର୍ବାଚନକୁ ନେଇ ମାମଲା କୋର୍ଟରେ ପହଞ୍ଚିବାରୁ ଫଳାଫଳ ବାହାରିପାରିନଥିଲା। ୨୦୦୫ରେ ନିର୍ବାଚିତ କର୍ମକର୍ତ୍ତା ସ˚ଘର ପରିଚାଳନା ଦାୟିତ୍ବରେ ରହିବେ ବୋଲି ଓସିଏ ନିର୍ବାଚନ ଅଧିକାରୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଏହି ଅନୁଯାୟୀ ତାଙ୍କ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରାଯାଇଛି।

ସମ୍ବନ୍ଧିତ ଖବର