ନିର୍ବାଚନ ଅଧିକାରୀଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ : ବିସିସିଆଇରୁ ଆସିବେ ପର୍ଯ୍ୟବେକ୍ଷକ, ଆଇନ ଅଧିକାରୀ

କଟକ : ଓସିଏ ନିର୍ବାଚନ ପ୍ରକ୍ରିୟାରେ ପକ୍ଷପାତିତା କରାଯାଉଛି। ଜାଣିଶୁଣି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ସୁହାଇବା ଭଳି ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ତେଣୁ ଏହି ନିର୍ବାଚନରେ ସ୍ବଚ୍ଛତା ଅବଲମ୍ବନ କରାଯାଉନଥିବା ବିସିସିଆଇ ନିକଟରେ ଅଭିଯୋଗ ହୋଇଛି। କଟକର କିଛି କ୍ଲବ୍‌ଙ୍କ ପକ୍ଷରୁ ବିସିସିଆଇ ପ୍ରଶାସନିକ ସମିତି ନିକଟରେ ଦୁଇ ଦିନ ତଳେ ଅଭିଯୋଗ କରାଯାଇଥିବା ବେଳେ ଏବେ ଓସିଏ ନିର୍ବାଚନକୁ ନିରପେକ୍ଷ ଭାବେ ପରିଚାଳନା ହେଉଛି ନା ନାହିଁ ତାହାକୁ ତର୍ଜମା କରିବାକୁ ପର୍ଯ୍ୟବେକ୍ଷକ ଭାବେ ହେମ କୁମାର ପାଣ୍ଡେ ଏବଂ ତାଙ୍କୁ ସହଯୋଗ କରିବାକୁ ଜଣେ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି। ଆସନ୍ତା କିଛି ଦିନ ମଧ୍ୟରେ ପର୍ଯ୍ୟବେକ୍ଷକ ଓସିଏରେ ପହଞ୍ଚିବେ ବୋଲି କୁହାଯାଇଛି।

ଅଭିଯୋଗ ଅନୁଯାୟୀ, ଯେତେବେଳେ ଦୁଇ ଜଣ ନୂଆ ସଦସ୍ୟଙ୍କୁ ଖେଳିବା ଅଧିକାରରୁ ଭୋଟଦାନ ଅଧିକାର ଦିଆଗଲା, ସେତେବେଳେ ସାଧାରଣ ବୈଠକ ଡକାଯାଇ ଆଲୋଚନା କରାଯାଇନଥିଲା। ବିସିସିଆଇ ସମ୍ବିଧାନ ନିୟମକୁ ମଧ୍ୟ ଅମାନ୍ୟ କରାଯାଇଥିବା କ୍ଲବ୍‌ଙ୍କ ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରାଯାଇଥିଲା। କିନ୍ତୁ ନିର୍ବାଚନ ଅଧିକାରୀ ଏହାକୁ ଶୁଣିବାକୁ ରାଜି ହୋଇନଥିଲେ। ହେଲେ ପରେ ବାଧ୍ୟ କରାଯିବାରୁ ନିର୍ବାଚନ ଅଧିକାରୀ ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ। ସତ କ’ଣ ହୃଦୟଙ୍ଗମ କରିଥିଲେ ବି ରିପୋର୍ଟରେ ଏହାକୁ ତାଙ୍କ ପରିଧି ବାହାରେ ବୋଲି ଦର୍ଶାଇଥିଲେ। ସେହିପରି ଭୋଟର ତାଲିକା ପ୍ରସ୍ତୁତ ବେଳେ ଆପତ୍ତି ଉଠାଇଥିବା କ୍ଲବ୍‌ ଓ ଜିଲ୍ଲା ସ˚ଘଙ୍କ ଅଭିଯୋଗ ଶୁଣିଥିଲେ ବି ଏକତରଫା ନିଷ୍ପତ୍ତି ନେଇଥିବା ପ୍ରଶାସନିକ ସମିତି ପାଖରେ ଅଭିଯୋଗ ହୋଇଛି। ଯେଉଁଥିପାଇଁ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ସୁହାଇବା ଭଳି ଅଯୋଗ୍ୟ ଭୋଟରଙ୍କୁ ତାଲିକାରେ ସ୍ଥାନ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। କେବଳ ଏତିକି ନୁହେଁ ବିସିସିଆଇ ଓ ଲୋଧା ସମିତି ନିୟମରେ ୪ ବର୍ଷିୟା କାର୍ଯ୍ୟକାଳ ଓ କୁଲି˚ ଅବଧିକୁ ନେଇ ଯାହା ସ୍ପଷ୍ଟ କରାଯାଇଥିଲା, ଓସିଏ ନିର୍ବାଚନ ଅଧିକାରୀ ଏହା ବିରୋଧରେ ଯାଇଥିବା କୁହାଯାଇଛି। ତେଣୁ ତୁରନ୍ତ ତାଙ୍କର ପକ୍ଷପାତିତା କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ଆଣିବାକୁ ଓ ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା ପାଇଁ କ୍ଲବ୍‌ଗୁଡ଼ିକ ପକ୍ଷରୁ ପ୍ରଶାସନିକ ସମିତିକୁ ଅନୁରୋଧ କରାଯାଇଥିଲା।

ପୂର୍ବରୁ ବିସିସିଆଇ ପକ୍ଷରୁ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ତ, ସିକିମ, ମଣିପୁର, ମେଘାଳୟ, ମିଜୋରାମ, ବିହାର, ଚଣ୍ତୀଗଡ଼, ଉତ୍ତରାଖଣ୍ତ, ପଣ୍ତିଚେରୀ, ବେଙ୍ଗଲ, ଝାଡ଼ଖଣ୍ତ ଇତ୍ୟାଦି ରାଜ୍ୟ ସ˚ଘ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇସାରିଛନ୍ତି। ତଥାପି ଓସିଏ ସମ୍ବିଧାନ ଓ ପରେ ନିର୍ବାଚନ ପ୍ରକ୍ରିୟା ଉପରେ ବାରମ୍ବାର ପ୍ରଶାସନିକ ସମିତି ପାଖରେ ଅଭିଯୋଗ ହେବାରୁ ଓଡ଼ିଶା ପାଇଁ ବି ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ତେବେ ନାମାଙ୍କନ ଦାଖଲ ପୂର୍ବରୁ ସେମାନେ ତାଙ୍କର ଦାୟିତ୍ବ ଗହଣ କରିବା ସମ୍ଭାବନା ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର