ଓସିଏ ନିର୍ବାଚନ: ୫ ପଦ ପାଇଁ ୧୨ ଲଢ଼ିବେ

ଶୁଭାଶିଷ କାଉନସିଲ ସଦସ୍ୟ ଭାବେ ଅପ୍ରତିଦ୍ବନ୍ଦ୍ବୀ: ସଂଜୟ ବେହେରାଙ୍କ ପାଇଁ ଦେବାଶିଷ ମହାନ୍ତି ପ୍ରସ୍ତାବକ

କଟକ: ଓସିଏ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଦାଖଲ ହୋଇଛି। ଦୁଇ ଗୋଷ୍ଠୀ ପକ୍ଷରୁ ମୋଟ ୧୨ ଜଣ ନାମାଙ୍କନ ଦାଖଲ କରିଛନ୍ତି। ସେଥିମଧ୍ୟରୁ ପ୍ରତ୍ୟେକ ପଦ ପାଇଁ ଦୁଇ ଜଣ ଲେଖାଏଁ ପ୍ରତିଦ୍ବନ୍ଦ୍ବୀ ଥିବାବେଳେ ଯୁଗ୍ମ ସମ୍ପାଦକ ପାଇଁ ୩ ଜଣ ନାମାଙ୍କନ ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ଆପେକ୍ସ କାଉନସିଲ ସଦସ୍ୟ ଭାବେ କେନ୍ଦ୍ରାପଡ଼ାର ଶୁଭାଶିଷ ସେନାପତି ଅପ୍ରତିଦ୍ବନ୍ଦ୍ବୀ ରହିଛନ୍ତି। ଯଦି ତାଙ୍କର ନାମାଙ୍କନ କାଏମ ରହେ ତାହେଲେ ସେ ବିଜୟୀ ହେବା ନିଶ୍ଚିତ। ଶନିବାର ନାମାଙ୍କନ ପତ୍ରଗୁଡ଼ିକୁ ଯାଞ୍ଚ କରାଯିବା ପରେ ରବିବାର ନାମାଙ୍କନ ପ୍ରତ୍ୟାହାର ପାଇଁ ଧାର୍ଯ୍ୟ ହୋଇଛି। ସେହିଦିନ ଅପରାହ୍ନରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ୨୭ ତାରିଖରେ ସ୍ବତନ୍ତ୍ର ସାଧାରଣ ବୈଠକରେ ଭୋଟ ଗ୍ରହଣ ହେବ। ସେହି ବୈଠକରେ ଭୋଟ ଗଣତି ହେବା ପରେ ଫଳାଫଳ ଘୋଷଣା କରାଯିବ।

ସ˚ଜୟ ବେହେରାଙ୍କ ନେତୃତ୍ବାଧୀନ ଗୋଷ୍ଠୀ ଦିନ ପ୍ରାୟ ୧୨ଟା ବେଳେ ପ୍ରଥମେ ନାମାଙ୍କନ ଦାଖଲ କରିବାକୁ ୫୦ରୁ ଅଧିକ ସମର୍ଥକଙ୍କ ସହିତ ଓସିଏ କାର୍ଯ୍ୟାଳୟକୁ ଆସିଥିଲେ। ଏହି ଗୋଷ୍ଠୀରୁ ବୌଦ୍ଧର ପଙ୍କଜ ଲୋଚନ ମହାନ୍ତି ସଭାପତି ଓ କଟକର ସ˚ଜୟ ବେହେରା ସମ୍ପାଦକ ପାଇଁ ୨ ସେଟ୍‌ ଲେଖାଏଁ ନାମାଙ୍କନ ଦାଖଲ କରିଛନ୍ତି। ଉପସଭାପତି ପାଇଁ ଅନୁଗୁଳର ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ପାଇଁ ଝାରସୁଗୁଡ଼ାର ମେହେତାବ ଖାନ୍‌, ସୁନ୍ଦରଗଡ଼ର ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ପାଇଁ ଖୋର୍ଧାର ବିକାଶ ପ୍ରଧାନ ଗୋଟିଏ ଲେଖାଏଁ ସେଟ୍‌ ନାମାଙ୍କନ ଦାଖଲ କରିଛନ୍ତି। ସଂଜୟ ବେହେରାଙ୍କ ପାଇଁ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତି ପ୍ରସ୍ତାବକ ହେବା ସବୁଠାରୁ ଉଲ୍ଲେଖନୀୟ ବିଷୟ ନଜରକୁ ଆସିଛି। ପ୍ରଦୀପ ଚୌହାନଙ୍କ ନେତୃତ୍ବାଧୀନ ଗୋଷ୍ଠୀ ଅପରାହ୍ନ ସାଢେ ୩ଟାବେଳେ ନାମାଙ୍କନ ଦାଖଲ କରିବାକୁ ଆସିଥିଲା ବେଳେ କେବଳ ୫ ପଦ ପାଇଁ ନାମାଙ୍କନ ଭରିଥିଲେ। ସଭାପତି ପାଇଁ ୟୁନିଅନ୍‌ ସ୍ପୋର୍ଟି˚ କ୍ଲବ୍‌ର ପ୍ରଦୀପ ଚୌହାନ୍‌ ସର୍ବାଧିକ ୪ ସେଟ୍‌ ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ବାଦ୍‌ ସମ୍ପାଦକ ପାଇଁ ମଙ୍ଗଳା କ୍ଲବ୍‌ର ନବର˚ଜନ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପାଇଁ ଦେଓଗଡ଼ର ସୁଜିତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପାଇଁ ଜଗତସି˚ହପୁରର ଅନୀଲ କୁମାର ବିଶ୍ବାଳ ଦୁଇଟି ଲେଖାଏଁ ଏବ˚ ଉପସଭାପତି ପାଇଁ ସୋନପୁରର ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ ଗୋଟିଏ ସେଟ୍‌ ନାମାଙ୍କନ ଦାଖଲ କରିଛନ୍ତି।

ଜିଲ୍ଲାସ୍ତରରେ କ୍ରିକେଟ୍‌ର ବିକାଶ ମୁଖ୍ୟ ଏଜେଣ୍ତା
ଜିଲ୍ଲାସ୍ତରରେ କ୍ରିକେଟର ବିକାଶକୁ ଉଭୟ ଗୋଷ୍ଠୀ ସେମାନଙ୍କ ନିର୍ବାଚନୀ ଏଜେଣ୍ତା କରିଛନ୍ତି। ପ୍ରତ୍ୟେକ ଜିଲ୍ଲାରେ କ୍ରିକେଟକୁ ପ୍ରୋତ୍ସାହନ ଦେବା, ଏକାଡେମି ପ୍ରତିଷ୍ଠା କରିବା ପ୍ରମୁଖ ପ୍ରସଙ୍ଗ ରହିଛି। ସମ୍ପାଦକ ପାଇଁ ଆଶାୟୀ ପ୍ରାର୍ଥୀ ସ˚ଜୟ ବେହେରା କହିଛନ୍ତି ଯେ ଆଗକୁ କ୍ରିକେଟର ଉନ୍ନତି ପାଇଁ ଆମେ ଯୋଜନା ପ୍ରସ୍ତୁତ କରିସାରିଛୁ। ନିର୍ବାଚନରେ ବିଜୟୀ ହେବା ନିଶ୍ଚିତ। ସମ୍ପାଦକ ହେଲେ ଜିଲ୍ଲାମାନଙ୍କରେ କ୍ରିକେଟର ଉନ୍ନତି ପାଇଁ ଅନେକ କାର୍ଯ୍ୟ କରାଯିବ। ଯେଉଁଠାରେ ଭିତ୍ତିଭୂମି ନାହିଁ, ସେଠାରେ ସେସବୁକୁ ପୂରଣ କରାଯିବ ବୋଲି ସ˚ଜୟ କହିଛନ୍ତି। ଏପଟେ ଅନ୍ୟତମ ଆଶାୟୀ ପ୍ରାର୍ଥୀ ନବର˚ଜନ ପଟ୍ଟନାୟକ କହିଛନ୍ତି ଯେ ତୃଣମୂଳ ସ୍ତରରୁ କ୍ରିକେଟର ବିକାଶ ସହିତ ଜିଲ୍ଲାସ୍ତରରେ କ୍ରିକେଟ ବିକାଶ ପାଇଁ ଆମେ ଚିନ୍ତା କରିଛୁ। ସବୁ ଜିଲ୍ଲାରେ କିପରି ଏକାଡେମି ଖୋଲାଯାଇପାରିବ ସେ ଦିଗରେ ସଦସ୍ୟମାନଙ୍କ ସହିତ ଆଲୋଚନା କରାଯାଇଛି। କ୍ରିକେଟର ବିକାଶ ପାଇଁ ଆମେ ମିଳିତ ଭାବେ ଉଦ୍ୟମ କରିବାକୁ ହେବ ବୋଲି ନବ କହିଛନ୍ତି। ତେବେ ଉଭୟ ଗୋଷ୍ଠୀ ନିର୍ବାଚନରେ ଜିତିବା ପାଇଁ ଦାବି କରିଆସୁଥିବା ବେଳେ ଦୁଇ ପକ୍ଷଙ୍କ ପାଖରେ ୫୦ରୁ ଅଧିକ ଭୋଟ ରହିଥିବା ଦାବି କରାଯାଉଛି। ତେଣୁ କିଏ ନିର୍ବାଚନରେ ବାଜି ମାରିବ ତାହା ୨୭ ତାରିଖରେ ସ୍ପଷ୍ଟ ହେବ।

କୋରାପୁଟକୁ ବାଦ୍‌ ଦେବାକୁ ହାଇକୋର୍ଟରେ ଆବେଦନ
ଓସିଏ ନିର୍ବାଚନ ପ୍ରକ୍ରିୟାର ଭୋଟର ତାଲିକାରେ ବେଆଇନ୍‌ ଭାବେ ଭୋଟରଙ୍କ ନାମକୁ ପ୍ରକାଶ କରାଯାଇଛି। କୋରାପୁଟ ଜିଲ୍ଲା ଦୌଡ଼କୁଦ ସ˚ଘ ପକ୍ଷରୁ ଅନୁପ ପାତ୍ରଙ୍କ ନାମ ତାଲିକାରେ ପ୍ରକାଶ ପାଇଥିବାବେଳେ ବିନା କୌଣସି ସାଧାରଣ ବୈଠକରେ ତାଙ୍କ ନାମକୁ କେମିତି ଓସିଏ ଗ୍ରହଣ କଲା ବୋଲି ପ୍ରଶ୍ନ କରାଯାଇଛି। ଏସ˚କ୍ରାନ୍ତରେ ଜିଲ୍ଲା ଦୌଡ଼କୁଦ ସ˚ଘ ଓ ସ˚ଘର ସମ୍ପାଦକ ଜେ ହେମଚନ୍ଦ୍ର ରାଓଙ୍କ ପକ୍ଷରୁ ଦୁଇଟି ମାମଲା ହାଇକୋର୍ଟରେ ଦାୟର ହୋଇଛି। ଏହି ମାମଲାରେ ଓଡ଼ିଶା କ୍ରିକେଟ ସ˚ଘ ସହିତ ଓସିଏ ନିର୍ବାଚନ ଅଧିକାରୀ, ବିସିସିଆଇ, ଅନୁପ କୁମାର ପାତ୍ର, କୋରାପୁଟ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି ଯେ କୋରାପୁଟ ଜିଲ୍ଲା ଦୌଡ଼କୁଦ ସ˚ଘର କାର୍ଯ୍ୟକାଳ ଚଳିତ ବର୍ଷ ଏପ୍ରିଲ ୧୭ ତାରିଖରେ ଶେଷ ହୋଇଛି। ଏହା ପରଠୁ ସ˚ଘର ସଭାପତି ତଥା ଜିଲ୍ଲାପାଳ ସାଧାରଣ ବୈଠକ ଡକାଇ ନାହାନ୍ତି। ଏପରିସ୍ଥଳେ ଓସିଏ ନିର୍ବାଚନ ପାଇଁ କୋରାପୁଟରୁ ଭୋଟରଙ୍କ ନାମ ପଠାଇବାକୁ ଓସିଏ ଚିଠି କରିଥିଲା। କିନ୍ତୁ ବିନା କୌଣସି ସାଧାରଣ ବୈଠକରେ ଏଠାରୁ ଅନୁପ ପାତ୍ରଙ୍କ ନାମ ଓସିଏକୁ ଆସିଥିଲା। ୧୩ ତାରିଖରେ ସାନି ଭୋଟର ତାଲିକାରେ ଅନୁପଙ୍କ ନାମ ପ୍ରକାଶ ପାଇବାରୁ ତାଙ୍କ ନାମକୁ ବାଦ୍‌ ଦିଆଯିବାକୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରାଯାଇଥିଲା। କିନ୍ତୁ ଆବେଦନକାରୀଙ୍କ ଅଭିଯୋଗକୁ ନାକଚ କରିଦେବା ସହ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ଅନୁପଙ୍କ ନାମକୁ ସ୍ଥାନ ଦିଆଯାଇଥିଲା। ଏପରିକି ବିସିସିଆଇର ୯ବର୍ଷିୟା ନିୟମ ଅଧାରରେ ମଧ୍ୟ ଅନୁପ ଅଯୋଗ୍ୟ ବୋଲି ଆବେଦନରେ ଦର୍ଶାଯାଇଛି। ତେଣୁ ଚୂଡ଼ାନ୍ତ ଭୋଟର ତାଲିକାକୁ ରଦ୍ଦ କରାଯାଉ ନଚେତ୍‌ କୋରାପୁଟ ଜିଲ୍ଲା ସ˚କ୍ରାନ୍ତୀୟ ନାମକୁ ତାଲିକାରୁ ବାଦ୍‌ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନ୍‌ଜୀବୀ ସିଦ୍ଧାର୍ଥ ଶଙ୍କର ପାଢୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର