ଓସିଏ ନିର୍ବାଚନ: ଓସିଏ ପ୍ରାର୍ଥୀ ତାଲିକା ଘୋଷଣା ୧୮ରେ!

ଭୋଟ ଅଧିକାର ହରାଇବେ ଆଶୀର୍ବାଦ!

କଟକ: ଓସିଏ ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇଯାଇଛି। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଏବେ ଆଶାୟୀ ପ୍ରାର୍ଥୀମାନେ ଭୋଟରଙ୍କୁ ନିଜ ପଟକୁ ଆଣିବା ପାଇଁ ଜିଲ୍ଲାରୁ ଜିଲ୍ଲା ବୁଲିବା ଆରମ୍ଭ କଲେଣି। ତଥାପି ଆସନ୍ତା ୧୮ ତାରିଖରେ ଉଭୟ ଗୋଷ୍ଠୀ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିବା ସମ୍ଭାବନା ରହିଛି। ଗୋଟିଏ ଗୋଷ୍ଠୀ ପୁରୀରେ ଏକ ହୋଟେଲ୍‌ରେ ବୈଠକ ଡକାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ କଟକର ଏକ ଘରୋଇ ହୋଟେଲ୍‌ରେ ବୈଠକ କରାଉଥିବା ଜଣାପଡ଼ିଛି। ଯଦିଓ ବହୁ ଆଗରୁ ସଭାପତି ଓ ସମ୍ପାଦକ ପାଇଁ ଆଶାୟୀଙ୍କ ନାମ ସ୍ପଷ୍ଟ ହୋଇସାରିଛି ବୁଧବାର ବୈଠକରେ ଉପସଭାପତି, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ପ୍ରାୟତଃ ଏହି ପଦବିଗୁଡ଼ିକୁ ବିଭିନ୍ନ ଜିଲ୍ଲାମାନଙ୍କ ମଧ୍ୟରେ ବାଣ୍ଟି ଦିଆଯିବାକୁ ଯୋଜନା କରାଯାଇଛି।

ଜିଲ୍ଲାମାନଙ୍କ ମଧ୍ୟରୁ ପଶ୍ଚିମ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାକୁ ଦୁଇ ଗୋଷ୍ଠୀ ଟାର୍ଗେଟ କରିଛନ୍ତି। ଯେହେତୁ କଟକ ଓ ଭୁବନେଶ୍ବର ମଧ୍ୟରେ ସଭାପତି ଓ ସମ୍ପାଦକ ପଦ ସୀମିତ ରହିବ, ତେଣୁ ଜିଲ୍ଲାଗୁଡ଼ିକୁ ନିରାଶ ନକରିବା ପାଇଁ ଏପରି ଯୋଜନା କରାଯାଇଥିବା କୁହାଯାଉଛି। କିନ୍ତୁ ଅଧିକ ଦିନ ଆଗରୁ ପ୍ରାର୍ଥୀ ତାଲିକା ଘୋଷଣା କଲେ କାଳେ ବିଦ୍ରୋହ ମୁଣ୍ଡ ଟେକିବ, ସେ ଭୟ ବି ଦୁଇ ଗୋଷ୍ଠୀଙ୍କୁ ଘାରିଛି। ଖାସ୍‌ ଏଥିପାଇଁ ନାମାଙ୍କନ ଦାଖଲର ଦୁଇ ଦିନ ପୂର୍ବରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ଅପରପକ୍ଷେ ରବିବାରଠୁ ଆଚରଣ ବିଧି ଲାଗୁ ହୋଇଯାଇଛି। ସେହି ଅନୁସାରେ କୌଣସି ଆଶାୟୀ ପ୍ରାର୍ଥୀ ବିପକ୍ଷଙ୍କ ବିରୋଧରେ ସମ୍ମାନ ହାନୀ ହେଲାଭଳି ମନ୍ତବ୍ୟ ଦେଇପାରିବେନି। ଏଥିସହିତ ଭୋଟ ହାତେଇବା ପାଇଁ କୌଣସି ଦୁର୍ନୀତିକୁ ପ୍ରଶ୍ରୟ ନଦେବାକୁ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି। ଏପରିକି ଓସିଏର କର୍ମଚାରୀମାନେ କାହାର ପକ୍ଷ ନେବା ଭଳି କୌଣସି କାର୍ଯ୍ୟ ନକରିବାକୁ କୁହାଯାଇଛି। କିନ୍ତୁ ଆଚରଣ ବିଧି ପୂର୍ବରୁ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଏକାଧିକ ପଦକ୍ଷେପ ନିଆଯାଇସାରିଲାଣି। ତଥାପି ୧୮ ତାରିଖରେ ହେବାକୁ ଯାଉଥିବା ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।

କଟକ: ଓସିଏ ନିର୍ବାଚନରେ ରାଇଜି˚ ଷ୍ଟୁଡେଣ୍ଟ୍ସ କ୍ଲବ୍‌କୁ ପ୍ରତିନିଧିତ୍ବ କରୁଥିବା ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ନିଜେ ନିଜ ଜାଲରେ ଫସିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆଗାମୀ ନିର୍ବାଚନରେ ସେ ଭୋଟ ଦେବା ଅଧିକାରରୁ ବଞ୍ଚିତ ହେବା ଆଶଙ୍କା ଦେଖାଦେଇଛି। ସୋମବାର ବିସିସିଆଇ େଵବସାଇଟ୍‌ରେ ଜାରି କରାଯାଇଥିବା ସ୍ପଷ୍ଟୀକରଣରେ ଦର୍ଶାଯାଇଛି ଯେ, ରାଜ୍ୟ ସ˚ଘରେ ଯିଏ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇସାରିଛନ୍ତି, ସେମାନେ ସାଧାରଣ ପରିଷଦ ବୈଠକରେ ବସିପାରିବେନି କି ଭୋଟ ମଧ୍ୟ ଦେଇପାରିବେନି। ଏଥିଯୋଗୁଁ ଆଶୀର୍ବାଦ ମଧ୍ୟ ଏହି ନିୟମ ଅନୁସାରେ ଭୋଟ ଦେବା ଅଧିକାର ହରାଇବେ। ପୂର୍ବରୁ ସେ ୭୦ ବର୍ଷରୁ ଅଧିକ ବୟସ ଓ ୯ବର୍ଷିୟା କାର୍ଯ୍ୟକାଳ ଅବଧି ପୂରଣ କରିସାରିଥିବାରୁ ପରବର୍ତ୍ତୀ ନିର୍ବାଚନ ପାଇଁ ଅଯୋଗ୍ୟ ଘୋଷିତ ହୋଇସାରିଥିଲେ। ଯେଉଁଥି ପାଇଁ ସେ ଏଥର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ନକରି ସାନପୁଅ ସ˚ଜୟ ବେହେରାଙ୍କୁ ସମ୍ପାଦକ ପ୍ରାର୍ଥୀ ଭାବେ ପ୍ରସ୍ତୁତ କରାଉଛନ୍ତି। ତଥାପି ଓସିଏକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଚତୁରତାର ସହ ନିଜେ ରାଇଜି˚ ଷ୍ଟୁଡେଣ୍ଟ୍ସ କ୍ଲବ୍‌ ପକ୍ଷରୁ ଭୋଟର ତାଲିକାରେ ସ୍ଥାନ ପକ୍କା କରିଥିଲେ। କିନ୍ତୁ ସୋମବାର ବିସିସିଆଇର ସ୍ପଷ୍ଟିକରଣ ପରେ ଓସିଏ ରାଜନୀତିରେ ବଡ଼ ବିସ୍ଫୋରଣ ହୋଇଥିବା କୁହାଯାଉଛି। ତେବେ ଏହା ଉପରେ ନିର୍ବାଚନ ଅଧିକରୀ କ’ଣ ପଦକ୍ଷେପ ନେଉଛନ୍ତି, ତାହା ଅପେକ୍ଷା କରିବାକୁ ହେବ।

ସମ୍ବନ୍ଧିତ ଖବର